ନିର୍ବାସନରୁ ଶବ୍ଦ

 

 

 

 

 

 

 

 

 

 

 

ନିର୍ବାସନରୁ ଶବ୍ଦ

ପ୍ରସନ୍ନ କୁମାର ମହାନ୍ତି

 

 

 

 

 

 

 

 

 

 

 

 

 

ବୋଉ ଓ ବାପାଙ୍କୁ

 

ଅଳ୍ପ କଥାରେ :

 

ଏହି ଗ୍ରନ୍ଥରେ ସ୍ଥାନିତ ମୋର କବିତାଗୁଡ଼ିକ ୩୦।୮।୧୯୭୫ [‘ସଂଦିଗ୍‌ଧ ଦର୍ଶନ] ଠାରୁ ୧୬ ।୧୦। ୧୯୭୮ [‘ଅନ୍ୟଚର୍ଯ୍ୟାର ଜୀବ’] ମଧ୍ୟରେ ରଚିତ ଏବଂ ବିଭିନ୍ନ ପତ୍ରିକାରେ ପ୍ରକାଶିତ-। ସେଇସବୁ ପତ୍ରପତ୍ରିକାଗୁଡ଼ିକ ହେଉଛନ୍ତି : ଝଙ୍କାର, ନବରବି, ସମାବେଶ, ଆସନ୍ତାକାଲି, ଦିଗନ୍ତ, ସହକାର, ସପ୍ତର୍ଷି, ଚୁମ୍ବକ, ପରିବର୍ତ୍ତନ, ପୁନର୍ବସୁ, ଧଉଳୀ, ନବଜାତକ, ଉତ୍କଳିକା, ବିପଞ୍ଚୀ, ସୀମାନ୍ତ, ଧରିତ୍ରୀ, ପ୍ରଜାତନ୍ତ୍ର, ବାଣୀବଳୟ, କବିତାର ମୁହଁ [ସଂକଳନ], ଓଡ଼ିଆଯୁବଲେଖକ ସମ୍ମେଳନର ସ୍ମରଣିକା ଏବଂ ବି.ଜେ.ବି. କଲେଜ ଓଡ଼ିଆ ସାହିତ୍ୟସଂସଦର ମୁଖପତ୍ର । ଏଇ ପତ୍ରିକାଗୁଡ଼ିକର ସଂପାଦକ ଓ ପରିଚାଳନା ସହକାରୀମାନଙ୍କ ନିକଟରେ ମୁଁ ପୁଣିଥରେ ମୋର କୃତଜ୍ଞତା ପ୍ରକାଶ କରୁଛି । ଆକାଶବାଣୀ, କଟକଙ୍କ ସୌଜନ୍ୟରୁ ଏଥି ମଧ୍ୟସ୍ଥ କେତେକ କବିତା ବେତାର ଯୋଗେ ମଧ୍ୟ ପ୍ରଚାରିତ ହୋଇଛି : କର୍ତ୍ତୃପକ୍ଷଙ୍କ ନିକଟରେ ଏଥିପାଇଁ ମୁଁ ଋଣୀ । ସର୍ବୋପରି ଏହି ଗ୍ରନ୍ଥର ପ୍ରକାଶକ ଶ୍ରୀଯୁକ୍ତ ପାତ୍ରଙ୍କ ସହୃଦୟତା ଓ ଉଦାରତାରେ ମୁଁ ଏକାନ୍ତ ଭାବରେ ଅନୁଗୃହୀତ । ଖ୍ୟାତିନାମା ଚିତ୍ରଶିଳ୍ପୀ ଅସୀମ୍‌ ଦା’ଙ୍କର ସ୍ମରଣୀୟ ସହଯୋଗ ମୋ’ ପାଇଁ ଏକ ମଧୁର ଅନୁଭୂତି । ଗ୍ରନ୍ଥଟିର ସାମଗ୍ରିକ କାବ୍ୟିକ ସ୍ୱାଦରେ ଯଥାସମ୍ଭବ ଭାରସାମ୍ୟ ରକ୍ଷାକରିବାପାଇଁ କବିତାଗୁଡ଼ିକୁ ଜାଣିଶୁଣି ମୁଁ ସମୟାନୁକ୍ରମରେ ନ’ସଜାଇ ଏକ ମିଶ୍ରିତ କ୍ରମରେ ଉପସ୍ଥାପିତ କରିଛି ।

 

ପ୍ରସନ୍ନ କୁମାର ମହାନ୍ତି

୧୫ ।୮। ୮୧ [ରାକ୍ଷୀ ପୂର୍ଣ୍ଣିମା]

 

ସେ :

 

ପ୍ରସନ୍ନ କୁମାର ମହାନ୍ତିଙ୍କରଜନ୍ମ ୧୯୫୬ ମସିହା ଜୁଲାଇ ମାସ ୧୭ ତାରିଖରେ ବାଲେଶ୍ୱର ଜିଲ୍ଲାର ତୁଡ଼ିଗଡ଼ିଆଠାରେ ହୁଏ । ତାଙ୍କ ଘର : ପୁରୀ ଜିଲ୍ଲାର ବାଳକାଟି ଗ୍ରାମରେ । ୧୯୭୧ ମସିହାରୁ ସେ କବିତା ଲେଖିବା ଆରମ୍ଭ କରନ୍ତି । ଓଡ଼ିଶାର ଅଧିକାଂଶ ପରିଚିତ ସାହିତ୍ୟ ପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୋଇଆସୁଚି । ୧୯୭୮ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ [ବାଣୀବିହାର]ରୁ ଓଡ଼ିଆ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ଏମ୍‌. ଏ. ପାସ୍‌ କରି ଭୁବନେଶ୍ୱରସ୍ଥ ଏକାମ୍ର ମହାବିଦ୍ୟାଳୟରେ ଅଧ୍ୟାପନା କରି ଆସୁଛନ୍ତି । ୧୯୮୦ ମସିହାରେ ତାଙ୍କର ଓ ଅଜିତ ଦାଶମହାପାତ୍ରଙ୍କର କେତୋଟି ଗଳ୍ପ ସଂବଳିତ ‘ଅରଣ୍ୟ ଅଧିବାସ’ ନାମକ ଏକ ଗଳ୍ପଗ୍ରନ୍ଥ ପ୍ରକାଶ ପାଇଛି । ‘ନିର୍ବାସନରୁ ଶବ୍ଦ’ ତାଙ୍କର ପ୍ରଥମ କବିତା ଗ୍ରନ୍ଥ ।

 

ପ୍ରକାଶକ

 

ପ୍ରମାଦ :

 

ଦୁର୍ଭାଗ୍ୟବଶତଃ ଏହି ପୁସ୍ତକରେ ରହିଯାଇଥିବା ନିମ୍ନୋକ୍ତ ସାମାନ୍ୟ କେତୋଟି ମୁଦ୍ରଣ ତ୍ରୁଟିକୁ ସଂଶୋଧନ କରିନେଇ ଏହାକୁ ପାଠ କରିବାକୁ ଅନୁରୋଧ । ୪୩ ପୃଷ୍ଠାର ୭ମ ଧାଡ଼ିରେ ଥିବା ‘କଷ’ ଶବ୍ଦଟି ‘ବିଷ’ ହେବ । ୪୫ ପୃଷ୍ଠାର ୧ମ ଧାଡ଼ିରେ ଥିବା ‘ଉପଭୋଗ୍ୟା’ ଶବ୍ଦଟି ‘ଉପଭୋଗ୍ୟ’ ହେବ । ୪୮ ପୃଷ୍ଠାରେ ୧୫ଶ ଧାଡ଼ିରେ ଥିବା ‘ଜଣା’ ଶବ୍ଦଟି ‘ଜମା’ ହେବ ।

 

ପ୍ରକାଶକ

 

ସୂଚୀପତ୍ର

 

୧.

ପ୍ରଥମ ପାପ

୨.

ଦୃଶ୍ୟାନ୍ତର

୩.

ଅଜେୟ ଆତଙ୍କର କ୍ଷୁଧା ପୁରୁଷ

୪.

ଏବଂବିଧ ବହୁକଥା

୫.

ସଂଦିଗ୍‌ଧ ନିରୁଦ୍ଦେଶ

୬.

ଚନ୍ଦ୍ରିକାର ଜନ୍ମଦିନ

୭.

ଅନ୍ୟ ଚର୍ଯ୍ୟାର ଜୀବ

୮.

ସୁଦୂର ଅନ୍ଧାର

୯.

ମହାଶୟ

୧୦.

ସଂଦିଗ୍‌ଧ ବାର୍ଦ୍ଧକ୍ୟ

୧୧.

ଆରଣ୍ୟକ

୧୨.

ମୃତ୍ୟୁ

୧୩.

କିମ୍ବଦନ୍ତୀ ପରି ପୁରୁଣା

୧୪.

ଆଉ ଗୋଟେ ରାସ୍ତା

୧୫.

କଷ୍ଟଗ୍ରସ୍ତର କଥା

୧୬.

ଚନ୍ଦ୍ରିକାର ଚିଠି

୧୭.

ବିସ୍ମିତ ବୃତ୍ତାନ୍ତ

୧୮.

ବିଷାକ୍ତ ଚିତ୍ରପଟ

୧୯.

ବାଟୋଇ :ଅନାଗତ ସମୃଦ୍ଧ ସଡ଼କ

୨୦.

ଅନ୍ୟାୟ ଯେପରି

୨୧.

ମୃତ୍ୟୁ ଯଦି ଶେଷକଥା ନୁହେଁ

୨୨.

ପାପୀ ଦେବତା

୨୩.

ବିଦାୟ

୨୪.

ଆରୋହଣ

୨୫.

ବସନ୍ତ ସୁନ୍ଦରୀର ଅଭିସାର

୨୬.

ପ୍ରିୟତମା

୨୭.

ନିର୍ବାସନରୁ ଶବ୍ଦ

୨୮.

ଦରିଦ୍ର ସମ୍ରାଟ୍‌

୨୯.

ରେସ୍ନା

୩୦.

ପୁନଶ୍ଚ ପରୀକ୍ଷା

୩୧.

ବାନ୍ଧବୀ

୩୨.

ବୋଉପାଇଁ ଆତ୍ମାର ନିଜସ୍ୱ କବିତା

୩୩.

ମହାମାନବ

୩୪.

ବଂଦୀ

୩୫.

ସ୍ଥିତି : ଏକ ପାର୍ଥିବ ପୁରୁଷର

୩୬.

ଅନେକ ପର୍ଦ୍ଦାପତନ

୩୭.

ଅନ୍ୟ ଯାତ୍ରା

୩୮.

ବ୍ୟତିବ୍ୟସ୍ତ ଚନ୍ଦ୍ରାସ୍ତ

୩୯.

ରାସ୍ତା ବାଛିବା

୪୦.

ଭଙ୍ଗା ତୁଟା ମେଘ ଖଣ୍ଡେ

୪୧.

ସଂଦିଗ୍‌ଧ ଦର୍ଶନ

Image

 

ପ୍ରଥମ ପାପ

 

ଅନେକ ସୁସ୍ଥ ଓ ବିଶାଳ ବାଘ

ଅରଣ୍ୟର ଖୁବ୍‌ ଅଭ୍ୟନ୍ତର ଅଂଚଳସ୍ଥ

କେଉଁଠାରୁ ଗର୍ଜୁଥିଲେ ଘ୍ରାଓଉଁଉଃ ଘ୍ରାଓଉଁଉଃ

ଗମ୍ଭୀର ଓ ଭୟପ୍ରଦ ହେଂଟାଳରେ ପ୍ରାୟ

ସମଗ୍ର ବଣକୁ

ଚହଲାଇ ଦେଉଥିଲେ । ଓ କେଉଁ ଜୟଯୁକ୍ତ ଜିଦ୍‌ରେ

ଓଟାରି ହୋଇ ମୁଁ ସେଦିନ ନିଦରୁ ଉଠି

ରାତି ଅଧ ନିସ୍ତବ୍‌ଧ ନିର୍ଜନ

ସଡ଼କର ଶତାଧିକ ଗଳିକନ୍ଦି, ସ୍ଳାପ୍‌ହୀନ

ନର୍ଦ୍ଦମାର ପ୍ରସ୍ଥ ଏବଂ ବହୁ ଘରଦ୍ୱାର

କ୍ଳାନ୍ତ ବହୁ ସାନବସ୍ତି, ଜନଶୂନ୍ୟ ନିଦ୍ରିତ ସହର

ଡେଇଁଗଲି, ବରଫର ବାମ୍ପପରି ହେମାଳ ହାୱାରେ

ଥରିଯାଉଥିଲା ଯେବେ ଭାରତର ବଡ଼ ଏକ ଭାଗ ।

ଏସିଆର ବୃହତ୍ତମ ଅରଣ୍ୟ, ଏପରି

ବୋଧଗମ୍ୟ ହେଉଥିବା ଏହି ଘୋର ବଣ ଉପାନ୍ତରେ

ଏହା ପୂର୍ବେ ଦୁଇଥର ସଂଧ୍ୟାର ମ୍ଳାନ ଆଲୋକରେ

ଅଳ୍ପ ବୁଲି ଫେରି ଯାଇଥିଲି ଅନେକ ସାହସ

ଧୈର୍ଯ୍ୟ ଏବଂ ଚାଲେଞ୍ଜେକୁ ଏକାଠି କରି, କିନ୍ତୁ

ଏହା ଥିଲା ବର୍ଷର କେଉଁ ଅଶୁଭ ତାରିଖ

ମନ୍ତ୍ରକୃତ ପରି ନିଘୋଡ଼ ରାତିରେ ଉଠି

ଶୀତର ବେତରେ କାନ୍ଦି ସେ ଜଙ୍ଗଲ ମଝିରେ ପହଂଚି

ଗଲି । କେଉଁ ଦୟାବାନ୍‌ ବାଘର ଛୁରି ପରି ନଖ

ଖଂଜା ହୋଇଥିବା ପଂଝାଟିଏ କୃପା କରି ଅଳ୍ପ

ମାତ୍ର ଉପରକୁ ଉଠି ମତେ ଆଶୀର୍ବାଦ କଲା । ହଠାତ୍‌

ସ୍ୱଇଚ୍ଛାରେ କାହିଁକି କେଜାଣି ମତେ କ୍ଷମା ଦେଇଦେଲା । ଓ

ସକାଳ ଆଠଟାରେ ଅର୍ଦ୍ଧମୃତ ଅବସ୍ଥାରେ ମୋତେ

ଉଦ୍ଧାର କରାଗଲା ଓଡ଼ିଶାର

ଦୁଇଜଣ ଶିକାରିଙ୍କ ଦ୍ୱାରା ।

ଚନ୍ଦ୍ରିକା, ମୁଁ ପୂରାପୂରି ସୁସ୍ଥ ହୋଇଯିବି ଓ

ତୁମ କୋଳରେ ପୁଣି ମୁଣ୍ଡ ରଖିବି, ତାହା ବାକି

ଆଜିଠାରୁ କେତେଦିନ ଆଉ ? କେତେ ଶହ ଘଣ୍ଟା ?

Image

 

ଦୃଶ୍ୟାନ୍ତର

 

ସବୁ ସୁଖକୁ ତ

ବାଂଟି ଦେଇଛି ଶିଶୁଦିବସର ବୁନ୍ଦିଆ ପରି

ବହୁ ଓଡ଼ିଆ ଭାଷାଭାଷାଙ୍କୁ :

ଯେଉଁ ଦାୟୀତ୍ୱହୀନ ସୁଖର

ମୋ ନିମନ୍ତେ କିଛି ଅର୍ଥ ହିଁ ନଥିଲା ।

ଦୁଃଖମାନଙ୍କୁ ତ ଫେରେଇ ଦେଇଛି

ଅନନ୍ତ ମହାଶୂନ୍ୟକୁ, ଯେଉଁଠାରୁ ତାହା ଆସିଥିଲା ଦିନେ

ପୃଥିବୀ, ଏସିଆ, ଭାରତ ଓ ଶେଷରେ

ଓଡ଼ିଶା ମଧ୍ୟଦେଇ ମୋ ଛାତିର ପାର୍କ ଭିତରକୁ

ଓ ଫୁଲମାନଙ୍କୁ ଝଡ଼ାଇ ଦେଇଥିଲା ନିରୀହ ବୃନ୍ତଗୁଡ଼ିକରୁ ।

ଉକ୍ତ ଦିନମାନଙ୍କରେ ମୋ ହସର ଫୁଲପାଛିଆ

ରେ ଲୁହର କେତେ କାଳକୂଟ ଲୁଚିଥିଲେ ଓ

ଲୁହର ଉପକୂଳରେ

ଭାସୁଥିଲେ କେତେ ହସର ବିଚିତ୍ର ସଫରୀ :

ମନେ ନାହିଁ, ସବୁ

ଭୁଲି ଯାଇଛି । ଓ ଏହା ଏବେ କିପରି ଅବସ୍ଥା କୁହ ତ

ଯେଉଁଠି ସୁଖ ଦୁଃଖ, ହସ କାନ୍ଦର କିଛି ସଂଜ୍ଞା ସୁଦ୍ଧା ନାଇ ।

ଧୈର୍ଯ୍ୟଧର, ଏହି ଉଦାସ ଓ ବାୟବୀୟ

ଭାସମାନ ଅବସ୍ଥାରୁ ତଳକୁ ଓହ୍ଲାଇ ଆସିବା ଏବଂ

ଶାନ୍ତ ଓ ପ୍ରସିଦ୍ଧ ଉଚ୍ଚତାରେ ଅଧିଷ୍ଠିତ ହେବା :

ଖୁଣୀ ରତ୍ନାକର/ ବାଲ୍ମିକିଙ୍କ ତପସ୍ୟା’ଠୁ ମଧ୍ୟ

ବହୁ ବେଶୀ କଷ୍ଟସାଧ୍ୟ କାର୍ଯ୍ୟ ।

ସ୍ଥିର ହୁଅ, ସ୍ୱରଯନ୍ତ୍ର ମୋର ପଠାଇଦେବ ତୁମ

ଦୁଃଖର କାରଣ ବହୁ ନର୍କୀୟ ଶବ୍ଦଙ୍କୁ

ଆଜୀବନ ନିର୍ବାସନ ଦଣ୍ଡସହ ଶୀଘ୍ର

ବିସ୍ମୃତିର ଜନହୀନ କେଉଁ ସୁଦୂର ଦ୍ୱୀପକୁ ।

ଶାନ୍ତ ହୁଅ, ଶୀଘ୍ର ଫେରାଇଦେବି ତୁମକୁ

ଅନିବାର୍ଯ୍ୟ ତୁମର ସମସ୍ତ ସ୍ୱାଧୀନତା

ଓ ମଧ୍ୟାହ୍ନର ଅନ୍ଧାରରେ ବୁଲିବୁଲି ପାଗଳ ମୁଁ

ଖୋଜୁଥିବି ତୁମକୁ ସମଗ୍ର ପୃଥିବୀ ।

Image

 

ଅଜେୟ ଆତଙ୍କର କ୍ଷୁଧାପୁରୁଷ

 

ଯେପରି ପାହାଡ଼ ଉପର ଘୋର ଜଙ୍ଗଲରେ ନିର୍ଜନ

ଅନ୍ଧାର ରାତି । ଜଳପ୍ରପାତ ଭଳି ବିଶ୍ରାମବିହୀନ

ଭାବେ ଡେଇଁ ପଡ଼ୁଅଛି ଅଗଣିତ କ୍ଷୟକ୍ଷତିର

ଭୟପ୍ରଦ ଚେହେରା, ଯାହା ଉପରେ : ରକ୍ତଠୁ ବହଳ ରଂଗ

ଆଲୁଅର ଧାରଟାଏ ପଡ଼ୁଛି ଲିଭୁଛି,

ଟୋପାଏ ଲୁହର ପ୍ରାଚୁର୍ଯ୍ୟ ପାଇଁ ମହର୍ଷି ପରି ତପସ୍ୟା

ର ଇସ୍ପାତ ମହଲ : ଉପରିସ୍ଥ ଅଂଶରୁ ତା’ର

ଖଣ୍ଡ ଖଣ୍ଡ ଭାଙ୍ଗି ଧସି ପଡ଼ୁଅଛି ।

 

ଗୋଟିଏ ଲେଖାଁ ଦୁର୍ଘଟଣାର ଛଂଚାଣ ଝାଂପି ପଡ଼େ :

ନିର୍ଦ୍ଦୟ ଲୋଲୁପ ଆଖି ଓ ନଖରେ ଉଠାଇ ନେଇ

ଝୁଣି ପକାଏ କଅଁଳ ପକ୍ଷୀଟିକୁ,

ମୂଲ୍ୟବାନ୍‌ ଏକ କବିତାର କାରୁକାର୍ଯ୍ୟ ଜଳିଯାଏ ଆକାଶରୁ

ଅଦିନରେ କୁଦି ପଡ଼ୁଥିବା କେଉଁ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରରେ ।

 

ପୃଥିବୀର ସାହିତ୍ୟରେ ଧୀରେ ଧୀରେ ଲକ୍ଷାଧିକ ସାଧରଣ

କବିତାମାନ ସୃଷ୍ଟି ହୋଇ ସାରିବାର ପରେ ଆବିର୍ଭୂତ

ଏକ ଅଦ୍ୱିତୀୟ ଶକ୍ତିଶାଳୀ କବିର କଲମକୁ

ଭାଙ୍ଗି ଦିଆଯାଏ । ନିତାନ୍ତ ଦୟାହୀନ ତା’ର

ଭାଗ୍ୟଲେଖା ଅନୁଯାୟୀ ନିଷ୍ଠୁର କିଏସେ ତାକୁ ବିଷ ଦେଇମାରେ ।

 

ଆମେରିକା ଓ ଋଷିଆଠାରୁ ଲକ୍ଷାଧିକ ଗୁଣରେ ଶକ୍ତିଶାଳୀ

କିଏ ଗୋଟେ ଲୋକ ଯେଉଁ ଆଲୁଅକୁ ଇଚ୍ଛା ତା’ର

ଫୁଙ୍କି ନିଭାଇ ଦିଏ ଓ ହୁଂକାରି

ଅନ୍ଧାରରେ ହୁଁ-ଦୁମ୍‌ କରି ଡେଇଁପଡ଼େ ଅଦୃଶ୍ୟ ଭାବରେ :

ଭୂତପରି । ବିଧା ମାରି ଭାଙ୍ଗି ଚୂନା କରିଦିଏ

ଯେ କୌଣସି ମଣିଷର ପଞ୍ଜରାର ଫ୍ରେମ୍‌, ଅବା ଇଚ୍ଛା ହେଲେ

ଘରଦ୍ୱାର ସହର ବଜାର, ଏବଂ ଏପରିକି ଗ୍ରହ ତଥା

ନକ୍ଷତ୍ରଂକୁ ଧୂଳିପରି ଗୁଣ୍ଡ କରି ଫୁଙ୍କିଦିଏ ମହାଶୂନ୍ୟକୁ ।

ଭୟାନକ ସେ ଜୀବର ତଟକା ରକ୍ତ ପରି ତୀବ୍ର

ଯୋଡ଼ାଏ ଆଖି ଓ

ଛୁରି ପରି ତୀକ୍ଷ୍‌ଣ ବହୁ ନଖର ଗୋପନରୁ

ଭାସି ଆସି ଚରି ଯାଉଥିବା

ନରହଂତା ଅଜସ୍ର ବିଷାକ୍ତ ପବନରେ

ଜଳିଯାଏ ପାପ ପୁଣ୍ୟ, ସାଧୁ ଖଂଟ..........

ବଗ ପରି ଦୁର୍ବଳ ମଣିଷର ଲୁହର ନଈରେ

କାଠି କୁଟା ପରି ଭାସି ଚାଲିଯାଏ

ପ୍ରିୟ ଲୋକ ସମୂହଙ୍କ ଭଂଗା କାଠଭେଳା ।

ତା’ର ହୁହୁ ତୋଡ଼ର ଜଂଜିର

ଚାହୁଁ ଚାହୁଁ ଭିଡ଼ି ନେଇ ଚାଲିଯାଏ ସ୍ୱୟଂଦେଖଣାହାରିର

ମହଳଣ ସ୍ୱପ୍ନର ରକ୍ତାକ୍ତ ମୁର୍ଦ୍ଦାର ।

Image

 

ଏବଂବିଧ ବହୁକଥା

 

ଜହ୍ନପରି ଥଣ୍ଡାରାତି କାନ୍ଦୁଅଛି ଅନୁପମା.......

ମୋର ଅଭିଳଷିତ ସଂକ୍ଷିପ୍ତ ଶାନ୍ତକୁ ଭାଙ୍ଗି

ବରଫର ଝଡ଼ ବର୍ଷା ଜମୁଅଛି ସହରର ଉପକଣ୍ଠ ଅରଣ୍ୟରେ

କିପରି ଜାଣିବୁ ତୁ ଭଂଗାରୁଜା ନାଗାସାକୀ ଦୁଃଖ ମୋର, ଯାହା

ପୃଥିବୀର ଚାରିପଟେ ଅହରହ ପଇଁତ୍ରା ମାରୁଛି,

ବିଷାକ୍ତ କାମନା ମୋର ଦୁର୍ଭାଗ୍ୟର ଚିକାରରେ କ୍ଳିବ ଓ ବିଧ୍ୱସ୍ତ........

ଶ୍ଳଥ ଏକ ଉଦାସ ଦର୍ଶନ ମାଡ଼ିବସି ମୋତେ ଜବର୍ଦ୍ଦସ୍ତ, ଉଡ଼ୁଅଛି

କିପରି ତୁ ଦେଖନ୍ତୁ ଉଡ଼ୁଅଛି ମୋ ଖପୁରି ମଧ୍ୟେ

ଅହରହ, ଅବିଶ୍ରାନ୍ତ । କ୍ରୁଦ୍ଧ ଓ ବିବ୍ରତ ।

ବାସ୍ତହରା ମୁଁ ଦରିଦ୍ର, ଅନୁପମା !

ବରଫର ଝଡ଼ ଆସେ

ମୋ ଦେହରେ ଚିରାକୁର୍ତା, ଛିଣ୍ଡା ପାଇଜାମା ।

ବିବର୍ଣ ଜହ୍ନର ମୁହଁ

ବରଫରଟୁକୁଡ଼ାରେ ହେଉଅଛି ଆହୁରି ଅସ୍ପଷ୍ଟ

ଜହ୍ନକୁ ତୁ ଭଲପାଉ ?

ପଡ଼ିଶା ସହରରେ ସ୍ୱାର୍ଥ ନେଇ ଗଣ୍ଡଗୋଳ ଲାଗିଅଛି

ତୁ କହତ ! କେବେ କି ମୁଁ ସ୍ୱାର୍ଥ ପାଇଁ ଭୋକିଲା ହୋଇଛି ?

ଚିହ୍ନିବାକୁ ମନା କଲେ ଯଦି

ଏ ନଗ୍ରର ମାନସିକ ନିଷ୍କ୍ରିୟ ମଣିଷ ମୋତେ

ତୁ କାହିଁକି କଷ୍ଟକରି

ମୋ ଅସ୍ପଷ୍ଟ ଚିତ୍ରପଟ ଧରି ଧରି ବୁଲୁଅଛି ଚତୁର୍ଦ୍ଦିଗ ?

ଦେଖିବୁ ତୁ କେଉଁପରି ଅଦ୍ୱିତୀୟ ମନ୍ତ୍ର ମୋର

ମୋ ନିଜସ୍ୱ ସହରର

ଆକାଶକୁ ସଫା କରିଦେବ,

ଫେରିଯିବ ଝଡ଼ ବର୍ଷା

ସହରର ଜଳବାୟୁ, ପାଗ ବଦଳିବ ।

 

ଆସନ୍ତାକାଲି ମାଆର ଜଠରରେ ଏବେ ବି ଶୋଇଚି,

ଏବେ ସେ ଅପହଂଚ । ତୋ ସାମ୍ନାରେ ମଳିନ ଆଇନାରେ

ମୋର ଦୁଃସ୍ଥ ବେଶଭୂଷା ଦେଖୁଚୁ ତ ଅନୁପମା !

ତୁ ଦୀର୍ଘାୟୁ ହେଲେ

ମାଗଣାରେ ମୋତେ ପୋଷାକ ମିଳିବ

ବେଶୀ ନୋହୁ

ଛୋଟଏକ ସହରର ଦୁଇଗୋଟା ପୌଷ ଚଳିଯିବ ।

ଅନୁପମା! ଏ ଜନ୍ମରେ ତୁ ମୋ ପାଇଁ ଦେବଦାସୀ

ଅଜ୍ଞାତ ପ୍ରବାସୀ । ସମୁଦ୍ର ହସୁଚି ଦେଖ୍‌

ତୋ ନିମନ୍ତେ ଆସୁଥିବା ବୋଇତର ଶୀର୍ଷ ଦିଶୁଅଛି ।

ସିଲଟର ଭାଷା ପରି ମୋ ସ୍ମୃତିକୁ ଗୁଣ୍ଡ କରି ଫୁଙ୍କି ଉଡ଼ାଇବୁ

ଆଗାମୀ ଜନ୍ମରେ : ମୋ ଉପପ୍ରେମିକା

ହେଲେ ହେବୁ, ନହେଲେ ନୋହିବୁ ।

Image

 

ସଂଦିଗ୍‍ଧ ନିରୁଦ୍ଦେଶ

 

ପ୍ରଥମେ

ଆଲୋକରେ ଦେଖିଥିଲି ତୁମ ମୁହଁ

ଶ୍ୟାମଳ, ଅଥଚ ଉଜ୍ଜଳ ।

ପରରେ

ଅନ୍ଧାରରେ ଦେଖିଲି ସେଇ ମୁହଁ :

ଆଶ୍ଚର୍ଯ୍ୟ ! ଶ୍ୟାମଳ ଅନ୍ଧାରରେ ବି ତୁମର ଶ୍ୟାମଳ ମୁହଁ

ତଥାପି ଉଜ୍ଜଳ

ସ୍ନିଗ୍‌ଧ, କୋମଳ ।

ଏବେ ନିର୍ଦ୍ଦୟ ଓଡ଼ିଶା

ତୁମକୁ କେଉଁଠି ଲୁଚାଇ ରଖିଚି ?

ଅନ୍ଧାରରେ ମୁଁ ଛୁଉଁଚି ତୁମର

ଓଠ, ଯାହା ସୂର୍ଯ୍ୟପରି ଦୂରସ୍ଥ ଓ ସତ୍ୟ

ଆଶାର ସଂକେତ, କିଂତୁ

ମରୀଚିକା ପରି ପ୍ରତାରଣା ଓ ମିଥ୍ୟା ।

ତୁମର ନିର୍ଜନ ଅନୁପସ୍ଥିତି

ଘୋର ମରୁଡ଼ି ହୋଇମାଡ଼ି ଆସୁଚି

ମୋଦେହର ସାଗୁଆ କ୍ଷେତ ଉପରକୁ,

ତଥାପି ତୁମ ଆସିବାର ଅପେକ୍ଷା : କେଉଁଠି ଦୂରରେ

ଖଣ୍ଡେ ମେଘ ଦିଶୁଚି

ମିଳେଇ ଯାଉଚି, ପୁଣି ଜମାଟ ବାନ୍ଧୁଚି ।

ନିର୍ବାସନର ନିଷ୍ଠୁର କବି :

ଆତତାୟୀ । ମତେ ବନାଇ ଦେଇଚି

ଏକ ରକ୍ତାକ୍ତ, ଜଟିଳ ପଦ୍ୟ/ଓ

କିଏ ମତେ ଆବୃତ୍ତି କରୁଚି

ଅନିର୍ଣ୍ଣେୟ ଶୂନ୍ୟର ମଞ୍ଚାରୁ........

ରାତିରେ ଶୋଇଲାବେଳେ

ତୁମକୁ ଧୀରେ ଧୀରେ ତାହା ଶୁଭୁଥିବ ।

ମୋ ଛାତିର କୋଚିଲା ବଣରେ

ଦିକ୍‌ ଦିକ୍‌ ଜଳୁଚି ଗୋଟାଏ ଧୁନି,ତୁମେ

ବୋଧେ ହାତ ବଢ଼ାଉଚ, ପାଉନି ।

ଫେରି ଆସୁଚି ଷ୍ଟେସନକୁ, ଯେଉଁଠି

ଶହ ଶହ ଯାତ୍ରୀଂକ ଗହଳି । ଅଥଚ

ଦେଖୁଚି ପ୍ରତ୍ୟେକ ବଗିରେ ମୂଷାଙ୍କର ନିର୍ଭୟ ଖେଳ ।

ବାଦଲ୍‌ ଭାଇ ଚିଠି ଦେଉନି ଏତେ ଶୀଘ୍ର, ସେ କ୍ଷୁବ୍‌ଧ

ମୋର ନୀରବତାରେ। ରାଜେନ୍ଦ୍ର ବାବୁ ପଚାରୁଛନ୍ତି :

ପ୍ରସନ୍ନ ଏବେ କେଉଁଠାରେ ?

ତୁମେ କୁହ........... ମୁଁ କେଉଁଠି ?

Image

 

ଚନ୍ଦ୍ରିକାର ଜନ୍ମଦିନ

 

ରାକ୍ଷସ ପରି କେତେ ଇସ୍ପାତ ପାଚେରି

ବିସ୍କୁଟ୍‌ ପରି ଭାଙ୍ଗିପକାଇଛି ଓ

ବେହିସାବ୍‌ ପାହାଡ଼ ପର୍ବତ ଗୁଣ୍ଡ କରି

ସମତଳ କରିଦେଇଛି ଭୂମିକଂପ ପରି,

ଶୁଖାଇ ଦେଇଛି କେତେ ନଦୀ, ହ୍ରଦ, ଝର୍ଣା ଓ ସମୁଦ୍ର

ଅଗସ୍ତିଂକ ପରି : କେବଳ ତୁମର ମୋ’ ଗୃହ ପ୍ରବେଶ ପାଇଁ

ବିପୁଳ ଆୟୋଜନ କାର୍ଯ୍ୟ ଏବଂ ସ୍ୱପ୍ନ ଦେଖିବାର

ନୀରବ ଓ ଗୋପନୀୟ ଏକାକୀ କର୍ମ ବ୍ୟସ୍ତତାରେ

ଭୁଲିଯାଇଛି ନିଜ ସିଂହାସନ, ପ୍ରଜାପାଟକ, ଅନ୍ତଃପୁର

ଦାସଦାସୀ, ପାରିଷଦ ଓ ସୁସମୃଦ୍ଧ ରାଜକୋଷ ଆଦି,

ଗୁଡ଼ିଉଡ଼ା ସୂତା ପରି ଛିଣ୍ଡାଇ ଦେଇଛି ସଂପର୍କ ସବୁଠାରୁ :

ପିତାମାତା, ମାନନୀୟ ଗୁରୁଜନ ଏବଂ

ସଂପର୍କୀୟ ବହୁଲୋକ, ବନ୍ଧୁବର୍ଗ, ଉପଦେଷ୍ଟା, ଶୁଭେଚ୍ଛୁମଣ୍ଡଳୀ ।

ତୁମ ଜନ୍ମଦିନ : କେଉଁ ଅଜ୍ଞ ଅଂଧତାର ଅଂଧକାରେ

ତୁମକୁ ମୋ ସାମୟିକ ନିର୍ବାସନ : ତଜ୍ଜନିତ

ତୁମର ଦୁଇବିନ୍ଦୁ ଲୁହକୁ ମୋ ଅପରାଧି ପାପୁଲିରେ

ବିନୀତ ସ୍ୱୀକାରୋକ୍ତି ସହ ପୋଛି ଆଣିବାର ଦିନ ।

ତୁମ ଜନ୍ମଦିନ : ମୋର ଭିତ୍ତିହୀନ ନିଷ୍ଠୁର କ୍ରୋଧରେ

ତୁମର ଆହତ ଓ ଅବନିତ ନିଷ୍ପାପ ମୁହଁକୁ

କ୍ଷମାପ୍ରାର୍ଥୀ ଆଂଜୁଳାରେ ମୋର ତୋଳି ଧରିବାର ଦିନ ।

ରାସ୍ତା କେତେ ଭଂଗାରୁଜା, ବିଭକ୍ତ ଓ ଆପଦଶଂକୁଳ ଦେଖ

ଚନ୍ଦ୍ରିକା, କ୍ଷମାମୟ ତୁମର ଉଦାର ହାତରେ

ପାପ ଓ ଭ୍ରାନ୍ତିର ଆବର୍ଜନାରୁ ମୋତେ

ଉଠାଇ ଆଣ ଯତ୍ନ କରି, ତୁମର ନିର୍ଦ୍ଦୋଷ ପାପୁଲିରେ

ପୋଛିଦିଅ ମୋର ଲଜ୍ଜିତ ନିର୍ବୋଧତା ଓ ବିକୃତ କଳଂକ/ମତେ

କ୍ରମେ ଆଉଜାଇ ନେଇ ଆଶ୍ରୟ ଦିଅ ତୁମ

ପୁଣ୍ୟମୟ କୋଳର ସୁସମୃଦ୍ଧ ନିର୍ଭୟ ଶେଯରେ ।

Image

 

ଅନ୍ୟ ଚର୍ଯ୍ୟାର ଜୀବ

 

ଏତେକାଳ ଧରି ଯାହା ଖୋଜୁଥିଲି, ଆଜି

ତାହା ପାଇଗଲି— ଏପରି ଭାବିଲାବେଳେ ଥରେ ଥରେ

କାହାର ସୁଦୂରାଗତ ତୀବ୍ର ବର୍ଚ୍ଛା । ଆସି

କଲିଜାରୁ ରକ୍ତ ମାଗେ, କେଉଁଠୁ କ୍ଷେପିତ

ବିଶାଳ ପ୍ରସ୍ତରାସ୍ତ୍ର ପଂଜରା ଭାଙ୍ଗି ହାଡ଼ ନେଇଯାଏ, ଓ

ନାସାରନ୍ଧ୍ରର ଦୁଇ ଝର୍କାରେ କିଏ

ହଠାତ୍‌ ହାତ ପ୍ରସାରି ଛିଡ଼ାହୋଇ ଅମ୍ଳଜାନ ରୋକେ ।

ମୁଁ ଅତ୍ୟନ୍ତ ଅସହାୟ ସୁଦୀର୍ଘଜୀବନକାମୀ

ଓଡ଼ିଆ ଯୁବକ ମୋର

ଯତ୍‌ ସାମାନ୍ୟ ଆୟୁ ଚୋରି କରେ, ମାଂସରୁ ରକ୍ତ ଚିପୁଡ଼ି ମତେ

ନିର୍ଜନ ନଈପଠାରେ ଗଡ଼େଇ ଦିଏ ବିଡ଼ାଏ

ଦାନ୍ତକାଠି ପରି, ସାଂଧ୍ୟୋତ୍ତର

ସମୟରେ ଶିଆଳ ଓ ଗଧିଆଂକ ଭୟାନକ ଦାନ୍ତର

କଞ୍ଚାରକ୍ତରେ ଲାଲ୍‌ ଗଇନ୍ତି ନିମନ୍ତେ ।

ଏହିପରି ସେ ଘୋର ଜୀବ ମୃତ୍ୟୁରେ ଅରାଜି

ପରାର୍ଦ୍ଧ ପରାର୍ଦ୍ଧ ଲୋକଂକୁ ବଞ୍ଚିବାପାଇଁ

ମନା କରିଦିଏ, ବାଧ୍ୟ କରି

ଜୀଅନ୍ତା ମଣିଷକୁ ମୂର୍ଦ୍ଦାର ବନାଏ ।

ହଠାତ୍‌ କିଏସେ ଆସି ତୁମକୁ ବାଧ୍ୟକରେ ଯେ ତୁମେ

ଭୁଲିଯାଅ ଘରଦ୍ୱାର, ମୋ ଆଖିର

ପାଗଳ ଈଶ୍ୱର । ବାଧ୍ୟ କରେ, କିଏ ସେ ?

ତାହା ତୁମର ପ୍ରତ୍ୟାଖ୍ୟାନ ନୁହେ, ତୁମର ପ୍ରେମ,

ଜାଣେ, ତୁମର ଘୃଣା ନୁହେ ତୁମର ଗ୍ରହଣ /

ତୁମର ସଂଦେହ ନୁହେ, ତୁମର ସମର୍ପଣ । ଅଥଚ

ଅଲୌକିକ ପୈଶାଚିକତାରେ,

ଭୌତିକ ନିର୍ଦ୍ଦୟତାରେ : ମୁହୂର୍ତ୍ତକପାଇଁ କି ଆସୁରିକ ଦିଶେ

ତା’ର ମୁହଁ/ ଗିରିପଥ ପରି ତା’ର ଦାନ୍ତଫାଙ୍କରେ

ଚିପିହୋଇ ରହି ତମେ

ଅସ୍ତ୍ର ପରି କ୍ରୋଧରେ ଦୂରକୁ ଫିଙ୍ଗିଦିଅ ମତେ :

ଦେଖ ! ଦେଖୁଚ ? ଦେଖିଚ :

ବୁମେରାଂ ପରି ପୁଣିତ ଲେଉଟି ଆସେ ତୁମରି କୋଳକୁ ।

କୌଣସି ବି ମୁହୂର୍ତ୍ତ ଉଲ୍ଲାସର ନୁହେ, ନୁହେ ବିଷାଦର । ସବୁ

କେବଳ ପରିବର୍ତ୍ତନଶୀଳ

ଭିନ୍ନ ଭିନ୍ନ ଅନୁଭବ । ତୁମର

ମାତ୍ର ଗୋଟିଏ ସୁଦ୍ଧା ଅନାଗ୍ରହ ଘୋର

ଆଶ୍ଚର୍ଯ୍ୟ କରିଦିଏ, ଆୟୁଷରୁ

ସଂପୂର୍ଣ୍ଣ ଗୋଟିଏ ଦିନ ଦୁଃଖାନ୍ତ ବିସ୍ଫୋରଣରେ ଭାଙ୍ଗି

ମାଟି କରିଦିଏ । ଗଭୀର ବିସ୍ମୟରେ ବୁଡ଼ି

ଅଣନିଃଶ୍ୱାସୀ ହୁଏ ତୁମର ଅସ୍ୱାଭାବିକତାରେ, କିଂତୁ

ଅନୁଭବି ପାରେନି ଆଦୌ :

ତୁମ ସ୍ନେହ ସମ୍ବନ୍ଧରେ ସଂଦିଗ୍‌ଧ ହୁଏ କି ହୁଏନି !

ପ୍ରଚଣ୍ଡ ପବନ ବହେ ତୁମର

ଅନ୍ୟମନସ୍କ ଅନାସକ୍ତିରେ,

ଆଖିର ଗଛ ମୋର ଝୁଂକିଯାଏ, ସବିତପାଣି ଟୋପା ଟୋପା

ଝରିପଡ଼େ ଆନ୍ଦୋଳିତ

ପତ୍ରଗହଳିରୁ ନିଃଶବ୍ଦ ଶବ୍ଦରେ

ନିଶାନ୍ତର ପୁଷ୍ପପତନ ପରି ତୁମର ପ୍ରବୋଧନାର ଭୂଇଁରେ :

ତୁମେ ଦେଖି ପାରନି, ଖାଲି ପବନର ଶବ୍ଦ ଶୁଣ ଓ

ଆତଂକିତା ହୁଅ । ମୋର ଆଶ୍ୱାସନା ତ

ଯଥେଷ୍ଟ ହବାର କଥା, ହୁଏ ।

ବେଳେବେଳେ

କେଉଁ ଅଦୃଶ୍ୟ ସିଡ଼ିରେ ମୁଁ ଚଢ଼ିଯାଏ ଆକାଶକୁ

ଅନଭିଜ୍ଞ ହାତରେ ମୋର ପେଲି ପେଲି ମେଘ ସଫା କରେ । ଓ

ସୂର୍ଯ୍ୟର ପହ୍ନାରୁ ଦୁହିଁଦିଏ କେରାଏ ଆଲୁଅର କ୍ଷୀର :

ଠିକ୍‌ ତୁମରି ମୁହଁରେ ପକାଏ, ତୁମରି ମୁହଁରେ ।

ଓହ୍ଲାଇ ଆସେ,

ପବିତ୍ର ଲୁହରେ ମୋର ଧୋଇଦିଏ ତୁମ ମିଳନ ମୁହଁ ଓ

ଅଦ୍ଭୁତ ଗୋଟେ ଛୋଟ ହସର ରୁମାଲରେ ପୋଛିଦିଏ ଆସ୍ତେ ।

କ୍ରମଶଃ.........ତମ ଉଜ୍ଜଳ ମୁହଁ ତମେ ଦେଖ :

ମୋ ମୁହଁରେ ଅନ୍ଧାର : ତାହା ଏକ ଦର୍ପଣ ।

ଭାବୁଚି— ଏକ ବୃହତ୍‌ ଗୋଲ ଆଖି: ତା’ ଭିତରେ

ତୁମକୁ ନେଇ ବସେଇଚି, ଅନ୍ଧାରରେ

ପାଖରେ ବସିଚି ।

Image

 

ସୁଦୂର ଅନ୍ଧାର

 

ଯେତେ ଚେଷ୍ଟାକର ତମେ ନ’ଦେଖିବା ପାଇଁ ପଛେ

ବିଚିତ୍ର ନୁହ ଏହା : ଯେ

କଦାଚିତ୍‌ ତୁମ ଆଖିଡ଼ୋଳା ଘୂରିଯିବ ଯଥାକ୍ରମେ

କପ୍‌ ବୋର୍ଡ଼, ସ୍କାଇ ଲାଇଟ୍‌, ସୁଟ୍‌କେଶ୍‌, ହାଂଗର୍‌, ପଂଖାର

ରେଗୁଲେଟର୍‌, ଝର୍କାରେଲିଂ, ପେନ୍‌ଷ୍ଟାଣ୍ଡ୍‌, ପେପର୍‌ ୱେଟ୍‌

କ୍ୟାଲେଣ୍ଡର୍‌, କାର୍ପେଟ୍‌, ଟ୍ରାଂଜିଷ୍ଟର, ଟର୍ଚ୍ଚ ଲାଇଟ୍‌

ଟୁଥ୍‌ ବ୍ରଶ୍‌, ଟାଉୱେଲ୍, ମଶିଣା ଓ ମଫ୍ଲର.......... ଆହୁରି

ଅନେକ ଦିଗକୁ, ଯେପରି : ଗଳିକଂଦି ବୁଲୁଥିବା ଗୋଟେ

ଜିପ୍‌ର ଷ୍ଟିଅରିଂ ।

ଏବଂ ପ୍ରତ୍ୟେକ ସ୍ଥାନରେ ଦେଖିବ ତମେ, ମଣିବନ୍ଧୁଠୁ’ ସମ୍ମୁଖକୁ

ଦୃଶ୍ୟମାନ ହେଉଥିବା ଏକ କାଳିଆ ହାତର ପିସ୍ତଲ

ତୁମ କପାଳ ଦିଗକୁ ମୁହଁ କରିଅଛି । ସ୍ୱାଭାବିକ ତୁମର ଏଠାରେ

ଭୟଭୀତ ହେବା କିଂତୁ ବନ୍ଧୁକର କାର୍ତୁସ୍‌ ଫୁଟିବା

ର ଲକ୍ଷଣମୋଟେ ହେଲେ ଦେଖାଯିବ ନାହିଁ ଏବଂ

କିଛିକାଳ ଅତୀତ ହୁଅନ୍ତେ ଦୃଶ୍ୟ ନିଶ୍ଚେ ଅନ୍ତର୍ହିତ ହେବ ।

କେଉଁ ଦାମୀ ସ୍ୱପ୍ନର ମୋହ

ରେ ଚନ୍ଦ୍ରିକା ! ହଠାତ୍‌ ଆସି ପହଂଚିଯାଏ ଓ

ପାଠପଢ଼ା ଟେବୁଲ୍‌ରୁ ମତେ ବାରଂବାର ଫିଙ୍ଗିଦିଏ

ରାସ୍ତାକଡ଼ ପାନ ଦୋକାନକୁ,

ମର୍ମନ୍ତୁଦ କେଉଁ ଆାଶଙ୍କାର ଇଡ଼ି ଯାଉଥିବା କୋହ, ଚନ୍ଦ୍ରିକା !

ଅଧାସିନେମାରୁ ମତେ ହାତ ଧରି ଭିଡ଼ିଆଣେ ବାହାରକୁ

କନ୍ଦାଇ କନ୍ଦାଇ କନ୍ଦାଇ କନ୍ଦାଇ

ଫେରାଇ ଦିଏ ମତେନାଁ ଗୋପବନ୍ଧୁ ବାଗ୍‌କୁ ନାଁ

ଖାନ୍‌ ନଗର ନିର୍ଜନ ନଈକୂଳକୁ ନାଁ ବାପାଙ୍କର

ସର୍କାରି କୋଠିକୁ । ଆସନ୍ତା ଦିନର

କେଉଁ ସମୃଦ୍ଧ ଯୋଜନାର ନିର୍ମାଣ କଳାରେ

ଅନିପୁଣ ହାତ ମୋର ପରାସ୍ତ ସାମର୍ଥ୍ୟରେ

ହାର୍‌ମାନି କାନ୍ଦି ଉଠେ ଶିଶୁ ପରି :ତତେ ସବୁ ଜଣା ।

ବାଳକାଟି ଗ୍ରାମ ବାଉରିସାହିର

ଜ୍ଞାତି ପରିଜନହୀନ ଅରକ୍ଷିତା ତରୁଣୀ ବିଧବା

ଜହ୍ନ ଦେଈ, ତେଲେଂଗାପେଣ୍ଠର ବାପ-ମା’ ଛେଉଣ୍ଡ ମାତ୍ର

ବାର ବର୍ଷ ବୟସର ବାବୁରା ଓ ଷ୍ଟେସନ୍‌ ବଜାର

ର ଏକମାତ୍ର ପୁତ୍ରଦ୍ୱାରା ବିତାଡ଼ିତ ବିପତ୍ନୀକ ଅଶୀବର୍ଷ

ବୟସର ରୁଗ୍‌ଣ ଓ ଏକ୍‌ ଦମ୍‌ ଏକାକୀ ବୃଦ୍ଧ କପିଳା ବାରିକ

ପରି ଓଡ଼ିଶାର ଅନ୍ୟତମ ଅତି

ଦୁଃଖି ଲୋକ ମୁହଁ, ଚନ୍ଦ୍ରିକା ! ମୋ ସମୃଦ୍ଧ ଭବିଷ୍ୟତ :

ଏଭେରେଷ୍ଟ୍‌ ଶୀର୍ଷସ୍ଥ ଏକ ଧଳା ଭାଲୁ ଛୁଆ ।

ଚଣ୍ଡୀ ମନ୍ଦିର । ଓ ସେଠିପ୍ରତ୍ୟେକ ସଂଧ୍ୟାରେ

ଝୁଣା ଓ ଧୂପାଦିର ସମ୍ମୋହକ ବାସ୍ନା ଗହଳିରେ

କାହାର ଦୁଇଗୋଟି ବିନୀତ ଓ ନମ୍ର ହାତ ଉଠିଯାଏ ଉପରକୁ

ତିନିଗୋଟି ଗମ୍ଭୀର ଘଣ୍ଟାଧ୍ୱନି ଶୁଭେ ଓ ତା’ପରେ

ଚଟାଣରୁ ଉଠିଆସେ ପାଲିଂକି ବା କଫିନ୍‌ ଉଠିବା ପରି

ଧୀରେ ଧୀରେ ଗୋଟିଏ ଅବଶ ଦେହ, ଯେଉଁ ଦେହ ଖଂଜା

ଅଚଞ୍ଚଳ ଦି’ ଆଖିରେ ଦୁଇଗୋଟି ଧାର : ତାହା ନିଶ୍ଚେ ମୋର ।

Image

 

ମହାଶୟ

 

ଓଡ଼ିଶା ବା ଭାରତ ବା ହିନ୍ଦୀସ୍ଥାନ

ଆପଣଙ୍କ ଜନ୍ମସ୍ଥାନ । ମହାଶୟ !

ଆପଣ ଜାଣନ୍ତି ନିଶ୍ଚେ : ସକାଳ ପରି ନିର୍ବିକାର ଓ

କର୍ତ୍ତବ୍ୟନିଷ୍ଠ ଜଣେ ହେଲେ ଲୋକ ଆଦୌ

ନାହିଁ ଏହି ସମଗ୍ର ଦେଶରେ ।

ବିଳମ୍ବିତ ରାତ୍ରିର ବିକ୍ଷୁବ୍‌ଧ ନିଦ ହେଉ କିମ୍ବା

ସ୍ୱାସ୍ଥ୍ୟବାନ୍‌ ନିଦରେ ପ୍ରସିଦ୍ଧ ସ୍ୱପ୍ନଥାଉ :

ସକାଳ ନାମକ ଉକ୍ତ ସ୍ଥୂଳତଃ ଅଦୃଶ୍ୟ ଓ

ସମ୍ଭବତଃ ଈଶ୍ୱରଙ୍କ ଅବେତନ ଭୋଗୀ ଅତି

ବିଶ୍ୱସ୍ତ ଲୋକଟ, ଯିଏ

ଆପଣଙ୍କ ବ୍ୟକ୍ତିଗତ ଚିହ୍ନା ନୁହେ । କ୍ଷୁଦ୍ରତମ ସ୍ୱାର୍ଥ ତା’ର

ନାହିଁ ଆଦୌ ଆପଣଙ୍କଠାରେ, ଆସେ ।

ଆସେ ଏବଂ ଝର୍କା ଦେଇ, ଝର୍କା ଯଦି ବନ୍ଦ ଥାଏ

ସ୍କାଇଲାଇଟ୍‌ ଫାଙ୍କ ଦେଇ ହାତଟିଏ ବଢ଼ାଏ ଓ ନିର୍ବାତ

ପୋଖରୀର ସ୍ଥିର ପାଣି ପରି ଆପଣଙ୍କର ନିଦ୍ରିତ

ଦେହକୁ ଚହଲାଇ ଦିଏ । ମହାଶୟ,

ଆଉ କେହି ଜାଣନ୍ତୁ ବା ନ’ଜାଣନ୍ତୁ ମୁଁ ଅନ୍ତତଃ

ଜାଣିଅଛି ସରଳ ଭାବରେ, ଯେ ଆପଣଙ୍କ ଶଯ୍ୟାତାଗ ଅଯଥାରେ

ଦେଢ଼ଘଣ୍ଟା ବିଳମ୍ବିତ ହୁଏ । ଅଫିସ୍‌ ତ ପ୍ରମୋଦ ଉଦ୍ୟାନ, ସେଠୁ

କୌତୁକରେ ଅପରାହ୍ନେ ଫେରନ୍ତି ଘରକୁ । ତା’ ଉତ୍ତାରେ ସଂଧ୍ୟାବେଳେ

ଷ୍ଟେସନ’ଠି ବୀରଭାଇ ଚାହା ଦୋକାନରେ

ପାଞ୍ଚଜଣ ବନ୍ଧୁଙ୍କୁ ଭେଟନ୍ତି : ମହାନ୍ତି ବା ମିଶ୍ରର କବିତା ଚମତ୍କାର

ଗପନ୍ତି ଆପଣ ଏବଂ

ମହାନ୍ତି ଓ ମିଶ୍ରମାନେ ଆପଣଙ୍କ

ଗଳ୍ପାଦିର ଉଚ୍ଚ୍ୱସିତ ପ୍ରଶଂସା କରନ୍ତି ।

ଆପଣ ଜାଣନ୍ତି ନିଶ୍ଚେ, ମହାଶୟ !

ସୂର୍ଯ୍ୟପରି ସତ୍ୟବାଦୀ ପରିଶ୍ରମୀ ଜଣେ ହେଲେ ଲୋକ ଜମା

ନାହିଁ ଏହି ସମଗ୍ର ଖଣ୍ଡରେ । [ପୁରାଣ କଥା ଉଠାନ୍ତୁନି । ସେଗୁଡ଼ାକ

ବିରାଟ ଗୁଲି । ଡାହା ମିଛ ।] ଆଉ କେହି ଜାଣୁ ବା ନଜାଣୁ

ମୁଁ ଜାଣିଛି ଛାୟାହୀନ ମଧ୍ୟାହ୍ନର ସୂର୍ଯ୍ୟାଲୋକ ପରି

ପରିଚ୍ଛନ୍ନ ଭାବରେ ଯେ : ଜୀବନର ପେଭ୍‌ମେଣ୍ଟ୍‌ରେ ଚାଲି ଯାଉ ଯାଉ :

ଆତ୍ମାର ପ୍ରତ୍ୟେକ ରେଣୁ ପ୍ରତିସ୍ନାୟୁ ରକ୍ତ କଣିକାରେ ଆପଣଙ୍କୁ

ପ୍ରଗାଢ଼ ସୁଖ ପାଉଥିବା ଆପଣଙ୍କ ସ୍ନେହମୟୀ ପ୍ରେମିକା ତନ୍ୱୀକୁ

କିପରି ଅଧର୍ମରେ ବାରଂବାର ପେଲି ପକାଇ ଦିଅନ୍ତି ଆପଣ

ପଥପାର୍ଶ୍ୱରେ ଥିବା

ପ୍ରତାରଣାର ବିନଷ୍ଟ ଓ ପଚମନ ଦୁର୍ଗଂଧିତ ନର୍ଦ୍ଦମା ମଧ୍ୟକୁ ।୩୬

ବିସ୍ମିତ ଓ ଭୟାର୍ତ ହୁଅନ୍ତୁ ଏବେ ମହାଶୟ

ଦେଖିଛି ମୁଁ : ସହରର ଅପେକ୍ଷାକୃତ ସେହି ନିର୍ଜନ ଅଂଶସ୍ଥ

ବୃକ୍ଷଲତା ଆଚ୍ଛାଦିତ ଅଚେତ ପଡ଼ାର, ଆପାତତଃ

ଗୁପ୍ତ ଏକ କୋଠରିରେ ବହୁ ବେଶିବାର/କିପରି ଆପଣ

ପ୍ରଗଳ୍‌ଭା ସେ ଝିଅସହ ମାତିଥିଲେ ଉନ୍ମତ୍ତ ପ୍ରୀତିରେ;

ରଖିଛି ସଂବାଦ : ଆପଣଙ୍କ

ପାପଗ୍ରସ୍ତ ଦେହର ଏକ ଗୋପନ ସ୍ଥାନରେ

ବାରଲକ୍ଷ ଜୀବାଣୁଙ୍କ ବାସସ୍ଥାନ ନିର୍ମାଣରେ, ବ୍ୟସ୍ତ ଓ କର୍ମରତ

ସମୟ ନାମକ ବହୁ ପରିଚିତ

ମିସ୍ତ୍ରୀ ।

ରାତ୍ରିପରି ବହୁରୂପୀ ମନୁଷ୍ୟ ଅନେକ, ଭାରତ ନାମକ

ଏହି ଉପଦ୍ୱୀପ ସାରା

ଏଣେ ତେଣେ ବାସ କରୁଥିବେ— ଏପରି ଆଶଙ୍କା

ର ଅବକାଶ ସୁସ୍ଥ ଓ ସମ୍ୟକ ଭାବେ ରହିଅଛି ବୋଲି

ମହାଶୟ ! ସ୍ୱୀକାର କରିବେ ଭାବୁଚି ଆପଣ ନିଶ୍ଚୟ।

ଜଣେ ଅତି ସଫଳଲେଖକ ଏବଂ

ଶିକ୍ଷିତ ଚରିତ୍ରବାନ୍ ଦୟାବନ୍ତ ଖୁବ୍ ଭଦ୍ରଲୋକ

ଭାବେ ପରିଚିତ ଆପଣ ଏ ସମାଜ ସାମ୍ନାରେ !

[ଆପଣଙ୍କର ଏହା ଦୃଢ଼ ଧାରଣା ଓ ବିଶ୍ୱାସ । ହେଃ.........]

ମନେଅଛି ମୋର : କଲୋନିର ଶେଷାଂଶରୁ ପାଏ ବାଟ ଦୂର

ବଣୁଆ ବୁଦାପୂର୍ଣ ଖାଲୁଆ ଅଞ୍ଚଳ, ସେଠି

ବହୁବିଧ ଗଛଗହଳିରେ ଆଉଜି ରହିଚି ଯେଉଁ

ଚାଳି ଖଣ୍ଡେ— ଚାହା ଜଳଖିଆର ଦୋକାନ, ରାତି ଅଧେ

ସେହିଠାରେ ନ’ଥର : ବହୁ କୁଣ୍ଠା ଅଶ୍ୱସ୍ତି ଓ ଅନୁତାପ ସହ ଆଜ୍ଞା

ଆପଣଙ୍କ ଯାହା କିଛି ଅନ୍ୟ କାର୍ଯ୍ୟକ୍ରମ ।

ଆପଣଙ୍କ ସତୀ ଏବଂ ରୂପବତୀ

ଧର୍ମପତ୍ନୀ ଏତେ ଦିନ ପରେ

ଗର୍ଭବତୀ ହେଲେ, [ଆହା କି ଆନନ୍ଦ ଆଜି

ଭଦ୍ର ମହିଳାଂକ !] ଚାକିରିରେ ପଦୋନ୍ନତି, ଦରମା ବଢ଼ିଲା,

ଆଉ ଖଣ୍ଡେ ନୂଆ ବହି ଏଇ ଏବେ ପ୍ରକାଶ ପାଇଲା । ମହାଶୟ !

ବର୍ତ୍ତମାନ ଆପଣଙ୍କ ସବୁ କିଛିଭଲ । ଆନନ୍ଦ ଆପଣ ।

ଫିଲ୍ମ ଦେଖା ପିକ୍‌ନିକ୍‌ ଖିଆପିଆ ମଉଜ ମଜାକ୍‌ :ଆପଣଙ୍କ

ଦିନ ସବୁ ବିତୁଅଛି ଏବଂ ବିଧ ଆମୋଦରେ ଏବେ, ବିତୁଅଛି

ସେମାନଂକ ସହ : ଆପଣଙ୍କ ପାଂଚଜଣ ବନ୍ଧୁ/ମିତ୍ର

ମହାନ୍ତି, ଦାସ ଓ ମିଶ୍ର, ରଥ,ମହାପାତ୍ର ।

ମହାଶୟ !

ତିରିଶୋତ୍ତର ବୟସର ପ୍ରଲମ୍ୱ ରାସ୍ତାରେ, ଆପଣ କେବଳ

ସମୁଦାୟ ଛ’ଷଠିଟି ପଇସା ଓ ଦେଢ଼ପା’ ଚାଉଳ

ଭିକାରି ର ଲୁହଭର୍ତ୍ତି ଟିଣକୁ ଫୋପାଡ଼ିଛନ୍ତି । ଅତ୍ୟଳ୍ପ ସଂଖ୍ୟକ

ଥର ଦେବାଳୟ ଯାଇଛନ୍ତି :

ପାପ-ପୁଣ୍ୟ ସ୍ୱାର୍ଥାଦିର ଆଦିମ ଜନ୍ତୁରେ ଚଢ଼ି ।

ମହାକାଳର ବିପୁଳ ବ୍ୟାପ୍ତିରେ ଗୋଟିଏ ବିନ୍ଦୁଠାରୁ ମଧ୍ୟ

ମାମୁଲି ସ୍ଥିତିର : ଆପଣଙ୍କ ଏ ଜୀବନ, ମହାଶୟ !

ଅନୁତପ୍ତ ହୁଅନ୍ତୁ ଏଥର

ପାପ ତାପ ନାନବିଧ ଦୁଷ୍କର୍ମର ଯେଉଁସବୁ ଉଚ୍ଚ କୋଠାବାଡ଼ି

ତୋଳିଗଲେ ଏ ଦେଶର ପାଖାପାଖି କେତେଗୁଡ଼େ ଗୋପନ ସ୍ଥାନରେ

ଆପଣ; ପରିଚିତ ଚୋର ଭଳି ଛଦ୍ମବେଶରେ,

ଆପଣଙ୍କ ମୃତ୍ୟୁପରେ ନିଶ୍ଚୟ କ୍ରମଶଃ

ସେ ସବୁର ଆକାଂକ୍ଷିତ ଉଦ୍‌ଘାଟନୋତ୍ସବ

ପାଳିତ ହେବ

ଓ ଯେଉଁଥିରେ ଯୋଗଦେବେ

ଓଡ଼ିଶା ବା ଭାରତର ଅନେକ ମନୁଷ୍ୟ, ଏବଂ

ଆପଣଙ୍କ ଜୀବନର ନିର୍ଭୁଲ୍‌ ମାନଚିତ୍ର

ଚାହୁଁ ଚାହୁଁ ସବୁଯାକ ବିକ୍ରି ହୋଇଯିବ ।

ଗତ ଡିସେମ୍ବର ମାସ ଶେଷ ସପ୍ତାହରେ :

ମନେଥିବ ମହାଶୟ, ରାତି ପ୍ରାୟ ସାଢ଼େ ଆଠଟାରେ

ଯେଉଁ ବାଜେ

ରାସ୍ତା ଦୁର୍ଘଟଣାଟା ଘଟିଗଲା, କ୍ଷମାଦେବେ, ଧରନ୍ତୁ ସେଠାରେ

ଆପଣଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଥାନ୍ତା, [ଆମେ ସମସ୍ତେ

ମରିବା ଦିନେ ।]

ପ୍ରେତ ହୋଇ ଦେଖନ୍ତେ ଆପଣ :

ହୁଏତ ତା’ପରଦିନ ରାତି ନଅ ପରେ

ସହରର ନିର୍ଦ୍ଦିଷ୍ଟ ବା ଏକାଧିକ ସିନେମା ଗୃହରେ

ପାଞ୍ଚଗୋଟି ଅବାଞ୍ଛିତ ଟିକେଟ୍‌ ବିକ୍ରି ହୋଇଥିବ । ମହାଶୟ !

ତାହା ଆଉ କିଛି ନୁହ : ଆପଣଙ୍କ ଅତି ପ୍ରିୟ ଓ ପବିତ୍ର

ଓଡ଼ିଶାର

ମାନଚିତ ।

Image

 

ସଂଦିଗ୍‌ଧ ବାର୍ଦ୍ଧକ୍ୟ

 

ମୋର ନିଶାଚର ଅସ୍ତିତ୍ୱ ଅତି କମ୍‌ରେ ଜଣକୁ ହେଲେ ବି

ଏବେ ଆଉ ଅସ୍ତବ୍ୟସ୍ତ କରୁନି । ଦୁଇଟା କ୍ଳାନ୍ତ ଆତ୍ମା ଉପରେ

କୁହୁଡ଼ିର ବର୍ଷା

ବରଫ ପରି ଜମାଟ ବାଂଧୁଚି ଏବଂ

ସ୍ନାୟୁର ସହର ଭୁଷୁଡ଼ି ପଡ଼ୁଛି ହିରୋସୀମା ପରି ।

ପାଦରେ ଇଥରୀୟ ସ୍କେଟ୍‌ ପିନ୍ଧି ପୃଥିବୀରୁ ମଙ୍ଗଳ ଓ

ମଙ୍ଗଳରୁ ବୃହସ୍ପତ୍ତିକୁ ଉଡ଼ି ବୁଲି

ମୁଁ ସହଜରେ ବହୁକଥା ବିସ୍ମୃତ ହେଉଛି ।

କାହାର ଦୀର୍ଘସ୍ଥାୟୀ ହସରେ ଉତ୍ତର ଦିଗରେ

ଆରଣ୍ୟକ ପୁଷ୍ପୋଦ୍ୟାନ ଜଳିଯାଏ,

ଆଫ୍ରିକାର ଘଞ୍ଚ ବନୁ ଡିନୋସର୍ ଏବଂ

ବ୍ରାଣ୍ଟୋତିରିୟମ୍‌ ପରି ଭୟଙ୍କର ଜନ୍ତୁଙ୍କର ଗର୍ଜନର ଶବ୍ଦ ଶୁଭେ !

ପୁଷ୍କରିଣୀ ପାହାଚରେ

ଫେରିବାର ପଦଚିହ୍ନ ନାହିଁ । ଚନ୍ଦ୍ରସେଣାର କବାଟରେ

ମୁଣ୍ଡ ପିଟି ପିଟି ରକ୍ତାକ୍ତହେବାରେ କି’ଲାଜ ?

ଗଂଗାଙ୍କର ସର୍ତ୍ତରକ୍ଷା କରିବାକୁ

ଶାଂତନୁ କାହିଁକି ଅବା କୁଣ୍ଠିତ ହୁଅନ୍ତେ ?

ତଥାପି ସଂଦିଗ୍‌ଧ ଆତ୍ମା........ ପାଂଚାଳୀ ଥରଟେ ଖାଲି

କହି ଦେଉ : କର୍ଣ୍ଣଂକୁ ସେ ଭଲପାଏ ବୋଲି ।

କର୍ଣ୍ଣର ଶେଷ ଦିନଟି ଆଉ ଅବା କେତେ ଦୂର ?

ମୁଁ ବି ଏଠି କାଚପରି ଭାଂଗୁ ଭାଂଗୁ ଭୁଲିଗଲ :

ଅବକ୍ଷୟର ଲକ୍ଷ ଲକ୍ଷ

ପରାଙ୍ଗପୁଷ୍ଟ ଜୀବାଣୁଙ୍କ ମୋ’ ଆତ୍ମାକୁ ଡରାଇବା କଥା,

ବୋଧେ ଭଲ ହେଲା । ବାହାଘର ସଲଟଣରେ

ମୁଣ୍ଡରେ ଲାଇଟ୍‌ ବୋହିଥିବା ଲୋକଟି ପରି

ଅନ୍ଧାରରେ ଥାଇ ଆଲୋକ ଦେଖିଲି, ଦୋ’ତାଲା ଛାତର

ପାରାପେଟ୍‌ ଉପରୁ ତଳକୁ ଚାହିଁଲି, ଦୋ’ତାଲା ଛାତର

ପାରାପେଟ୍‌ ଉପରୁ ତଳକୁ ଚାହିଁଲି ଝୁଙ୍କିପଡ଼ି :

ଆଖି ଲୁହରେ ହାରିଗଲି ।

କେଉଁ ରାଜକୀୟ ନିର୍ଜନ ଦୁର୍ଗରେ

ଟକ୍‌ ଟକ୍‌ ଭାତପରି ଫୁଟୁଥିବା ତତଲା ବୟସ

ମୋ ପିଠିରେ ସବାର୍‌ ସାଜିଥିଲା ଦିନେ,

ସଂଯତ ଉତ୍ତେଜନାର ମୁଲାୟମ୍‌ ସୁରା

ଉଦ୍‌ବାର୍ଯ୍ୟ ହୋଇ ଉଠିଥିଲା, ଏବଂ ଅମରପୋଈ ପରି

ଏକ ଇରୋଟିକ୍‌ ସମଗ୍ରତାରେ

ରୂପସୀ ପ୍ରେମିକାର ଲିନେନ୍‌ ଖୋଲୁଥିଲି ଖୋଲୁଥିଲି ଆଉ

ଅସମ୍ଭବ ଲୋଭନୀୟ ତ୍ରିବଳୀ, ଜଘନ ଓ ବକ୍ଷୋଜର

ସୌନ୍ଦର୍ଯ୍ୟରେ ବାୟା ହୋଇ କେଇ ପେଗ୍‌

ଅଧିକା ପାନୀୟ ଢାଳିଥିଲି ।

ଆଜି କିଂତୁ ସମୟ ଭୁଲ୍ କଲା । ଅକାଳରେ

ମୁଁ ବୁଢ଼ା ହେଲି । କୋବାଲ୍‌ଟ୍‌, ଖଣି ପରି

ଏକ ସାମଗ୍ରିକ ଧୂସରତାରେ, ମୁଁ ବିଚରା

ଅଜଗର ପରି ସ୍ଥାଣୁ ପ୍ରାୟ ବନିଗଲି । ଆହା, ପୋକଟାଏ

ବିଶାଳ ସର୍ପ ହୋଇ ତରୁଣ ରାଜାଙ୍କୁ ଦଂଶନ କଲା !

ମୁଁ କି ଏଠି ବସିବସି ନିତ୍ୟକର୍ମର ଢେଉ ଗଣୁଥିବି

ଏବଂ ଅପେକ୍ଷା କରିଥିବି ସେ ପର୍ଯ୍ୟନ୍ତ :

ସୂର୍ଯ୍ୟ ଥରେ ଅସ୍ତଯାଇ ପୁଣି ଯେବେ ହସିବ ଦିଗନ୍ତ ?

Image

 

ଆରଣ୍ୟକ

 

ଥଣ୍ଡା ଝରଣା ପାଣିରେ

ଏଥର କେବଳ ଗୋଟିଏ ଅସ୍ପଷ୍ଟ ବିମ୍ବ,

ଦମ୍‌କଳ ଫେରିଗଲା ପରେ ଦଗ୍‌ଧ ଘରର ଏକ ଅଧାପୋଡ଼ା ଖମ୍ବ !

ଉପରେ ଶୀତଳ ଜହ୍ନର ମୁଠାମୁଠା ବରଫ ଫିଙ୍ଗାସହ

ଝିଂକାରୀଙ୍କ ଅନାବନା ଅବୁଝା ସଙ୍ଗୀତ ତାନ,

ଯେପରି : ରେଡ଼ିଓରେ ଆକାଂକ୍ଷିତ

କେନ୍ଦ୍ର ଖୋଜୁ ଖୋଜୁ

ହଠାତ୍‌ ଲାଗିଯାଏ ଏକ ଅଜଣା ଷ୍ଟେସନ ।

ଝରଣାର କଂକରିଳ ନିସ୍ତବ୍‌ଧ ଶଯ୍ୟା’ଠୁ

ଆକାଶର ଅଭିଜାତ ବାର୍‌ର ହ୍ୱିସ୍କିପ୍ୟାଲା ଯାଏ

ପ୍ରଲଂବିତ ପୋହଳା ଓ ନିର୍ମୋକ ଜ୍ୟୋସ୍ନାର ଅଦୃଶ୍ୟ ସୋପାନ,

ସିନେମାର ପର୍ଦ୍ଦାପରି ଏ ସାଦା ରାତିରେ

ମନହୁଏ ଦିଆନିଆ, କିଏ ବୁଝେ ଅରଣ୍ୟର ମନ ?

ଅଦୂରରେ ଭସ୍ମୀଭୂତ ପତର କୁଡ଼ିଆ, ତା’ର ନିର୍ଜୀବ ସଂଳାପ

ଆରଣ୍ୟକ ପ୍ରକୃତିର ସାଂଦ୍ରଜାଲ ତଳେ

ଭରିଅଛି କୁଜ୍‌ଝଟିକା ପହଁରି ପହଁରି.......

ଚିମ୍‌ନି ବିହୀନ ଏକ କିଚେନ୍‌ର ପରି,

ଏବଂ ଝର୍ଣାର ଜଳେ ସେଇ

ଏକୁଟିଆ ଛାଇ,

ବିଳମ୍ବିତ କ୍ଳାନ୍ତ ଶେଯେ

ରାତି ମାରି ହାଇ ।

ପଥର ଚଟାଣୁ ଉଠି ନିଛାଟିଆ ବନଚାରୀ ଭାବେ :

ମୋ ପାଇଁ ଏ ଝର୍ଣା ଅଛି, ଅଛି ଥଣ୍ଡାବାୟୁ

ମୋ ପାଇଁ ମହୁଲମଦ, ଖଜୁରୀରେ ତାଡ଼ି ଅଛି ଭରି

ମୋ ପାଇଁ ଆସିଛି ରାତି, ଚନ୍ଦ୍ର ମୋ କିଂକର

ମୋ ପାଇଁ ମାଉଁସ ଅଛି ବାର୍‌ହା ଓ କୁଟ୍ରାର ।

ଏବଂ ଦୁଃଖ ନାଇ, ଅକସ୍ମାତ୍‌ ମୃତ୍ୟୁ ଯଦି ଆସେ

ଭରା ଦେଇ ମହାବଳ ବାଘର କାନ୍ଧରେ

ଉଠିଯିବି ଏ ନୀଳ-ହରିତ ଜ୍ୟୋତ୍ସ୍ନାର

ଅଦୃଶ୍ୟ ସୋପାନେ, ଖୋଜି ଖୋଜି ମହାଶୂନ୍ୟେ

ଯିବି ମୁଁ ପଳାଇ : ଆକାଶର

ହ୍ୱିସ୍କି ଆଉ କାବାରେ’ର ମୁଗ୍‌ଧ ଆସର ସଂଧାନେ ।

Image

 

ମୃତ୍ୟୁ

 

‘ଯୋଜନେ ଯୋଜନେ ଭୁଜ ତାର ସପତଗୋଟି ଆଖି

ଅନ୍ତରୀକ୍ଷେ ଉଡ଼ୁଥାଇ ଅଛଇ ତାର ନବପଚ୍ଛୀ ।

ଯୋଜନେ ଯୋଜନେ ତୁଣ୍ଡ ତାର ପାଞ୍ଚ ଯୋଜନ ଗର୍ଭ

ତିରୀ ପୁରୁଷ ନଯାଇ ପଡ଼ିଲେ ଭକ୍ଷଇ ସର୍ବ ।’ : ସାରଳା ଦାସ

[ମୂଷଳୀ ପର୍ବ, ମହାଭାରତ]

ଖଣ୍ଡିଆ ଭୂତ ପରି

ହଠାତ୍‌ କେବେ ସିଏ ଆସି ହାବୋଡ଼ିଯିବ

ମୋ ଝର୍କାର ରେଲିଂଯାକ ଭାଙ୍ଗି ଝାମ୍ପି ପଡ଼ିବ ତଣ୍ଟିକୁ ଲକ୍ଷ କରି ।

ସେତେବେଳେ ପାରିଜାତ ଫୁଲର ଘୋର ଅରଣ୍ୟ ଉଦାସ ଥିବ କି

ଗଂଭୀର ଥିବ ? ରାତି ଥିବ କି ଦିନ ଥିବ ?

ମହାକାଳ ପ୍ରେରିତ ବିକଟାଳ ଝଡ଼ର ବାରୁଦ ଘଟାଟୋପ

ନବପକ୍ଷୀ ସପ୍ତଆଖିର ଅପର୍ଚ୍ଛନ କଳା-ପିଙ୍ଗଳ କୋକୁଆ

ଏକ ବିସ୍ଫୋରଣ ପରି ମତେ ଚମକାଇ ଦେବେ । କାଦଂବରୀ ନିଶାରେ ପ୍ରମତ୍ତ

କୁହୁଡ଼ିର ଜିଭତଳେ ମତେ ବୋଧେ ଖୁବ୍‌ ବେଶୀ ନିଦ ଘାରୁଥିବ ।

ପୃଥିବୀଠୁ’ ଢେର୍‌ବଡ଼ କଳାରଂଗ ଚାଦରର ତଳୁ

ଆଗ୍ନେୟଗିରି ପରି ଲାଲୋଲାଲ୍ ଆଖି ଫିଙ୍ଗି

ଡ୍ରାଗନ୍‌ଠୁ’ ଭୟଙ୍କର ଆଂଫିବିଆନ୍‌ଟାଏ

ଜଳସ୍ଥଳ ଆକାଶପାତାଳ ଘାଣ୍ଟି ଧସେଇ ଆସିବ

ତା’ର ଭୟାବହ ଗର୍ଜନରେ ଭାଙ୍ଗିଯିବ ଦୃଢ଼ତାର ଇମାରତ

ଆାଶଙ୍କାର କାଦୁଅରେ ଭୋକ୍ତବ୍ୟର ପୁଣ୍ଡରୀକ ପରି

ରକ୍ତହୀନ ଭଙ୍ଗା କଳେବର !

ଆହା ! ମୁଁ ତ ବିସ୍ମୃତ ହେଉଛି ନିଶାଚର ପକ୍ଷୀଙ୍କର କଥା,

କାହା ଆଖିର ଚନ୍ଦ୍ର ବନ୍ଧନୀରେ ଜନ୍ମଜନ୍ମର ପୃଥିବୀର ତୈଳଚିତ୍ର ଥିଲା

ଓ କିଏ ଜଣେ ଟଫି ଚୋବାଇବା ବେଳେ

ମୋତେ ଉଦ୍‌ଜାନଠୁ ହାଲ୍‌କା ଲାଗୁଥିଲା ।

ଆଖିର ପୋହଳାଦ୍ୱୀପରେ ପାଉଁଶର ପର୍ବତଶ୍ରେଣୀ

କେତେ ଲଂବା ? କୁହୁଡ଼ିର ସମୁଦ୍ରରେ ମଗରସାଙ୍କୁଚ ତିମି ତିମିଙ୍ଗିଳ

ୱାଲ୍‌ରସ୍‌ ଅକ୍ଟୋପସ୍‌, ଶାର୍କର ତୀକ୍ଷ୍‌ଣ ଦାନ୍ତର କଟୁରୀ

ମତ୍ସ୍ୟକନ୍ୟାର କୁହୁକପୁରୀ, ବିଷାକ୍ତ ସାମୁଦ୍ରିକ ସର୍ପର ଗରଳ ଢେଉ ।

ଦୁଃଖ କଥା ଆହା : ଦେଖୁ ଦେଖୁ

ଶୁଭ୍ର କୋରାଲ୍‌ର ଇମାରତ ଲୁଟି ହୋଇଯାଏ ।

ନକ୍ଷତ୍ରଂକ ରକ୍ତାକ୍ତ କନୀନିକା

ବିଛାଇ ଦିଏ ଝାପ୍‌ସା କଳା ଛାଇର ଆତଙ୍କ

ଶ୍ମଶାନର ରୁଗ୍‌ଣ ଗେରୁଆ ଦେହରେ ଯନ୍ତ୍ରଣାର କୋକିଶିଆଳି ।

ବେଲାଳ ସେନ୍‌ ! କୃଷ୍ଣଙ୍କୁ ତ ଶିର ଉତ୍ସର୍ଗୀକୃତ

ଶୁଭସ୍ତମ୍ଭ ପାଇଁ ନରବଳି : ଚ୍ଛିନ୍ନମସ୍ତା, ପୃଥିବୀର ସର୍ବଶ୍ରେଷ୍ଠ ରଥୀ ।

କଂକାଳୀ, ବୈତାଳୀ ଆଦି ନବକୋଟି ଚଣ୍ଡୀ ଓ ଯୋଗିନୀ ତଥା

ପଞ୍ଚାକ୍ଷ ପ୍ରେତର ବୀଭତ୍ସ ଓ ବିକୃତ କୁହାଟ, ଦୂର ଜଙ୍ଗଲରୁ

ମହାବଳ ବାଘର ହେଂଟାଳ । ସଂଧ୍ୟାର ପରିତ୍ୟକ୍ତ

ଅନ୍ଧାରଭର୍ତ୍ତି ମନ୍ଦିରଗୁହାରେ ଚେମେଣିଆ ହଜିଯାଏ

ଧୂସର ପଲଙ୍କ ଉପରୁ ଝାଉଁବଣ କଟା ହୁଏ,

ବିକ୍ରମାର୍କ ପୁଣି ଥରେ ମଶାଣି ଲେଉଟେ ।

ପାଣି ଓଧର ଶାଣିତ ଦାନ୍ତର ଗୁଆକାତିରେ

ମାଂସକିମା ପରି ଚୁନାଚୁନା ହୋଇଯିବା

ନିରୀହ ସଫରୀ ପକ୍ଷେ ଅବଶ୍ୟମ୍ଭାବୀ ।

ପ୍ରତିଶ୍ରୁତିର ବ୍ୟାସହ୍ରଦ ଜଳଶୂନ୍ୟ ଏବଂ

ସାତତାଳ ରକ୍ତର ଉଦ୍‌ଭ୍ରାନ୍ତି

ଭିଡ଼ି ନିଏ : ଅମାବାସ୍ୟା ପରି କଳା ରାସ୍ତାରେ

ଚନ୍ଦ୍ରର କାଳ୍ପନିକ ଠେକୁଆ ପାଖକୁ ।

ଶେଷରେ : କାନକୋଳିବଣରେ ନିଆଁ ଲାଗେ । ପିରାମିଡ଼୍‌ ପରି

ମଜବୁତ୍‌ ଯନ୍ତ୍ରଣାର କାରାଗାର

ମହାଶୂନ୍ୟର ଶେଷଯାଏ ବିସ୍ତୃତ ଦମ୍ଭ ସିଡ଼ିରେ

ଉପରକୁ ଉଠେ, ଏବଂ ଢମଣାର ଜିଭକୁ ଡରି

ଅନ୍ଧାର ରାତିରେ ପକ୍ଷୀଟିଏଉଷୁମ୍‌ କୋରଡ଼ୁ ଯେପରି

ସାଏଁ କରି ଉଡ଼ିଯାଏ : ହୁଏତ ସେହିପରି

ଛକି ଛକି ମୋ’ ଘରୁ କିଏ କୁଦାମାରିବ ଠିକ୍‌

ଅସରନ୍ତି ନିଆଁର ନଈ ତଳେ

ଦିନର ନକ୍ଷତ୍ର ପରି ଅଦୃଶ୍ୟଭାବେ ହୁତ୍‌ହୁତ୍‌ ଜଳୁଥିବା

ଫୁଲ ପରି ସ୍ୱପ୍ନ ଏବଂ

ଶିଶୁ ପରି ଅବୋଧ ଗଡ଼ଖାଇର ପୋହଳା କୋଠି ମଝିକୁ ।

Image

 

କିମ୍ବଦନ୍ତୀ ପରି ପୁରୁଣା

 

କ୍ରମାଗତ ଦିନରାତିର ଭିନ୍ନ ସ୍ୱାଦ ମଧ୍ୟେ

ସ୍ମୃତି ଆଉ ଉତ୍ତରଳ ନୁହେ,

ତୁମ କଥା କ୍ରମେ କିମ୍ବଦନ୍ତୀପରି ପୁର୍ଣା ହୋଇଯାଏ ।

ଯୌବନର ସବୁଠୁ ଦାମୀ ମଜ୍ଜା ଆକଣ୍ଠ ପିଆଇଥିଲ

ଏଇ ଗଲା କେଇବର୍ଷ ତଳେ । ମନେହୁଏ ଆଜି

ଯେପରିକି ବିତିଅଛି ବହୁ ଜନ୍ମ ବହୁ ସଂବତ୍ସର

ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଶୋଇଅଛି ଲମ୍ବା ଅଜଗର ।

ସଂପ୍ରତି ଆସିଲେ ତୁମେ ଦେଖନ୍ତ ଏଠାରେ

କିପରି ମୁଁ ଏକହାତେ ଧରିଅଛି ବାନ୍ଧବୀର ନଗ୍ନ ଦେହ

ଅପର ହାତମୁଠାରେ ନିର୍ମାଲ୍ୟ ଓ ରୁଦ୍ରାକ୍ଷ ମାଳିକା,

ଇସ୍ପାତର ସ୍ତୁପଭରା ଅନନ୍ତ ସମୁଦ୍ର

ଭାସୁଅଛି ବହୁମୂଲ୍ୟ ଦ୍ରବ୍ୟଭରା କ୍ଳାନ୍ତ ଏକ ଉଦାସ ନଉକା ।

ବାଂଧବୀର ତଥା ମୋର ଅଶାଳୀନ ନିଲ୍ଲଜ ବ୍ୟଂଜନା ଏବଂ

ଏକ ସଙ୍ଗେ ମୋ ମୁଖର

ପ୍ରଣବର ଗଂଭୀର ଉଚ୍ଚାରଣେ ଭରିଅଛି ଏ କୋଠରି,

କୋଠରିର ଛାତ ତଳୁ ଝୁଲୁଅଛି ଅଦ୍ଭୁତ ଏକ ଶବ୍ଦର ଆକାଶ

ଉତ୍‌ଫୁଲ୍ଲ ଉଦାସ

[ଯେପରି, ତୁମେ ଆଜି ତୁମ ନିଜର ବିରୋଧାଭାସ]

ନାହିଁ ଦିପ୍ତୀ ନାହିଁ ଦ୍ୟୁତି, ନାହିଁ ଅମା ନାହିଁ ଅନ୍ଧକାର

ବରଫର ବାମ୍ଫ ସହ

ଛୁଟିଅଛି ଅଗ୍ନିକୁଣ୍ଡ ତାଉ ଆଉ ଧାସର ବାୟାର ।

ବାହାରେ ଆକାଶରେ ରେଶମୀ ବାଦଲର କାର୍ପାସ ମେଖଳା,

ହଠାତ୍‌ ସାୟଂତନ କୁଦା ମାରେ ଅସ୍ତ ପାହାଡ଼ ପଛ ଅରଣ୍ୟରୁ

କୋଠରିକୁ ଅପହଂଚ ବିକଟ ଗର୍ଜନ ଶୁଭେ.........

ରାକାରିକ୍ତ ନିଶୀଥରେ ବହଳିଆ ବାଦଲର ଅନ୍ଧାରି ଉହାଡ଼ୁ

ରଭସେ ଧସାଏ ଶବ୍ଦ, ବିକଟ ଭୟଙ୍କର କୋକୁଆ ବୋବାଏ ।

କ୍ରମାଗତ ଦିନରାତିର ଭିନ୍ନ ସ୍ୱାଦ ମଧ୍ୟେ

ସ୍ମୃତି ଆଉ ଉତ୍ତରଳ ନୁହେ,

ତୁମ କଥା କ୍ରମେ : କିମ୍ବଦନ୍ତୀ ପରି ପୁର୍ଣା ହୋଇଯାଏ ।

Image

 

ଆଉ ଗୋଟେ ରାସ୍ତା

 

ଅନେକ ଥର ତ ଏକୁଟିଆ ମୋତେ

ଛାଡ଼ି ଚାଲିଯାଇଚ ତମେ ଏମିତି ବାରଂଗ ନହେଲେ

ବାଲେଶ୍ୱର କିମ୍ବା ପୁରୀ ପ୍ରଭୃତି ଓଡ଼ିଶାର

ବିଭିନ୍ନ ସ୍ଥାନକୁ ଓ ମୁଁ ଏଠାରେ

ଜୀଇଁ ରହିଚି ଆପାତତଃ ମଧ୍ୟମ ପ୍ରକାର

ଦୁଃଖରେ ଅସୁସ୍ଥହୋଇ ଦିନଦିନ ଧରି କିନ୍ତୁ

ଆଜି ଏତେ ବେଗବାନ୍‌ ଧକ୍‌କାରେ ହିରୋସୀମା ପରି

ଧୂଳିସାତ ହୋଇଯାଏ ମୋ ଛାତିର ଧୂସର ସହର ଓ

ମାତ୍ର ତିନିଗୋଟି ଦିନ ଲାଗେ

ଯେପରି ଲମ୍ୱମାନ ଦୀର୍ଘ ତିରିଶିଟି ବର୍ଷ ।

ତୁମ ଅବର୍ତମାନର ବିଶାଳ କାଲାହାରୀ

ମରୁଭୂମିରେ ମୋ ଆଖିର ତୃଷାର୍ତ ଓ

କ୍ଳାନ୍ତ ବାଟୋଇ ପାଇଁ ତୁମେ ହିଁ ପ୍ରଥମ ଓ ଶେଷ

ଥଣ୍ଡା ମରୁଝର୍ଣା । ତୁମେ ଆସିବ ଓ ତୁମକୁ

ଦେଖି ମୋ ଭିତରେ ଖୁସିର ଗୋଟେ ସ୍କୁଲ୍‌ ପିଲା

ନାଚିବାକୁ ବୋଧେ ଇଚ୍ଛା କରିବ, କିଂତୁ

ସଡ଼କରେ ଲୋକଙ୍କର ଆତଯାତ ଯୋଗୁଁ ତାକୁ

ସଂକୋଚ ଲାଗିବ ଅଳ୍ପ ଓ ସେ ସେଠାରେ ତେଣୁ

ଇଚ୍ଛାସତ୍ୱେ ନାଚି ପାରିବନି, କିନ୍ତୁ ବର୍ଣନାବିହିଃସ୍ଥ

ଆନନ୍ଦର ଝଡ଼ପବନରେ ବହୁ ବେଶୀ ଲୋକଂକର

ସମବେତ ନାଚକୁଦର ଘୋଘୋ’ କୋଳାହଳ

ମୋ ଭିତରେ ସ୍ପଷ୍ଟମତେ ଜଣାପଡ଼ୁଥିବ ।

ମୋ ନିରୀହ ପାପ ଓ କଳଙ୍କର ସମସ୍ତ ନୀଳବର୍ଣ

ପରିବ୍ୟାପ୍ତ ବହଳ କଷକୁ ନିତ୍ୟକର୍ମ ଭାବେ

ପ୍ରତିଦିନ ପିଇ ପିଇ କି ଆଶ୍ଚର୍ଯ୍ୟ ତୁମେ

ପୂରାପୂରି ପ୍ରତିକ୍ରିୟାହୀନ, ଦେବୀ !

ତୁମେ ଯେପରି ଉଚ୍ଚତାରେ ଜହ୍ନକୁ

ଛୁଇଁଚ ! ନିଦ୍ରିତ ଏ ଗଳିବସ୍ତି ମୁଁ ଘୂରିବୁଲୁଚି

ନିର୍ଜନ ଏ ଗଭୀର ରାତିରେଏକାଏକା, ଓ ଜହ୍ନରୁ ଯେପରି ତମେ

ଝରିଆସୁଚ କ୍ଷୀଣ ଓ ଅଳସ ଆଲୋକ ହୋଇ :

ତୁମକୁ ମୁଁ ଆଦୌ ଛୁଇଁ ପାରୁନାଇ ଓ କେଉଁଠୁ ଦୂରରୁ

ଧୀରେ ଧୀରେ ଶୁଭୁଚି ତୁମର ସ୍ୱପ୍ନରେ ଶୁଭିବା ପରି ସ୍ୱର କିନ୍ତୁ

କେବଳ ମୁଁ ଏଣେତେଣେ ଖୋଜୁଚି ଓ ଶୂନ୍ୟତା ବ୍ୟତୀତ

ମୋ ସାମ୍ନାରେ ଦୃଶ୍ୟ କିଛି ନାହିଁ, କେବଳ ଯଥାକ୍ରମେ ଧାଡ଼ିଧାଡ଼ି

ଦୁଃଖିତ ଲୁହଂକର ଥମ୍‌ଥମ୍‌ ଭଂଗା ଏବଂ

ଗମ୍ଭୀର ଶୋଭାଯାତ୍ରା : ମୋ ଗାଲର ଖାଁଖାଁ

ପାଦଚଲା ଜଙ୍ଗଲ ରାସ୍ତାରେ ।

ଦେବୀ ! ଥରେ ତମେ ରାଜି ଓ ଆଗ୍ରହୀ ହୁଅ, ଛାଡ଼ିଦେବି

ଓଡ଼ିଶା ଓ ଘରଦ୍ୱାର ପରିବାର । ଥରେ ଖାଲି ଇଚ୍ଛାକର :

ଛାଡ଼ିଦେବି ସାହିତ୍ୟ ଓ ଗାଏମୋଟ୍‌ ସହଚର ।

ଯାବତୀୟ ମୋହବନ୍ଧନର

ଖୁଣ୍ଟିରୁ ଛିଣ୍ଡାଇଦେବି ଶିକୁଳି, ମାନିବିନି କିଛି, ଓ ଖରାର

ଡହଡହ ଲମ୍ୱା କଟୁରି ଦାଢ଼ରେ

ଚାଲିଯିବି କେଉଁ ଦୂର ଏବଂ ଦୂରତର ସ୍ଥାନ ଉଦ୍ଦେଶ୍ୟରେ ଖାଲି

ତମେ, ତମେ ଥରେ ରାଜି ହେବ ଯଦି ।

Image

 

କଷ୍ଟଗ୍ରସ୍ତର କଥା

 

ନିର୍ଜନ ଓ ସୁନ୍ଦର ଏ ଉପଭୋଗ୍ୟା ସ୍ଥାନଟିରେ

ମୋ ଛାତିରୁ ସବୁଯାକ କଷ୍ଟ ଏବଂ ମୋ ମୁଣ୍ଡରୁ

ସବୁଯାକ ବିଷାଦକୁ : ତୁମେ ପ୍ରଭୁ ଦୟାର ସମୁଦ୍ର ଆହା

ମନ୍ତ୍ରକରି ପୋଛିନିଅ : ନେଇଯାଅ । ମୁଁ ଏପରି କଷ୍ଟଗ୍ରସ୍ତ

ସ୍ୱଳ୍ପ ହେଲେ ଉପଭୋଗ କରି ପାରୁନାଇ : ମନୋରମ ଶାଳବଣ ଏହି,

ପତ୍ରପୂର୍ଣ୍ଣ ଗଛଯୋଗୁଁ ଛାୟାଭରା ଶାଦ୍‌ବଳ ଏ ଦର୍ଶନୀୟ ପାହାଡ଼ ଓ

ପାହାଡ଼ ମଝିର ନୀଳ ଶୀତଳ ଓ ପ୍ରସନ୍ନ ହ୍ରଦକୁ ।

ମଧୁମିତା ନାମ୍ନୀ ଯେଉଁ ପରିଚିତା କିଶୋରୀର ସ୍ନେହାଧୀନ

ମୁଁ ମାମୁଲି ଅନ୍ୟଦ୍ୱାରା ନିୟନ୍ତ୍ରିତ ଜନ,

ତା ଆଖିର ମଗର ସାଂକୁଚ ଏବଂ ତିମିଂଗିଳ ଅଧ୍ୟୁଷିତ

ଅତଳାନ୍ତ ମହାସମୁଦ୍ରରେ : ନୌକାସହ ଦୁର୍ଘଟଣାଗ୍ରସ୍ତ ମୁଁ :

ସନ୍ତରଣ ଅତିଅଳ୍ପ ଜାଣିଥିବା ସ୍ୱାସ୍ଥ୍ୟହୀନ

ଓଡ଼ିଶାର ଲୋକ, ଅଗସ୍ତି ବା ଇନ୍ଦ୍ରଦେବ ଅତି ଆଦୌ ନୁହ ।

ଖାଦ୍ୟବସ୍ତୁ ପ୍ରସ୍ତୁତ କରିବା ପାଇଁ ଓ

ଏହା ଘୋର ଅରଣ୍ୟ ଯେହେତୁ, ତେଣୁ ମୋର ସୁରକ୍ଷା

ନିମିତ୍ତ ସାଙ୍ଗରେ ଆସିଥିବା ମୂର୍ଖ ଓ ବଳିଷ୍ଠ ଏକ

ଗ୍ରାମୀଣ ଯୁବକ ଛଡ଼ା କେହିହେଲେ ନାଇ ଏଠି । ଦେଢ଼ଦିନ

କିପରି କଟିଲା ପତ୍ରକୁଡ଼ିଆ ଓ ପାହାଡ଼ର ତଂବୁର ଘେରରେ ?

ରସଦ ଅଟେ ଯାହା ତିନିଶହ ମହୁରାଳି

ମାଛ ଏବଂ ଦୁଇପୁଞ୍ଜା ଅଣ୍ଡା ତଥା

ଅବୟସ୍କା ସ୍ୱାସ୍ଥ୍ୟବତୀ କୁକୁଡ଼ା ଗୋଟିଏ ।

ଦ୍ୱିତୀୟ ଦିନରେ ଆଜି ମଧୁମିତା ତୁମକଥା

ଅତ୍ୟଧିକ ମନେ ପଡ଼ୁଅଛି । ଆଜିଠାରୁ ଏଇଧର

ତିନିବର୍ଷ ତଳେ ଯଦି ଆସିଥାନ୍ତି ଏମିତି ଏଠାକୁ, ରୋଷକରି

ମୁଁ ତୁମ ଉପରେ; ଆପାତଃପକ୍ଷରେ ଭାବୁଥାନ୍ତି ଏହିପରି :

ରାଗ ଓ ଅଭିମାନରେ ବୁଡ଼ି

ଥରିଯାଉଥିବ ତୁମେ ସତେ ଏବଂ କାନ୍ଦି କାନ୍ଦି

ଆକ୍ତାମାକ୍ତା ହୋଇଯାଉଥିବ ଆହା, ଏଇ ମୁଁ ଚାଲିଲି ଦେଖ ! ତୁମ

ପାଦତଳେ ପଡ଼ି କ୍ଷମା ମାଗିବି ଓ ଦୃଢ଼

କଣ୍ଠରେ ସ୍ୱୀକାର କରିବି ଯେ ମୁଁ ଭୀଷଣ ବଦ୍‌ରାଗୀ, ଅତିବେଶୀ

ଅଭିମାନୀ ଓ ସଂପୂର୍ଣ ପାଗଳ ଏବଂ

ଆଉ ଯାହା ଯାହା କହିବ ତୁମେ, ସବୁ । କିଂତୁ

ଭାରତବର୍ଷର କେଉଁଠି ଅଛ ଏଇନା ତମେ ? କୋଉ

ସୁବର୍ଣ ସହରରେମାତିଛ ?

ଯେପରି ମୁଁ କାଳ୍ପନିକ ଜାତିସ୍ମର : କିଂଚିତ୍‌ ଖଇର ରଂଗର

ଛାଇଛାଇ ମେଘର ଧୂଆଁମିଶ୍ରିତ ଚପଳ

ଜହ୍ନ ଆଲୁଅରେ ଥରେ : ବହୁବର୍ଷ ତଳକଥା, ଖାସୀ ପାହାଡ଼

ଶୀର୍ଷ ଘୋର ଅରଣ୍ୟ ମଝି ଝରଣା କୂଳରେ ଏକା ଏକା

କେହିହେଲେ ଆଉନାଇ, ହରିଣର ଖୁରାଶବ୍ଦ ଶୁଣି ମୁହିଁ

ଧାଇଁଥିଲି ଲୁଚକାଳି ଖେଳୁଥିବା ତୁମପାଦ ଭାବି, ଅରଣ୍ୟରେ

କେଉଁଠାରେ ବୋଧହୁଏ ନିଆଁ ଲାଗିଥିଲା ।

ସେତେବେଳେ ତୁମ ନାମ ‘ମଧୁ’ ଭିନ୍ନ ଅନ୍ୟ କିଛି ଥିଲା ଏବଂ

ସେଇ ନାଁ ଡାକିଡ଼ାକି, ପ୍ରାୟ ସବୁପ୍ରକାର ପ୍ରଯୁଜ୍ୟ ଶବ୍ଦଂକୁ

ପୃଥିବୀପୃଷ୍ଠରୁ ଆକୁଳେ ସାଉଁଟି ମୁଁ ଫୋପାଡ଼ିବା

ଆରମ୍ଭ କଲି ଶବ୍ଦ ସବୁ ଶେଷ ହେବାଯାଏ ଏବଂ ସୁଦୂରା ତମକୁ

ଖୋଜି ଖୋଜି ଧାଉଁଥିଲି..... ବହୁକାଳ ଅତୀତ ହୁଅନ୍ତେ

ଅଦୂରରେ ଛମ୍‌ଛମ୍ ତୁମ ପାଦଶବ୍ଦର ପସରା ।

ଅନୁରାଧା ! ତୁମ ସହ ଦେଖାଦେବା ଆଗୁ ଭଲ

ପାଉଥିଲି ଅନ୍ୟଏକ ଝିଅକୁ ମୁଁ । କ୍ରୋଧ ଓ ପ୍ରତିହିଂସାରେ ଓଦା

ହୋଇଯାଉଛି କି ଅନ୍ତଃସ୍ଥ ଭାବେ ତୁମ ଆଣ୍ଠୁଠାରୁ

ଓଠ ଯାଏଁ, ଆଖି ଏବଂ ପାଦ ଓ ପାପୁଲି ? ତୁମେ ତ

ଭ୍ରୂକ୍ଷେପ ଓ ସ୍ୱୀକାର କରିଲ ମୋର ଦ୍ୱୈତ ସଂସ୍ଥିତିରେ !

ଅପନ୍ତରା ମଶାଣି ସେପାଖ ନୟନଯୋଡ଼ି ଡେଇଁ

ନିର୍ଜନ ସେ ଉଚ୍ଚ

ଟାଙ୍ଗରା ପଡ଼ିଆକୁ ଏତେ ରାତିରେ ମଧୁମିତା

କିଆଁ ଡାକୁଛ ମୋତେ ? ଆହା.....ଦୁଃଖର ଏ କି ଅପୂର୍ବ ମୃଦଂଗ

ବାଜୁଅଛି ତୁମର ସ୍ୱରରେ !

ଡର ଲାଗେ ନିଦ ଭାଙ୍ଗିବ କେଉଁ ଏକ ଅନ୍ଧାର ରାତିରେ, ତୁମେ

ଖାଲି ବାରଂବାର ମନେପଡ଼ିବ ମୋର, କିଛିନାଇ ମିଛଟାରେ

ଥୋଡ଼ାଏ କାଂଦିବି କୁରୁଳି ଓ : ଟାଙ୍ଗରା ପଡ଼ିଆକୁ ମୋତେ

ଡାକ ଡାକ ମଧୁମିତା ଡାକ ଡାକ, ବୋଲି କହି

ଅନ୍ଧାର ଓ ଅଧରାତି ଅବା ଯାହା ତାହା ହୋଇଥାଉ, ତୁମ

ଘର ପାଖ ତୋଟାଆଡ଼କୁ ମୁହାଁଇବି । ହଠାତ୍‌ ପବନରେ

ବିଷ ମିଶାଇବ କିଏ ଦୁଷ୍ଟ ଲୋକ ଓ ସେଇ ତୋଟାରେ ଅଚେତ୍‌

ହୋଇ ଶୋଇବି ମୁଁ, ଡାକେ ବାଟ ମାତ୍ର ତୁମ ଘର, ଏବଂ

ତାହା ହେବ ଶେଷ ନିଦ୍ରା ମୋର ।

ସକାଳୁ ଦେଖିବ ତମେ ପିଂପୁଡ଼ି ମନ୍ଦା ପରି

କିଛି ଲୋକ ଜମିଥିବେ ସେଇଠାରେ : କିଏ ଜଣେ ମରିଗଲା

ଗଲାକାଲି ଅଧରାତି ସାପକାମୁଡ଼ାରେ ଅବା ଡାହାଣୀ ଭୟରେ ।

କେଉଁ ଅଦୃଶ୍ୟ ଶକ୍ତିଶାଳୀର ବଜ୍ରୀୟ ଫୁତ୍କାରରେ

ଉଜୁଡ଼ିଥିବା ଏଇ ମୋ ଜୀବନ, ଯାହା ପରାର୍ଦ୍ଧ ସଂଖ୍ୟକ ମୋର

ହୃଷ୍ଟପୁଷ୍ଟ ଆାଶଙ୍କାମାନଙ୍କର

ଅହରହ ଦୌରାତ୍ମ୍ୟରେ ନାଗାସାକୀୟ ଧ୍ୱଂସର

ନାଚ ଦେଖୁଅଛି । ମୃତ୍ୟୁଭିନ୍ନ ପଳାୟନର ଏକମାତ୍ର

ବାଟର ସାମ୍ନାରେ : ଅରଣ୍ୟ । ଏପରି ଏକ ଅରଣ୍ୟ ଆଗରୁ

ନଥିଲା ଜଣା ; ଏପରି ଅରଣ୍ୟ ଥିବ, ଧାରଣା ନଥିଲା

ମୋର । ବହୁ ଯୁଗ ପୂର୍ବରୁ ଭୟାବହ ଡାହାଳ କୁକୁର ଗୋଟେ

ଚାହିଁଅଛି ମୋତେ । ଦେହସାରା ଦପ୍‌ଦପ୍‌ ନିଆଁ ଏବଂ

ପାଟିରୁ ବି ଦଉଡ଼ି ବାଣ ପରି ନିଆଁ ଝୁଲ

ଝରୁଅଛି । ଖପ୍‌ଖପ୍‌ କୁଦିକୁଦି ମାଡ଼ିଆସୁଚି କାଳାନ୍ତକ

କୁକୁରଟା । ତା’ପରେ : ଅବର୍ଣ୍ଣନୀୟ ଏକ କରାଳ

ଗର୍ଜନ ତା’ର, ଏବଂ ମୋର ନିଦ୍ରା/ସ୍ୱପ୍ନଭଂଗ ।

ଅନୁରାଧା ! ତୁମକୁ ମୁଁ କେଉଁପରି

ବୁଝାଇବି ମଣିଷର ଖପୁରି ଭିତରେ : ବୃହସ୍ପତ୍ତିର ଗ୍ରହଠାରୁ

ଯଥେଷ୍ଟ ବିରାଟ ଏକ ଅତ୍ୟନ୍ତ ଅଧିକ

ମାତ୍ରାରେ ବିଚିତ୍ର ଭୂଖଣ୍ଡ ଅଛି । ଅନ୍ୟ ଏକ କଥା ମଧ୍ୟ

ତୁମକୁ ବୁଝାଇବା କଷ୍ଟକର ହେବ ଯେ :

ପୁରସ୍କୃତ ହେବାଯୋଗ୍ୟ ମୋ ମହାନ୍‌ ଦର୍ଶନ ଯାହା

ଭୋଜନ ଓ ପରିଧାନ ହୀନ, ବହୁଉଚ୍ଚ ପାହାଡ଼ ଉପରେ ବସି

ପ୍ରାଣପଣେ ବଳବୀର୍ଯ୍ୟ ଏକାଠି କରୁଛି ମୋର, ଠେଲିନେବ

କିଛିଦୂର : ଉଲ୍‌କାପରି ମାଡ଼ି ଆସୁଥିବ ।

ଯମଂକ ମଇଁଷି ଏବଂ ମୋ ମୃତ୍ୟୁ ଦୂତଙ୍କୁ ।

ଅକଳଣ ଶକ୍ତି ଏବଂ କ୍ଷମତାର ଅଧିକାରୀ

ମାହାପ୍ରୁ’ଙ୍କ ହସ୍ତଶିଳ୍ପ ଏହି ପୃଥିବୀ ପୃଷ୍ଠରେ

ଦିନଟିଏ ଅଧିକା ଜୀଇଁବା ଅର୍ଥ : ଦୁଃଖର ଅତ୍ୟଧିକ

ସାମାନ୍‌ରେ ଭର୍ତ୍ତି ହୋଇ ଝୁଲି ପଡ଼ିଥିବା

ମୋ ଦେହର ମୁଣାଟିରେ ଦୁଇ ମୁଠା ନୂଆ କଷ୍ଟ

ଖୁଂଦି ଦବା ଛଡ଼ା ଅନ୍ୟକିଛି ନୁହ । ତଥାପି ମୁଁ ତିଷ୍ଠିଛି ଏ

ବିଚିତ୍ର ଧରଣୀରେ ଓ ଉଦ୍ୟମ କରୁନି କିଛି

ମୃତ୍ୟୁର ନିମିତ୍ତ । ବୋଧଗମ୍ୟ ହେଉଛି ଯେପରି, ତାହା:

ମୁଁ ହୁଏତ ମାମୁଲି ବା ହାରାହାରି ଜନଠାରୁ ବିଚ୍ଛିନ୍ନ ସ୍ଥିତିର ।

ଭାଙ୍ଗିରୁଜି ଯାଇଥିବା ମୋ ବିନୀତ ଛାତି ସାରା

ପରିବ୍ୟାପ୍ତ ହୋଇଅଛି ଦୁଃଖର ଧୂସର

ଓ ଟାଙ୍ଗରା ପଡ଼ିଆ, ରକ୍ତାକ୍ତ ଦରଜର

କଂକରିତ ଅୟୁତ ପ୍ରଗଣା : ଯାହା କେଉଁ ଅତି ଦୂରସ୍ଥିତ,

ଯୁଗାବ୍‌ଧି ଅନାବୃଷ୍ଟିରେ ବିକଳାଙ୍ଗ, ଯନ୍ତ୍ରଣାଜର୍ଜର । ଆଜିଠାରୁ

ବହୁମାସ ଅତୀତରେ ଏପରିକି ମୋ ବଡ଼ ଅପାର

ଜନ୍ମର ପୂର୍ବରୁ ସ୍ୱର୍ଗବାସ କରିଥିବା

ପୂଜନୀୟା ମୋ ଆଈ, ସେ ବୃଦ୍ଧାର

ଆଈ ପରି ବୋଧ ହେଉଥିବା ଶତାୟୁ ମହିଳା ଏକ

ସେ ଧୂଳିଆ ଭୂଇଁରେ ଆଣ୍ଠୋଇ, ଆନନ୍ଦରେ କାଂଦି

ପକାଉଛି ଓ କହୁଛି ଯେ : ବାବୁରେ, ଏ ମାଟିତଳେ

ମୂଲ୍ୟାତୀତ ହୀରାନୀଳା ଭର୍ତ୍ତି ହୋଇଅଛି ।

ମହାପ୍ରଭୁ ! ମୁଁ ସତରେ କେବେଠାରୁ

ମଧୁମିତା ଅନୁରାଧା ଇତ୍ୟାଦି ଇତ୍ୟାଦି ମୋତେ

ସ୍ନେହ କରୁଥିବା କନ୍ୟାମାନେ ମିଥ୍ୟା ବୋଲି ଜାଣି

ସାରିଲିଣି । ଆପଣାର ମନମୁତାବକ ମତେ

ପରାସର ପୋଷାକ ପିନ୍ଧାଇଥିବା ବିଂଶୋତ୍ତର ବୟସର

ନାରୀମାନେ ଅତି

ମାତ୍ରାଧିକ ତୁଚ୍ଛ ଓ ହେୟବୋଲି ମୋର

ଦୃଢ଼ ଧାରଣା ଓ ହୃଦ୍‌ବୋଧ ହେଲାଣି । ହେ ବିଶାଳ ପୃଥିବୀ ନିବାସୀ

କୋଟି କୋଟି ଭଦ୍ରଲୋକ, ମହିଳା ଓ ପିଲାମାନେ ଶୁଣ :

ମୁଁ ନାନାଦି ଭ୍ରାନ୍ତିଦ୍ୱାରା ଭ୍ରମିଥିବା, ପ୍ରାୟ

ଚିରଦିନ ନିରିମାଖି ଲୋକଟିଏ । ସଂପ୍ରତି ମୁଁ ଅସରନ୍ତି

ଦାନ ଧର୍ମ ପୁଣ୍ୟ କର୍ମମାନ

ନିୟମିତ କରିଚାଲିଅଛି ।

ପ୍ରଭୋ ! ଆକାଶ ପରି ବଡ଼ ତୁମ ଶୋଇବା ଘରର

କାନ୍ଥରୁ ମୋ ସମଗ୍ର ଦେହ ଓ ମୁଖ୍ୟତଃ

ମୋର ମନ, ଛାତି ବା ହୃଦୟର

ପୁରୁଣା ମାନଚିତ୍ରଟି ଦୟାକରି/କରୁଣାପୂର୍ବକ

ବଦଳାଇ ଦିଅ । ଦେଖ, ମୁଁ ଏବେ କିପରି ଆଶ୍ଚର୍ଯ୍ୟଜନକ

ଭାବେ ଭିନ୍ନ ପ୍ରାଣୀଟିଏ ! ଆଗ୍ରହରେ ଅପେକ୍ଷାରତ

ଏପରି ଦିନଟିଏ ଉଜ୍ଜଳ ଖରାର : ଯେଉଁଦିନ

ଅକଳନ୍ତି ଦୂରସ୍ଥକୁ ପରିବ୍ୟାପ୍ତ କଷ୍ଟ/ର କାହାଣୀ ଭରା

ଥକି ପଡ଼ିଥିବା ମୋ ଦେହର ନିରୀହ ଜିଲ୍ଲାସାରା

ଘୋଟିଯିବ ଆସ୍ତେ ଆସ୍ତେ

ଥଳକୂଳ ହଜିଥିବା ନିଘୋଡ଼ ଅନ୍ଧାର ।

Image

 

ଚନ୍ଦ୍ରିକାର ଚିଠି

 

ତୁମେ ଏତେ ସନ୍ଦେହୀ, ନିଷ୍ଠୁର । ଦେଖିଯାଅ ଚନ୍ଦ୍ରିକାର

ସ୍ନାୟୁଜିଲ୍ଲାର ଯେତେ ଜନପଦ : ଗ୍ରାମ ଓ ସହର

ପୂର୍ଣ କରି ନିର୍ମିତ ହୋଇଛି ତୁମ

ପୂଜା ଓ ଅର୍ଚ୍ଚନା ପାଇଁ ଅର୍ବୁଦ ମନ୍ଦିର ।

ଚନ୍ଦ୍ରିକାର ନିରୀହ ଓ ସରଳ ଶିରାରେ

ତୁମର ଅବାଧ୍ୟ ଇଚ୍ଛା

ଚଳାଇଛି ଭୟ ଏବଂ ଆତଙ୍କର ଦଙ୍ଗା । ସହରରେ

ଲାଗିଅଛି ହଣାମରା ଓ ଧର୍ଷଣ : ଲାଲ୍‌ ରକ୍ତ ସୁଅ,

ପରିତ୍ୟକ୍ତ ଗୋଟେ ଭଂଗା ଘରେ

ଲୁଚିଛି ପ୍ରାପ୍ତବୟସ୍କା ଏକ ଆତଙ୍କିତ ଝିଅ ।

ଚିଡ଼ିଆଖାନାର ପେଚା ପରି ଚୁପ୍‌ଚାପ୍‌ ଓ

ଗମ୍ଭୀର ହୋଇ ବସି ଜିଜ୍ଞାସୁ ଆଖିରେ

ଚାହିଁଥାଅ ମୋତେ ଯେପରି ଅନ୍ୟମନସ୍କତାରେ

କିଂତୁ ହଠାତ୍‌ ତୁମର

କ’ଣ ହୁଏ ହେ ଆତ୍ମୀୟ ଅତ୍ୟାଚାରୀ

କୁକୁଡ଼ା ଛୁଆକୁ ଛଂଚାଣ ଝାପିଂ ନେବାପରି

ଝାଂପି ନେଇଯାଅ ଏବଂ

ଦୁଷ୍ଟ ତମେ ଅସ୍ତବ୍ୟସ୍ତ ଓ ଆକ୍ତାମାକ୍ତା କରିଦିଅ ମତେ ।

ଦେଖ, ତୁମର ପରାଜିତ ଧୈର୍ଯ୍ୟ

କିପରି ଗୋଟାଏଏ ଭୟଙ୍କର ଚିତାବାଘ ହୋଇ

ମୁହଁ ସଂଜବେଳେ

ପ୍ରତିଦିନ ମୋର ଘରଆଡ଼େ ଫେରିବା ରାସ୍ତାରେ

ଗହଳ ବୁଦାରୁ ବାହରି ଡରାଉଛି ମୋତେ ।

ତୁମର ସୀମିତ ତଥା ଦୁର୍ବଳ ସଂଯମ

ଚନ୍ଦ୍ରିକାର କୁମାରୀ ଓ ଅନଭିଜ୍ଞ ଦେହର ଦୁର୍ଗମ

ଓ ରହସ୍ୟମୟ ଘୋର ଜଙ୍ଗଲରେ

ମଣିଷଖିଆ ବାଘଟାଏ ହୋଇ ନାନ ଉତ୍ପାତରେ

ମାତି ଯାଇଅଛି ।

ଶୁଣୁଛି :

କାଳେ ଆଜିକାଲି ତମେ ମୋର ଅବର୍ତମାନରେ

ଦି’ତିନୋଟି ଝିଅସହ

ଦୀର୍ଘସ୍ଥାୟୀ ବାର୍ତ୍ତାଆଳାପରେ

ବିତାଇ ଦେଉଅଛି ଦାୟୀତ୍ୱବିହୀନ ବହୁ ଦ୍ୱିପ୍ରହର ତଥା

ଅବସରରେ ଭାରାକ୍ରାନ୍ତ

ଅନେକ ଦିନାଂତ ।

ତୁମେ ଏତେ ସରଳ ଓ ବୋକା ଓ ନିଷ୍ଠୁର

କିପରି ଯେ ଜାଣୁନାହିଁ

ଦଳେ ଦୁଶ୍ଚରିତ୍ରା ରାକ୍ଷସୀଙ୍କ ହୋଇଛ ଶିକାର !

ମୁଁ ଏଠାରେ କେତେଯେ କଷ୍ଟରେ ଜୀଇଁଛି ଓ

ତୁମସହ ଦେଖାହେବ, ଭବିଷ୍ୟତ ପାଇଁ ଶୀଘ୍ର

ସବୁ ଯୋଜନା କରିବା—

ଏହିପରି ତୁମ ବ୍ୟସ୍ତ ଅପେକ୍ଷାରେ

ଗଡ଼ିଯାଏ ଦିନକାଳ ଓ ଅଂଧାରେ

ମୁଁ ଦେଖୁଚି ରାତିସାରା ଅନେକ ଦୁଃସ୍ୱପ୍ନ :

ନିର୍ଜନ ଗୋଟ ମଶାଣିରେ ଏଣେତେଣେ ମାଳମାଳ

ପଚାସଢ଼ା ମୁର୍ଦ୍ଦାର ଓ ଶିଆଳ

ଶାଗୁଣା ଆଦି ସେ ଶବରୁ ମାଂସ ଝୁଣି ଖାଉଥିବା ଦୃଶ୍ୟ,

ତୁମେ ଶୀଘ୍ର ଆସ ଥରେ ନହେଲେ ମୁଁ କାନ୍ଦିକାନ୍ଦି

ମରିଯିବି ନିଶ୍ଚୟ ଜାଣିଥା’ । ଦେଖିଛି ସେ ମୁର୍ଦ୍ଦାରରୁ ବାରି

ହୋଇଯାଉଥିଲା ଏକ ମୁହଁ ଯାହା

ଠିକ୍‌ ତୁମ ମୁହଁ ପରି ।

Image

 

ବିସ୍ମିତ ବୃତ୍ତାନ୍ତ

 

ବାପା ! ତୁମ ସ୍ୱପ୍ନର ନୀଳବର୍ଣ୍ଣ ଢେଉର ଏକ ଛିଟ୍‌କା ମୁଁ

ତୁମ ପାପୁଲିରେ ଛୋଟ ଫୁଲଟିଏ

ହୋଇ ଦିନେ ଖସି ପଡ଼ିଥିଲି ।

ମନେନାହିଁ, ଅତିଛୋଟ ହୋଇଥିଲି

ଶୁଣିଛି : କିପରି ତୁମେ କଟିଯାଇଥିଲା

ଗୁଡ଼ିର ସୂତାକୁ ଧରି ଭିଡ଼ି ଆଣିବା ପରି, ଘୋର ରୋଗର

ପ୍ରଚଣ୍ଡ ଧକ୍‌କାରେ ଉଛୁର ରାତିର ନିଘୋଡ଼,

ନିଦ ପରି ଶେଷ ନିଦ୍ରାରେ ହଜି ଆସୁଥିଲି, କଟିଯାଇ

ଉଡ଼ି ଯାଉଥିଲି : ଯମଂକର କୃଷ୍ଣକାୟ, କ୍ରୁଦ୍ଧ ମଇଁଷିକୁ

ଦୌଡ଼ି ଦୌଡ଼ି ଝାଳର ଝର୍ଣାରେ ବୁଡ଼ି ଅଟକାଇ ଦେଇ

ବାପା, ମୋ ଛିଣ୍ଡା ସୂତାକୁ ତୁମେ ପ୍ରାଣପଣେ

ଓଟାରି ପକାଇଥିଲ । ମୁଁ ଅଟକିଗଲି । ବଗିଚାର ଫୁଲ

ଏବଂ ଶରତର ଜହ୍ନକୁ ଦେଖାଇ ଭୁଲାଇଲ : ବାବୁରେ !

ପୃଥିବୀ, ତୋର ପୃଥିବୀ କେଡ଼େସୁନ୍ଦର ଦେଖ୍‌, କୁଆଡ଼େ ହେଲେ

ଯାଆନା ଛାଡ଼ି ମତେ, ମୁଁ ପାଗଳ ଓ ଅନ୍ଧ

ହୋଇଯିବି ।। ସତ ମଲିଣି ମୁଁ ।

ସବୁ ରୋଗ ବଇରାଗ ଝାଡ଼ିଝୁଡ଼ି ଦେଇ ଦେ’ ମତେ । ଝାଡ଼ି ହୋଇପଡ଼ି

ଦେଇଦେଲି ସବୁ । କାହାର ଅଦୃଶ୍ୟ ନିର୍ଦ୍ଦେଶରେ ଏଥର

ମୃତ୍ୟୁର ସମସ୍ତ ରକ୍ତିମ ଡୋଳାକୁ ବାଁ’ରେଇ, କ୍ରମଶଃ

ମୁଁ ଡେଙ୍ଗା ହେଲି ।

ବାପା, ଆଜି ଏକୋଇଶ୍‌ ବର୍ଷର ଏକ ସହର ମୁଁ ।

ପାପ ଓ ପୁଣ୍ୟର କେତେ କୁଡ଼ିଆ ଓ କୋଠି

ଆଘାତ ଓ ଆରାମର କେତେ ବଣ ଓ ବଗିଚା, ଏବଂ

ବିଷାଦ ଓ ଯନ୍ତ୍ରଣାର ପ୍ରକାଣ୍ଡ ବହୁ ଜଳଜନ୍ତୁ ଅଧ୍ୟୁଷିତ

ଅତଳାନ୍ତ ଏକ ଦୁଃଖର ଗଡ଼ଖାଇ ବେଢ଼ିଛି ଏ ଅଦ୍ଭୁତ ସହର ।

ବାପା ! ଏପରି ଏକ ରୋମାଞ୍ଚକର ଇତିହାସ

ମୁଁ : ଯେ ମୋତେ ପାଠ କରି ଆତଙ୍କିତ

ହେବାର ଭୟରେ ସ୍ୱୟଂ

ଈଶ୍ୱର ବି ମୋ’ଠାରୁ ଦୂରରେ । କିଂତୁ

ଏତେ ବିପଦର ଆାଶଙ୍କାକୁ, ଆଶ୍ଚର୍ଯ୍ୟ କଥା ଯେ

ପ୍ରତିଧ୍ୱନି ପରି ଫେରାଇଦେଇଛି ଏକ ମେଘ ରଙ୍ଗର ଝିଅ । ବାପା !

ଗଡ଼ଖାଇର କୁମ୍ଭୀରଙ୍କ ଦାନ୍ତ ଧାରରୁ ସେ ଖସିଆସିଚି ଓ

ଗୋଡ଼ରୁ ରକ୍ତ ସବୁ

ପୋଛି ଦେଇ ସହରସାରା ଦୃଢ଼ ବୁଲୁଅଛି ।

ସମୁଦ୍ରର ଢେଉ ପରି ପାହାଡ଼ ପଛକୁ ପାହାଡ଼

ରଥଯାତ୍ରାର ଲୋକ ଗହଳି ପରି ଲଟା-ଗହଳି :

ମୁଁ ଚାଲିଛି ।

ରକ୍ତମୁଖ ଦଶଂଧିର ବିରକ୍ତିରେ

ଅଦୃଶ୍ୟ ବାଜପକ୍ଷୀର କରତାଳିରେ

ମୁଁ ଚାଲିଛି ହାତ ହଲେଇ ହଲେଇ ପାଗଳ ଭଳି ଓ

ମୋ ପଛରେ : ଅଦୃଶ୍ୟ ଭାବରେ

ସେଇ ମେଘବର୍ଣା କନ୍ୟା ।

ବାପା, ତୁମ ଭଲ ପାଇବାରୁ ସୃଷ୍ଟ

ତୁମ ସ୍ୱପ୍ନର ବିସ୍ତୃତ ଫୁଲବଣର ଏକ ଚାରାଗଛ ମୁଁ.......

ତୁମ ବୃହତ୍‌ ଆଞ୍ଜୁଳାରେ ଦିନେ ଗଲିଭର୍‌ ପରି ଖେଳୁଥିଲି, ଏବେ

ପୃଥିବୀ’ଠୁ ଢେର୍‌ବଡ଼ ଏବଂ ଈଶ୍ୱରଙ୍କଠାରୁ ବହୁବେଶୀ

ମାତ୍ରାରେ ଦୁର୍ବୋଧ୍ୟ ଏକ ବସ୍ତୁହୋଇ ଘୂରୁଅଛି ବିଜୁଳିପଙ୍ଖାର

ସୁତୀବ୍ର ବେଗରେ ନିଜ ପରିଧି ଉପରେ ଏବଂ

ଚାରିପଟେ ମୋର

ଚନ୍ଦ୍ରପରି ଘୂରୁଅଛି ଉକ୍ତ ନାରୀ : ମୋ ଦେହ ଭିତରେ

ଅଦୃଶ୍ୟ ଭାବରେ ମୋର ଆତ୍ମା ଯେଉଁପରି ।

Image

 

ବିଷାକ୍ତ ଚିତ୍ରପଟ

 

ଅତିକ୍ରମ କରିଥିବ

ପାଖାପାଖି ଷୋହଳଟି ଦୁଃଖର ଫାଲ୍‌ଗୁନ ।

ପ୍ରତ୍ୟହ ରାତିରେ : ଅନ୍ଧାର ବା ଚନ୍ଦ୍ରାଲୋକ, ବର୍ଷା ଅବା

ନିର୍ମେଘ ଆକାଶ, ଶୀତର ଦୁର୍ଜୟ ମୃଗୟା କିମ୍ବା ବଳବାନ୍‌

ଗ୍ରୀଷ୍ମର ଅଶ୍ୱସ୍ତି, ଯାହା ଇଚ୍ଛା ତାହା ହୋଇଥାଉ : ଅବୟସ୍କା ରୋଗୀ

ସେହି ଭିକାରୁଣୀ, ଯିଏ ଦିବସର ଅର୍ଦ୍ଧାଧିକ କାଳ ଧରି

ବୁଲିବୁଲି ଭିକ୍ଷା କରିଥାଏ, ଫେରିଆସେ

ଆପାତତଃ ନିର୍ଜନ ଏକ ଝଂକାଳିଆ ଗଛର ତଳକୁ ଏବଂ

ଅତିଅଳ୍ପ ଶବ୍ଦଯୁକ୍ତ ନୀରବ କାନ୍ଦରେ ତା’ର

ଧୋଇବାକୁ ଚେଷ୍ଟାକରେ ଗତ ବିପର୍ଯ୍ୟୟ ତଥା

ଅବଶିଷ୍ଟ ଜୀବନରେ ଘଟିବାକୁ ବାକିଥିବା

ଦୁଃଖ କଷ୍ଟ ଦୁର୍ଦ୍ଦଶାର ନାନାବିଧ ମଳିନ ପଦାର୍ଥ ।

ବୁଦ୍ଧିର ଏତେ ବେଶୀ ଯାଦୁକରୀ ଐନ୍ଦ୍ରଜାଲିକତା

ର ସାମ୍ରାଜ୍ଞୀ ସେ ହୋଇଥିବ କେବେହେଲେ ? ସାମର୍ଥ୍ୟ ନଥିବ ଆଦୌ

ଜୀବନ ଅସ୍ଥାୟୀ ଏବଂ ଦୁଃଖସବୁ ପ୍ରଭୁଦତ୍ତ

ଇତ୍ୟାଦି ଇତ୍ୟାଦି ଭାବି

ଏ ଜୀବନ ଜୁଆଖେଳ, ଘୋଡ଼ାଦୌଡ଼ ଅଥବା ସେପରି କିଛି—

ଏହିପରି ଖିଆଲ୍‌କୁ ଆଶ୍ରାକରି କୌଣସି ପ୍ରକାର ଗୋଟେ

ମାନସିକ ବ୍ୟବସ୍ଥାରେ ପୂରାପୂରି

ଭଙ୍ଗାରୁଜା ଜନ୍ମଟାଏ ପାର୍‌ ହୋଇଯିବ ।

ସୁଦୂର ଲମ୍ୱିତ ତା’ର ବିଷାକ୍ତ ଓ ନିର୍ଦ୍ଦୟ ବିପର୍ଯ୍ୟୟ ଏବଂ

ଅନତିଦୀର୍ଘ ତା’ର ଜୀବନର ମାନଚିତ୍ର ଖୋଲିଧର, ଦେଖାଯିବ :

ସ୍ପଷ୍ଟ ବହୁ ଜଳପଥ, ରାସ୍ତା ଏବଂ ରେଳ ତଥା

ବ୍ୟୋମମାର୍ଗ ସଙ୍କେତସୂତ୍ରରେ

ଦର୍ଶାଯାଇଅଛି ସେଠି : ମଣିଷର ଜୀବନକାଳରେ

ସମ୍ଭାବିତ ପାଖାପାଖି ସମସ୍ତ ପ୍ରକାର ଦୁଃଖଦୁର୍ଦ୍ଦଶାର ସ୍ଥିତି ।

ଆକାଶରେ ଅଦୃଶ୍ୟ ବିହାର ଛାଡ଼ି

ଅନୁଚିତଭାବେ ତା’ର ଭାରତ, ବା ଓଡ଼ିଶାରେ ଓହ୍ଲାଇବା ପରେ

ଭରସା ବା ପ୍ରତିଶ୍ରୁତି ନିହାତି ସାମାନ୍ୟ ମାତ୍ରାରେ ନଥିଲା ତା’

ସ୍ୱାସ୍ଥ୍ୟରକ୍ଷା କଥା ଛାଡ଼ି, ସୁରକ୍ଷା ବା ନିରାପତ୍ତା ପାଇଁ ।

ଛିଣ୍ଡା ଅଖା, ଚିରା ଜରି, ବାଉଁଶର ଭଙ୍ଗା ତାଟି

ନର୍ଦ୍ଦମା ହିଡ଼ର ମାଟି, ମାଙ୍କଡ଼ାପଥର କେତେ ଏବଂ ଗଛ ଡାଳ—

ଏ ସମସ୍ତ ବସ୍ତୁ ଜରିୟାରେ ନିର୍ମିତ ଗୋଟିଏ

ଅତି ଜୀର୍ଣ୍ଣ ଓ ଦରିଦ୍ର :ପାଞ୍ଚଫୁଟ ଉଚ୍ଚ ଏବଂ ଛଅଫୁଟ ଲମ୍ୱର

କୁଡ଼ିଆ : ଘନଘୋର ବର୍ଷଣମୁଖର ଏକ କାଳାନ୍ତକ

କୃଷ୍ଣପକ୍ଷ ଅନ୍ଧାର ରାତିର ଅଧାଅଧି ହୋଇଥିବ,

ଜନ୍ମନେଲା ସିଏ ଏହି ସଂସାରରେ, ପରବର୍ତ୍ତୀ

କାଳରେ ଯେ ହେଲା : ତ୍ରିପୁରର ବୀଭତ୍ସତମ ଦଣ୍ଡର

ଏକ ଜୀବନ୍ତ ପ୍ରତୀକ ତଥା

ଦୃଷ୍ଟାନ୍ତ : ଏ ପୃଥିବୀରେ ବାସ କରି ନରକ ଭୋଗର । ୪୦

ହାତ ଓ ପାଦ ଗଳିତ ରୁଗ୍‌ଣା ମାଆର ସ୍ତନ

ଲୋଳିତ ଓ ଦୁଗ୍‌ଧହୀନ : ଯେପରି

ବସ୍ତୁ ତଥା ବାୟୁଶୂନ୍ୟ ଦୁଇଟି ପତଳା

ଖାକି କନାର ମୁଣି ।

ପାଞ୍ଚବର୍ଷ ବୟସରେ ମାତାର ଅଭଂଗ ନିଦ୍ରା, ଆଠବର୍ଷ

ପ୍ରାରବ୍‌ଧରେ ଏକମାତ୍ର ଅବଶିଷ୍ଟ ପ୍ରିୟବସ୍ତୁ, ଆଶ୍ରୟ ଓ

ସାହସର ମୂର୍ତ୍ତି : ବାପର ଚିରକାଳ ଦୁଃଖରେ ବିବର୍ଣ୍ଣ

ଆଖିରେ ସୂର୍ଯ୍ୟାସ୍ତର ମର୍ମନ୍ତୁଦ ଦୃଶ୍ୟ ।

ଏନାମେଲ୍‌ ଉଠିଯାଇଥିବା ଏକ ପରିତ୍ୟକ୍ତ

ଥାଳି, ଭିକ୍ଷାଥାଳ ତା’ର :

ଦେଖିଛି ବେଳେବେଳେ କିପରି ତାହା ଏକ

ଲୁହର ପାଣିରେ ନିର୍ମିତ ସମୁଦ୍ରର ପରି ଦେଖାଯାଏ,

ଯେଉଁଥିରେ ଭରପୂର ଦୁଃଖ କଷ୍ଟ ଦୁର୍ଦ୍ଦଶାର

ଦୁର୍ଦ୍ଦର୍ଷ ଓ ନାରକୀୟ ବହୁ ବହୁ ବିଷାକ୍ତ ସରୀସୃପ ।

ବର୍ଷେ ହେବ ତଳେ ଯେବେ

ତା’ ଦେହରେ ରୋଗଚିତ୍ର ସୁସ୍ପଷ୍ଟ ନଥିଲା :

ଶୀତଦିନ ନିର୍ଜନ ରାତିରେ ଥରେ ରେଳରାସ୍ତା ପାର୍ଶ୍ୱବର୍ତ୍ତୀ

ଝଙ୍କାଳିଆ ଗଛଟାଏ ତଳେ ଶୋଇଥିଲା,

ବିପର୍ଯ୍ୟୟର ଲଗାୟତ ଝଡ଼ବର୍ଷା/ବନ୍ୟା, ବାତ୍ୟା

ତୋଫାନ ଓ ଭୂକମ୍ପରେ

ଭାଙ୍ଗିରୁଜି ଉଜୁଡ଼ି ଯାଇଥିବା

ଦେହର ବଗିଚା ତା’ର ସାମାଜକ ମଣିଷଙ୍କ ଦ୍ୱାରା

ସାମଗ୍ରିକ ଭୂଲୁଣ୍ଠିତ ଖିନ୍‌ଭିନ୍‌ ହେବାର ସଂବାଦ କିଂତୁ

ରାଜ୍ୟ ତ ଦୂରସ୍ଥ କଥା

ସହରର କେଉଁଠାରେ ହେଲେ ପହଂଚିଲା ନାହିଁ ।

ସୁସଜ୍ଜିତ ନିରାପଦ ଓ ସୁଖଦ ମହାର୍ଘ କୋଠିରେ ସମସ୍ତ

ପ୍ରକାରର ଗ୍ରହଣୀୟ ତଥା ବର୍ଜନୀୟ

ଅୟସ ଓ ଭୋଗରେ ଉନ୍ମତ୍ତ କିଶୋରୀ : ଯାହାର

ଘନଘୋର ଦୁଃସ୍ୱପ୍ନରେ ସୁଦ୍ଧା କଳ୍ପନାର ପରିସୀମା ବହିର୍ଭୂତ

ମଣିଷର ଯେ ଅବସ୍ଥା, ସେ ସମସ୍ତ ଅବସ୍ଥାକୁ ମାତ୍ର

ଷୋହଳଟି ବର୍ଷର ମାମୁଲି ଓ ନଗଣ୍ୟ ଆୟୁରେ

ଆଞ୍ଜୁଳା ଆଞ୍ଜୁଳା କରି ଆଜୀବନ ଦେହସାରା

ଢାଳିହୋଇ ଅନବର୍ତ, ଶୋଇଅଛି ସେ ଭିକ୍ଷୁକୀ

ଅନତିକ୍ରମ୍ୟ ଦୈର୍ଘ୍ୟର ବିଶ୍ରାମ ଶଯ୍ୟାରେ,

ଲିଭିଛି ଆଖିରୁ ତା’ର ଷୋଳବର୍ଷ ବୟସରେ

ଦେଖାଯାଏ ଯେଉଁ ସ୍ୱପ୍ନ, କିମ୍ବା

ସେ ସ୍ୱପ୍ନ ତା’ ଆଖିର ବଇଠାରେ ଆଦୌ ଜଳିନି ।

ତା’ ମୃତ ଦେହର କାନ୍‌ଭାସ୍‌ରେ ଆଙ୍କି ହୋଇଥିବା

ସଂସାରର କି ଆଶ୍ଚର୍ଯ୍ୟ ଚିତ୍ର ଏହା ଦୃଶ୍ୟମାନ, ଯାହାକୁ

ଆଂକିନି ଆଦୌ ପିକାସୋ ବା ଅସିତ ମୁଖାର୍ଜୀ,କିମ୍ବା

ଉଦୟ ଜେନା ଅଥବା ଶିବ ପାଣିଗ୍ରାହୀ । ଆଙ୍କିଛି ଯାହାକୁ

ପଙ୍ଗୁ ଏହି ସ୍ୱାର୍ଥପର, ରୋଗଗ୍ରସ୍ତ ସମାଜର

ଧୂର୍ତ୍ତ ଖଳନାୟକର ମୂର୍ତ୍ତି,

ଇଜେଲ୍‌ରେ ଲକ୍ଷ ଲକ୍ଷ ଦୁଃଖର ସମୁଦ୍ର ଦିଶେ

ଦିଶେ ପ୍ରିୟ ଓଡ଼ିଶରେ ଜନ୍ମପ୍ରାପ୍ତ

ନିମାର୍ଖି ଏ କନ୍ୟାଟିର ପ୍ରଲମ୍ୱିତ ଆର୍ତ୍ତି ।

Image

 

ବାଟୋଇ : ଅନାଗତ ସମୃଦ୍ଧ ସଡ଼କ

 

ରାସ୍ତା ଅବା ରେଳଦୁର୍ଘଟଣା

ସର୍ପ ଦଂଶନ କିମ୍ବା ଦୁରାରୋଗ୍ୟ ରୋଗରେ ପଡ଼ି ମରିଯିବା

ର ଆାଶଙ୍କା : ଆଜିକାଲି ବିତୃଷ୍ଣା, ଔଦାସ୍ୟ ଏବଂ

କ୍ଳାନ୍ତିର ରସଦରେ ମୋ ମୁଣ୍ଡର ଭଣ୍ଡାର ଭରୁଚି

ଗତବର୍ଷ ମୋର ବନ୍ଧୁ ରାଜେନ୍ଦ୍ର ଖୁଂଟିଆ ମଲା । ପ୍ରେମିକାକୁ

ବିବାହ କରିଥା’ନ୍ତା ମାତ୍ର ଚାରିଦିନ ପରେ ।

ବର୍ତ୍ତମାନ ଭଗବାନ୍‌ ଆସନ୍ତେ ଓ

ମୁଁ ଖଟରୁ ଉଠି ଭୂମିଷ୍ଠ ପ୍ରଣାମ କରନ୍ତି ତାଙ୍କୁ

ଦ୍ୱାରବନ୍ଧ ପାଖେ ସହାସ୍ୟ ବନରେ ଛିଡ଼ାହୋଇ ସେ ଆଶୀର୍ବାଦ

ପ୍ରଦାନସୂଚକ ହସ୍ତୋତ୍ତୋଳନ କରନ୍ତେ ଏବଂ

କହନ୍ତେ : ଚନ୍ଦ୍ରିକା ଓ ତୋର ପ୍ରେମର ନିବିଡ଼ତା

ଅଭୂତପୂର୍ବ ବତ୍ସ ! ତୁମ ଦୁହିଁଙ୍କର

ମିଳନ ନିଶ୍ଚିତଭାବେ ସଂପାଦିତ ହେବ

କେଉଁଠାରେ କିଛିହେଲେ ଦୁର୍ଘଟଣା ଘଟିବନି, ସମଗ୍ର

ଜୀବନ ତୁମ ଶାନ୍ତରେ କଟିବ ।। ଚନ୍ଦ୍ରିକା ମୋ’ର ହେବ :

ଆମେ ଦିହେଁ ଶାନ୍ତିରେ ଏ ଜନ୍ମ

ବିତାଇବୁ— କାଣିଚାଏହେଲେ ଆଉ କିଛି ଅଧିକା ଏହାଠୁ

ଦରକାର ନାହିଁ ମୋର, ମହାପ୍ରଭୋ ! ତୁମେ ଅତି ବଡ଼ଲୋକ ।

ଦୟା ନଈର ବିସ୍ତୃତ ବାଲିର ଶେଯ : ତା’ର ସ୍ୱଳ୍ପ ଅଂଶରେ

ଶୋଇଥିବା ପରିଷ୍କାର ପାଣିର ରୂପସୀ ଦେହ ଅଳ୍ପ ଅଳ୍ପ

ଥରୁଥିଲା ନିର୍ଜନ ରାତିର ଶୀତଳ ବାୟୁରେ

ପାଗ ଅତି ଚମତ୍କାର ଥିଲା । ଓ

ନିର୍ମେଘ ଆକାଶରେ ପଞ୍ଚମୀର ଜହ୍ନ ଅସ୍ତ

ଗଲାବେଳେ ମୁଁ ସେଇ ପ୍ରଲଂବିତ

ବାଲିର ବିଛଣାରେ ବସିଥିଲି ଏକୁଟିଆ । ଚନ୍ଦ୍ରିକା ନଥିଲା ।

ପ୍ରେକ୍ଷାଳୟମାନଙ୍କରେ ଦର୍ଶନୀୟ ଚିତ୍ରସବୁ

ପ୍ରଦର୍ଶିତ ହୋଇ ପୁଣି ଚାଲିଯାଉଚି : ଘର ଛାତ ଉପରେ

ମୁଁ ବୁଲୁଚି ଏକାଏକା

ସିନେମା ଯାଉନି । କାହିଁ ଚନ୍ଦ୍ରା ? ସେ ଏଠାରେ ନାଇ ।

ବର୍ଷା ଅଜାଡ଼ୁଛି । ଲରୀଭର୍ତ୍ତି ମଲ୍ଲୀଫୁଲ

ବଗିଚାରେ ନାଚରେ ଉଦ୍‌ବାର୍ଯ୍ୟ,

ପରିଚ୍ଛନ୍ନ ବିଛଣାରେ ଶୋଇରହ ଖୋଲା

ଝର୍କାରେ ମୁଁ ଦେଖୁଚି ବର୍ଷାର ଝରଣା,

ବିବ୍ରତ ନିଃସଙ୍ଗତାରେ ରାତି

ବଢ଼ୁଚି । ଏବଂ ଚନ୍ଦ୍ରା ? ସେ ଏଠାରେ ନାଇ ।

ଉତ୍ତର ଓଡ଼ିଶାର ଛୋଟ ଏକ ରେଳଷ୍ଟେସନ ନିକଟବର୍ତ୍ତୀ

ଚନ୍ଦାମୁଣ୍ଡିଆ ବୁଢ଼ା ଚାକୁଣ୍ଡା ଗଛଟାଏ ସମ୍ୟକ୍‌

ହସୁଥିବ ତା’ର ଶୁଖିଲା ଓଠ ଆଉ ପାକୁଆ ପାଟିରେ ଓ

ଆଶୀର୍ବାଦ କରୁଥିବ ତା’ର ଶିରାଳ ହାତ ଉଠାଇ :

ଆହା ସତେ ସ୍ୱର୍ଗର କେଉଁ ବୟସ୍କ

ଦେବତା ଜଣେ ! ଭଙ୍ଗାଛାଇରେ ତା’ର ଚନ୍ଦ୍ରିକା ମହାନ୍ତି ନାମ୍ନୀ

କିଶୋରୀ : ମୋ ଆତ୍ମାର ଅର୍ଦ୍ଧାଧିକ : ଚାହିଁ ବସିଥିବ ମୋତେ ।

ମହାପ୍ରଭୁ, ତୁମେ ଅସମ୍ଭବ ଶକ୍ତିଶାଳୀ

ଅଦୃଶ୍ୟ ଅଧିପତି ଏହି

ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡର : ତୁମ ଦୟାସିକ୍ତ ମହାନ୍‌

ଅଙ୍ଗୁଳି ନିର୍ଦ୍ଦେଶରେ ଏ ପାପୀର କ୍ଷଣସ୍ଥାୟୀ

ଯୁଗଳଜୀବନ ନିର୍ମିତ ହେବ ଓ

ପବନରେ ଅହରହ ଭାସୁଥିବା ଆଶଙ୍କାର ବିଷଗୁଣ୍ଡ

ଆଡ଼େଇ ଆଡ଼େଇ : କେଉଁପରି ପ୍ରାଣାନ୍ତିକ କଷ୍ଟରେ ମୁଁ ପହଁରୁଛି

ଏ ଭବସାଗର ଦେଖ ଈଶ୍ୱର ! ଆଜିଠାରୁଅହରହ ପୁଣ୍ୟ

କର୍ମମାନ କରିଯାଏଁ ନିରନ୍ତର : ଏହିଯାତ୍ରା ଶେଷ ଯାତ୍ରା

ଏହି ଜନ୍ମ ଶେଷ ଜନ୍ମ ହେଉପ୍ରଭୁ ଚନ୍ଦ୍ରା’ର ଓ ମୋର ।

Image

 

ନିର୍ବାସନରୁ ଶବ୍ଦ

ଅନ୍ୟାୟ ଯେପରି

 

ଲୋକାଲୋକରୁ ବହୁ ସସ୍ର କ୍ରୋଶଦୂର କେଉଁ

ନିଝାଡ଼ ଅରଣ୍ୟର ଛାୟାଲୋକେ

ନିରୀହ ମଣିଷଟିକୁ ଏହିପରି ଏକୁଟିଆ ଛାଡ଼ିଦିଆ ଯାଏ ଏବଂ

ଜହ୍ନରାତିର କୁହେଳିରେ

ଗଛଡ଼ାଳେ ଲୁଚିବସି ଇତସ୍ତତଃ ଲୋକଟିକୁ ଗୁଳି କରାଯାଏ ।

ନିଷ୍କପଟ ଓ ବେସାହାରା ଲୋକଟିକୁ ଏହିପରି

ବିନାକାରଣ ଏବଂ ଉଦ୍ଦେଶ୍ୟରେ ଦୁର୍ବୋଧ୍ୟ କେଉଁ

ଖିଆଲ୍‌ର ବଶବର୍ତ୍ତୀ ହୋଇ ପୃଥିବୀର ବାହାରକୁ

ନିର୍ବିଚାରରେ ତଡ଼ି ଦିଆଯାଏ,

ପାଗଳ କୁକୁର ପରି ବିଷଦେଇ ବସ୍ତିର ବଜାରରୁ

ଚିରଦିନ ଲାଗି

ଘଉଡ଼ାଇ ଦିଆଯାଏ ।

ଗାଁ ମୁଣ୍ଡ ଆମ୍ୱତୋଟାରେ ବସି ଅନେକ ନିର୍ଜନ

ମଧ୍ୟରାତ୍ରିର ଥଣ୍ଡା

ଆବହାୱାରେ ବିମୋହିତ ବଂଶୀବଜାଏ ସେ । ପଡ଼ାର

ଶେଷ ଘରୁ ଝର୍କାଟିଏ ଖୋଲେ । କିଏ କହୁଥିଲା

ଝର୍କାଖୋଲୁ, ଆଉ ପବନରେ ଧୀରସ୍ଥିର ଗମ୍ଭୀର ଗଛଙ୍କର

ପତ୍ରସବୁ ଦୋହଲୁ ? ଗବାକ୍ଷଫାଙ୍କରୁ କାହାର

ସୋମ୍ନାବଲିଷ୍ଟ୍‌ ହାତ ବନ୍ଧୁକ ଉଠାଇ ଧରେ । ଟ୍ରିଗାର୍‌

ଦବାଇଦିଏ । ସାମ୍ନାଗଛରୁ ଭୟଭୀତ ପକ୍ଷୀଟିଏଅନିଚ୍ଛା ସତ୍ୱେ

ଇଚ୍ଛାକରେ: ଡେଣାପିଟି ଚନ୍ଦ୍ରାସ୍ତର ଅନ୍ଧାରକୁ

ଉଡ଼ି ଚାଲିଯାଏ ।

ଛାତିରେ ଭୀଷଣ କଷ୍ଟ । ଆଙ୍ଗୁଳିରେ ମଲମ ଉଠାଇ ଆଣି

ବୋଳି ଦେବ :ଏପରି କେହି ନିଜର ଲୋକଟିଏ ନାଇ । କେହି ନାଇ

ଚମତ୍କାର ଗୀତ ବୋଲି ସେପାରିରେ

ନଉକାରେ ପହଂଚାଇଦେବ !

ଅହରହ ପରାଜିତ, ଦୁଃଖସହ ବାଧ୍ୟ ମୁଷ୍ଟି ଯୁଦ୍ଧରେ

ବ୍ୟାପୃତ ମଣିଷ ଏକ । ସୁନାର ହରିଣଦଳ

ତୃଷା ମେଣ୍ଟାଇ ଝର୍ଣାର ଶୀତଳ ଓ ପରିଚ୍ଛନ୍ନ ପାଣି

ପିଉଥିବେ ଏବଂ ମହାବଳ ବାଘ ଏକ ଛକିଛକି

ବୁଦା ଓ ପଥର ଉହାଡ଼ୁ କୁଦିପଡ଼ିବ,ଛିନ୍‌ଛତ୍ର

ନିରୀହ ଜୀବଗୁଡ଼ିକ । ଗୋଟିଏ ସୁସ୍ଥ ହରିଣବେକତଳୁ

ରକ୍ତ ବୁହାଇ ଛାଟିପିଟି ହେବ

ମରି ଶୋଇବ । କେବେ କେମିତି ରାତି ଅଧରେ ଜଙ୍ଗଲରୁ

ବଂଶୀର ସ୍ୱର ଭାସିଆସିବ କି ନ ଆସିବ ।

ଏହିପରି ସାଦାସିଦା ନିର୍ମଳଛାତିର ସେଇ

ତରୁଣର ମାଂସଳ ଗୋରା ଜଂଘ, ଛାତି ଓ ଗାଲରୁ

ପୁଳାପୁଳା ହୋଇ ମାଂସ ସବୁ ନିର୍ଦ୍ଦୟ ଭାବରେ

କାଟି ନିଆଯାଏ । ବିଗତ ଜନ୍ମର କେଉଁ

ଅଜ୍ଞାତ ଓ ସଂଦିଗ୍‌ଧ ପାପ ପାଇଁ

ସରଳ ଗୋଟିଏ ସମଗ୍ର ଜୀବନକୁ

ଅସଂତୁଷ୍ଟ ଈଶ୍ୱରଙ୍କ କୋପାଗ୍ନିରେ ଜାଳି ଦିଆଯାଏ,

ଜୀଅନ୍ତା ମଣିଷଟାକୁ ମୃତଭାବି ଶାଗୁଣା ଓ

ଶୃଗାଳଙ୍କ ନଖ ଏବଂ

ଦାନ୍ତର ବ୍ୟୁହ ମଧ୍ୟକୁ ଫିଙ୍ଗି ଦିଆଯାଏ ।

Image

 

ମୃତ୍ୟୁ ଯଦି ଶେଷକଥା ନୁହେ

 

ଅକସ୍ମାତ୍‌

ଐତିହାସିକ ମୋର ମୃତ୍ୟୁ ପରେ

ଜାଣିବନି, ଖୁବ୍‌ ବେଶୀ ଜାଣିବାର କଥା ଯା’ର ।

ଏପରିକି ମୋର ଫଟୋ ଖଣ୍ଡେ ମଧ୍ୟତା’ର ପାଖରେ ନଥିବ

ଛାଟିପିଟି ହେବା ପାଇଁ

କହିବାକୁ ବହୁକିଛି କଥା

ଚେଷ୍ଟା କେତେ କରନ୍ତା ଆକୁଳେ ଯାହା,

ପ୍ରେରିତ ପତ୍ରର ଶବ୍ଦପୁଂଜ

ଚଳତ୍‌ ଶକ୍ତିହୀନ ଆହୁଲା ମରାନ୍ତା

ଶବ୍ଦାୟିତ ହେବାର ଚେଷ୍ଟାରେ, କିଂତୁ

କୋହର କୁହୁଡ଼ି ଡେଇଁ

ଚିଠି ସବୁ ସେ ପୋଡ଼ି ଦେଇଥିବ : ଭୟଙ୍କର ବିପଦ ଭୟରେ ।

ମୋର ପ୍ରେତ, ସଂଘର୍ଷରେ ସାମଗ୍ରିକ ସତ୍ତା

ଯାହାର ଦରଜ— ନିର୍ଜନରେ ଭେଟି କହିବାକୁ ଚାହାନ୍ତା ଆସ୍ତେ

ବହୁ ଲମ୍ୱା କାହାଣୀର ମୁଖବନ୍ଧ, କିନ୍ତୁ

ଆଗପଛ ଖୋଜି ହେବ : ନାହିଁ ଦେହ, ସ୍ୱରଯନ୍ତ୍ର ଏକାନ୍ତ ଅସଜ ।

କେଉଁ ପୁଣ୍ୟ- ଦୁଃଖ

ବୟସରୁ ମୋର ଶୋଷିନେଇ ସବୁ ସାବ୍‌ଜା

ହତ୍ୟା କଲା ମୋତେ,

କେଉଁ ପାପ- ସୁଖ

ର କୂଳହୀନ ଅଂଧ କଳା ସମୁଦ୍ରରେ

ଭଂଗା ଭେଳାରେ ବସି ନିଜ ଭସାଇଦେଲି, ଭସାଇଲା ବେଳେ

ହସୁଥିଲି । ତାହା ମୋର ବିଷଦଗ୍‌ଧ ଆନନ୍ଦ ସମୁଦ୍ର !

ହାତରେ ଧରିଥିଲି ମଦ୍ୟପାତ୍ର, ଦରଦୀ ସୂର୍ଯ୍ୟକୁ କହିଲି :

ଆଖି ବୁଜି ଦିଅ । ସମୁଦ୍ରରେ ଝଡ଼ ଆସୁ । ଅନ୍ଧାରରେ ଗାଢ଼ ନୀଳ

ଝଡ଼ର ସମୁଦ୍ର ଭାରି ଲାଗୁଅଛି ଭଲ ।

ପ୍ରିୟତମା ! ହଜିବାର ପ୍ରାକ୍‌କାଳେ ଭାରି କଷ୍ଟ ହୋଇଥିଲା

ଭାବିବାକୁ ତୁମ ବାହୁ ବନ୍ଧନରେ ନିର୍ଜନ ସେ ଅରଣ୍ୟର ଖରା

ଲୁହ ଝର୍ଣା ଶୁଖିଲାଣି ?

ଆହା, ଥରେ ଫେରିଚାହିଁ

ମୋର ମୃତ୍ୟୁ ପରେ ମଧ୍ୟ କେଉଁପରି ଏକା

ଦୂରେ ଛିଡ଼ା ହୋଇଅଛି ମୋ ଦୁଃଖର ସୁଦୃଶ୍ୟ ବଖରା । ୩୨

ମୋର ମୃତ୍ୟୁପରେ ଆଉ ଖୁବ୍‌ ବେଶୀ କଥା କଣ୍‌—

ତୁମ ବଗିଚାର ଫୁଲଗହଳିରେ ଅଦୃଶ୍ୟ

ମହୁ ମାଛିଟିଏ ହୋଇ କିଛିକାଳ

ପାଟିତୁଣ୍ଡ କଲାପରେ/ପାଟିତୁଣ୍ଡ : ଯାହା

କାହାରିକୁ ଜଣେ ହେଲେ ଶୁଣାଯିବ ନାହିଁ ଏବଂ

ତା’ପରେ ଭଡ଼ାଘର ସଂଧାନ କରିବା ପରି ଖୋଜି ଖୋଜି

ହଜିଯିବି । ଅନ୍ୟ କାହା ରକ୍ତର

ପତଳା ଚାଦର ତଳେ ଘୋଡ଼ି ହୋଇଯିବି ।

ବଂଚିବାରୁ ମରି ପୁଣି ମରିବାରୁ ଜନ୍ମ ହେବାପରେ

ଜାତିସ୍ମର ହେବି ଯଦି

କୁହ ପ୍ରଭୁ କେତେ ଜନ୍ମ କଷ୍ଟକର ସାଧନା ଶେଷରେ

ତୁମେ ମୋର ପ୍ରେମାସକ୍ତ ହେବ

ତୁମ ସହ ଦେଖାହେବ: ପ୍ରଲମ୍ୱିତ ପାହାଚର

ସ୍ୱପ୍ନିଳ ଆରବ୍‌ଧରେ, ତୁମ ସ୍ୱର୍ଗଦ୍ୱାରେ ?

Image

 

ପାପୀ ଦେବତା

 

ହୁଏତ ଏଠାରୁ ମାତ୍ର ଶହେଗଜ ଆଗେଇବା ପରେ

ଦେଖାଯିବ ରାସ୍ତା ସେଇଠାରେ ଶେଷ ।

ସାମ୍ନାରେ ଆକାଶ ପରି

ପୂର୍ଣ୍ଣଚ୍ଛେଦ ବିହୀନ ଶୂନ୍ୟତା, ଅନ୍ଧାର। ତା’ପରେ ହଠାତ୍‌

ଅପେକ୍ଷାହୀନ ସମୟର ଧକ୍‌କା ମୋତେ

ପେଲିଦେବ ଅତଳାନ୍ତ ଅନ୍ଧାର ଗର୍ଭକୁ ଓ

ଓଡ଼ିଶାର ଲକ୍ଷଲକ୍ଷ ଲୋକଙ୍କର

କଥା ଛାଡ଼, ତୁମେ ଖାସ୍‌ ତୁମେ ଏବଂ ମୋର

ଆତ୍ମୀୟସ୍ୱଜନ ଆଉ ଥରେ ହେଲେ ମୋତେ

ଦେଖି ପାରିବେନି । ତୁମର ଅକଳଣ ସ୍ନେହ ବଦଳରେ

ତୁମକୁ କ’ଣ ଦେଲି ?

ଗ୍ୟାଲନ୍‌ ଗ୍ୟାଲନ୍ ଲୁହ ଶୋଷି ନେଇ ପାରୁଥିବା

ଦୁଖର ଏକ ବିଚିତ୍ର ଓ ଭୌତିକ ରୁମାଲ୍‌ ।

ଅପୂର୍ବ କେଉଁ ଅଷ୍ଟମ ରଂଗର

ତୁମର ଅବର୍ଣ୍ଣନୀୟ ହସ : ଯେଉଁ ହସର ମୂଲ୍ୟ ସାରା

ସ୍ୱର୍ଗପୁରୀ ଠାରୁ ମଧ୍ୟ ବେଶୀ ଦାମ୍‌ ହବ ବୋଲି

ମୁଁ ଏଇନେ ବାଜି ମାରିପାରେ ଈଶ୍ୱରଙ୍କ ସଙ୍ଗେ,

ତାକୁ ଦେଖିବାର ପୁଣ୍ୟ, ଯୁଗାବ୍‌ଧି ସଂଚିତ ଯାହା,

ଏଇ ଆଖିର ଥିଲା । ମୋର

ମଇଳା ରଂଗର ଭଂଗାରୁଜା ଏଇ ଅଳ୍ପାୟୁ ଆଖିର ।

ପୁନଶ୍ଚ ସେ ଆଖି, ଅର୍ଥାତ୍‌

ଓଡ଼ିଶାର ବିସ୍ମୟ, ମୋର ଆତ୍ମାଧିକ

ଆପଣଙ୍କର ଅବଶ୍ୟଶ୍ରଦ୍ଧେୟା

ସେଇ ଚନ୍ଦ୍ରିକାର ଆଖି : ଥିଲା କ’ଣ ସେଥିରେ ?

ବୃଦ୍ଧ ଈଶ୍ୱର ମଧ୍ୟ କପାଳରେ କୁଂଚନ ବନାଇ

ହାର୍‌ ମାନିଯିବେ, ରହିବେ ଜିଜ୍ଞାସୁ ଓ ନିରୁତ୍ତର ତେଣୁ ।

ସେ ଆଖିରେ........

ପରାର୍ଦ୍ଧ ପରାର୍ଦ୍ଧ ଯୁଗ ତଳୁ ସଂଚିତ କି ଅଦ୍ଭୁତ ଚାଞ୍ଚଲ୍ୟ !

ସ୍ୱପ୍ନରେ ଦେଖିଥିବା କେଉଁ ସ୍ୱର୍ଗୀୟ ଅପରୂପା ଝର୍ଣାର

ଲଳିତ ଛନ୍ଦ ! କେତେ ନିଖର୍ବ ଆଲୋକ ବର୍ଷ ଦୂରତାରୁ

କିରଣ ପରି ବିଞ୍ଚି ହୋଇଆସୁଥିବା ଅବୁଝା ଶବ୍ଦର ଗୀତ :

ସମ୍ଭବତଃ ତାହାହିଁ ଈଶ୍ୱରଙ୍କ

ଦ୍ୱାରା ସଂଯୋଜିତ ଲଳିତତମ ଗୀତର ଶେଷ ସମ୍ମୋହନ !

ଏଇ ପାପଗ୍ରସ୍ତ କଳୁଷିତ ନର୍କୀୟ ଆଖି ମୋର

କେତେ ପାଖରୁ ଦେଖିଚି ସେ ସ୍ୱର୍ଗୀୟ ଆଖିକୁ,

କେତେ ସନ୍ନିଧିରୁ !

ଈଶ୍ୱରଙ୍କୁ ଗାଳିଦିଅ ସମସ୍ତ ଭାରତୀୟମାନେ ଅନ୍ତତଃ—

ତାଙ୍କର ନିନ୍ଦା କର ଓ ଗଭୀର ଭର୍ତ୍ସନାକର ତାଙ୍କୁ

ଏଇ ଦୁଃଖରେ ଯେ !

ଚନ୍ଦ୍ରିକାର ଉକ୍ତ ଆଶ୍ଚର୍ଯ୍ୟ ଆଖିକୁ ମଧ୍ୟ

ଦିନେ ସେ ନିଶ୍ଚିହ୍ନ କରିଦେବେ ଅବଲୀଳା କ୍ରମେ ।

ମୁଁ ତ ଏପର୍ଯ୍ୟନ୍ତ ବିଶ୍ୱାସ କରିନି, ଯେ

ସେ ଆଖି କେବେ ବୁଜି ଯାଇପାରେ !

କେଉଁ ଜନ୍ମରେ ତୁମର ଘୋର

ଶତ୍ରୁ ଥିଲି ମୁଁ ଚନ୍ଦ୍ରିକା !

ତୁମର ଶିଶୁପରି ନିଷ୍ପାପ ଓ

ଓଁ କାର ପରି ପବିତ୍ର ହସକୁ

ଲୁହରେ ଓଦା କରି ଲିଭାଇ ପକାଇଲି ବାରଂବାର.......

ଶ୍ରାବଣ ତୁମର ଜନ୍ମ ମାସ । ମୁଁ ନିଜେ

ନିଜେ ହିଁ ନିଷ୍ଠୁର ଶ୍ରାବଣ । ମୋର

କେତେଯେ ଶପଥର ସ୍ତମ୍ଭ

ଖଡ଼ିପରି ଭାଙ୍ଗି ଫିଙ୍ଗି ଦେଇଛି ତୁମ ଆଖିର ବର୍ଷାକୁ,

କେତେ ପ୍ରତ୍ୟୟର ଗୀତ

କୁ ବଦଳାଇ ପକାଇଛି ଅଶ୍ରାବ୍ୟ ଗାଳିରେ ଏବଂ

ଅଯଥାର୍ଥ ଦୁଃଖଦ ଅଭିଯୋଗରେ,

କେତେ ଥର ଫେରି ଆସିବି କହିଛି ଅନ୍ଧାରରୁ :

[ମିଥ୍ୟା ପ୍ରତିଶ୍ରୁତିରେ ଭରି ଦେଇଛି ତୁମର

ନିରୀହ ବିଶ୍ୱାସ ଓ ସରଳତାର ଝୁଲିକୁ ।]

ଅଥଚ ମୁଁ ଜାନୁଆର୍‌

ପେଚା ପରି ଛପି ବସିଚି ଭୟପ୍ରଦ ଅନ୍ଧାରରେ

ସାପ ପରି ଲୁଚି ରହିଚି ବହଳ ବଣୁଆ ବୁଦାରେ

ତୁମ ଆୟୁର କ୍ଳାନ୍ତ ବନଚାରିକୁ

ବାରଂବାର ଡରାଇ ଘଉଡ଼ାଇ ଦେବାକୁ ।

ତୁମର ଅତି ଦୁର୍ଲଭ ଓ ଈଶ୍ୱରଙ୍କ ସର୍ବଶେଷ ଯତ୍ନ ଦ୍ୱାରା

ନିର୍ମିତ ଛାତିକୁ ମୁଁ ପାଗଳ କେତେବେଳେ

ମୂଲ୍ୟହୀନ ମାଟିର ହୁଂକାଟେ ଭାବି

ମୋ ପାପର ଠେଙ୍ଗାରେ ପିଟିଛି, ଭାଙ୍ଗି ପକାଇଛି ତ

କେତେବେଳେ ଲୁହାର କାନ୍ଥଟେ ଭାବି

ମୋ ନିର୍ଦ୍ଦୟତାର ବନ୍ଧୁକରେ ଆଖିବୁଜା ଗୁଳି ଚଳେଇଚି,

ଅଥଚ ଆଶ୍ଚର୍ଯ୍ୟ.... ସେ ଛାତିର ସ୍ୱର୍ଗୀୟ ସ୍ନାୟୁର ଫୁଲରେ

ତମେ ମୋତେ ଦେବତା କି ଈଶ୍ୱର ମନେ କରି

ପୂଜା ହିଁ କରିଛ । ସଂପ୍ରତି ଏଠାରେ ମୁଁ କେତେଯେ

ଅନାବନା ଏବଂ କେତେ ବେଶି ବିପନ୍ନ ହୋଇଯାଇଛି ଥରେ

ଦେଖତ ଚନ୍ଦ୍ରିକା ! ଲକ୍ଷକର ମୁଁ ଏଠି କିପରି

ବୁଣି ହୋଇଯାଇଚି ଏଣେ ତେଣେ ! ଭାଙ୍ଗିରୁଜି ଯାଇଛି କିପରି

ମୋର ସମଗ୍ର ଅବୟବ,ମୋ ପୁଣ୍ୟର ପ୍ରାଚୀନ ସଂସ୍ଥିତି ।

ବିନଷ୍ଟଏ ପାପାତ୍ମ ଦେହରୁ ଟୋପାଟୋପା ରକ୍ତ ଝରେଇ

ବିନ୍ଦୁ ବିନ୍ଦୁ ସଂଚୟ କରୁଚି ଦେଖ...... ତୁମ ପାଦ ଆଣି

ଧୋଇଦେବି କଳସ କଳସ ମୋର ଦୁଃଖିତ ରକ୍ତରେ,

ଆକାଶ ଆକାଶ ଭର୍ତ୍ତି ମୋର ଲକ୍ଷାଧିକ ଶ୍ରାବଣର

ସୀମାବ୍ୟାପ୍ତ,କୋହ ଉଦ୍‌ଗତ ଲୁହସବୁ ସିଂଚିସିଂଚି

ଶାଂତ ଓ କମନୀୟ କରିଦେବି

ବିଷାକ୍ତ ବିଧ୍ୱସ୍ତ ତୁମ ସୁଖର ପ୍ରଦେଶ ।

ଏହି କ୍ରମରେ ହଠାତ୍‌ ଉପସ୍ଥିତ ଆସନ୍ତାକାଲିର କଥା :

ବିବର୍ଣ ଓ ଥମ୍‌ଥମ୍‌ କଂପିତ ମୋ ମୁହଁର ମାଂସରେ

ତୁମର ପ୍ରଶାନ୍ତ ଛାଇ ସିରାସିରା ହୋଇ

ଘୋଟିଯାଇଥିବ ଆକାଶରେ ମେଘ ଘୋଟେ ଯେଉଁପରି,

ଅଥଚ ମୁଁ ନୀରବ ନିଶ୍ଚୁପ୍‌ ଭାବେଜଙ୍ଗଲେ ଜଙ୍ଗଲେ ଚାଲି

ଫେରିଯିବି କେଉଁଠାକୁ, କେଉଁ ଅନ୍ଧାରକୁ ଯିବି ? ଦେବୀ !

ତୁମେ ଦେବ କି ବିଦାୟ ମୋତେ

ଯାତ୍ରା ଲାଗି ଅନ୍ଧାର ଗର୍ଭକୁ ?

ଅଭିମାନୀ ଶିଶୁ ଏକ କାନ୍ଦିକାନ୍ଦିଶେଷରେ ଯେପରି

ତୁନି ହୁଏ ଓହ୍ଲାଇ ଯାଇ ତା’ ମାଆର କୋଳକୁ—

ସେହିପରି ଫେରିଯିବେ ଆସ୍ତେ ମୁଁ ତୁମରି ନିର୍ଭୟ କୋଳକୁ ଏବଂ

ସେତେବେଳେ : ହଳ ଓ ଲଂଗଳ ଧରି ଘରକୁ ଲେଉଟୁଥିବ

ଚଷାଭାଇ, ପକ୍ଷୀ ତା’ର ନୀଡ଼ ଅଭିମୁଖେ ?

Image

 

ବିଦାୟ

 

ଜ୍ୟୋତିଷର ସମସ୍ତ ଗଣନା ଏବଂ

ଜାତକର ସମସ୍ତ ତଥ୍ୟକୁ, ସର୍ବୋପରି

ତୁମ ବିଶ୍ୱାସର ସମସ୍ତ ଦୃଢ଼ ପାଚେରୀକୁ ଭାଙ୍ଗିଦେଇ

ଚନ୍ଦ୍ରିକା, ଯେଉଁଦିନ ଅକାଳରେ ମୁଁ

ଉଠିବି ଆସ୍ତେ : ପୃଥିବୀର ଅଶୁଭତମ

ବାଉଁଶର ସିଂହାସନେ, ତୁମର ବୃହତ୍ତମ

ଦୁଃଖର କଳସ କଳସ ଲୁହରେ ଅଭିଷେକ କରି :

ଅନ୍ଧାରରେ କିଛି ଦିଶୁନଥିବ ମୋତେ,ଏପରିକି

ଧୀରେ ଆସି ତୁମର ଲୁହକୁ ବି ଥରଟିଏ

ପୋଛିଦେଇ ପାରିବିନି, ସେତେବେଳେ ବି

ମୋର ସମସ୍ତ ପାପକୁ କ’ଣ କ୍ଷମା ଦେବନି ?

ମଶାରି ଭିତରକୁ ଦେଖିବ ହଠାତ୍‌ କେଉଁଦିନ ମୃତ୍ୟୁ

ପଶିଆସିବ ଏକ ବୃହତ୍‌ ମଶା ହୋଇ ଓ

ବୁଂଦାଟିଏ ରକ୍ତ ସହ ମୋ ଛାତିର ସ୍ପନ୍ଦନକୁ ମଧ୍ୟ

ଶୋଷି ନେଇଯିବ ।

ରାତି ସାରା ନିଦ ନାହିଁ । ଲୁହର ପ୍ରତ୍ୟେକଟି ଧାଡ଼ିରେ

ଲୁଚି ଛିଡ଼ାହୋଇଛି ମୋର

ଗୋଟିଏ ଲେଖାଁ ସପ୍ତାହର ଆୟୁଷ । ଚନ୍ଦ୍ରିକା !

ଥରଟିଏ ପାଖକୁ ଆସ, ପୂରାପୂରି ମୋ ନିଜର ହୋଇ,

କେଉଁ ଅଜଣା କୋହରେ ବିକଳ ହୋଇ

ଥରଟିଏ କାନ୍ଦିଉଠ ମୋ ଛାତିକୁ ଆଉଜି :

ତା’ପରେ ଗୋଟିଏ ଲମ୍ୱା ଓ ଦୁର୍ବୋଧ୍ୟ ଦୀର୍ଘଶ୍ୱାସରେ ମୁଁ

ହଠାତ୍‌ ହଜିଯାଏ ମୃତ୍ୟୁର ଘୋର ଅରଣ୍ୟରେ ।

Image

 

ଆରୋହଣ

 

ଆଉ ଗୋଟିଏ ମାତ୍ର ପାହାଚ ଯାହାକୁ

ଉଠିଗଲେ ତୁମ ପାଖେ ସିଧା

ଯାଇ ପହଞ୍ଚିଯିବି ଓ ପ୍ରଥମେ

ତୁମ ପାଦଧରି କ୍ଷମା

ମାଗିବି ଯଦିଓ ଜାଣେ ସବୁବେଳେ ତୁମେ

ମନାକର ତୁମକୁ ମୁଁ କେବେହେଲେ

କ୍ଷମା କିମ୍ବା ଭୁଲ୍‌ ମାଗିବାକୁ ।

ଆସ୍ତେ ଉଠିଯାଇ ତୁମସହ ଗୋଟିଏ

ସମତଳରେ ପହଂଚି ଛିଡ଼ାହେବି ଓ

କହିବି : ଚନ୍ଦ୍ରିକା, ଦେଖ ଅନ୍ଧାରରୁ

ଫେରି ଆସିଛି ସୂର୍ଯ୍ୟାଲୋକକୁ ଦେଖ

ନର୍କର ସୀମା ଅଞ୍ଚଳରୁ ଫେରି

ପହଂଚି ଯାଇଚି କିପରି ସ୍ୱର୍ଗର ପଡ଼ୋଶୀ

ରାଜ୍ୟସ୍ଥିତ ଦୁଃଖିନୀ ତୁମ ଦେହଲଗ୍ନ ହୋଇ, ଏଥର

ଦେଖିବ କିପରି ପୋଛିଦେବି ତୁମ ଆଖିର କାନ୍ଥରୁ ଦୁଃଖ

ଓ ଅଭିମାନର ଧୂଆଁ ଯୋଗେ ପଡ଼ିଥିବା କଳା

ଆସ୍ତରଣ, ତଡ଼ିଦେବି ତୁମ ଛାତିର ଅଗଣା

ର ହୁଙ୍କାମାନଙ୍କରୁ ଯନ୍ତ୍ରଣା ଓ କଷ୍ଟର ସମସ୍ତ

ବିଷାକ୍ତ ସରୀସୃପ ତଥା ଅନ୍ୟାନ୍ୟ ଜନ୍ତୁଙ୍କୁ । ତୁମେ

ଲୋଟିପଡ଼ିବ ଠିକ୍‌ ମୋ ବେକର

ନିମ୍ନଭାଗ ଅଂଚଳରେ ଅବସ୍ଥିତ ଛାତିର

ବହୁମୂଲ୍ୟ ଶାଦ‍ବ୍‍ଳ ବଗିଚାରେ, ଭୁଲିଯିବ

ମୋର ଯାବତୀୟ ପାପାଦିର ନୀଳବର୍ଣ୍ଣ

ଦଂଶନକୁ ଶିଶୁ ଏକ ତତ୍କାଳୀନ

ସମସ୍ତ ଘଟଣାର ଦୃଶ୍ୟାବଳି କ୍ରମେ

ବଡ଼ ହୋଇ ଯେତେବେଳେ ବଂଶୋତ୍ତର ହୁଏ ।

ଗୋଟିଏ ଆଙ୍ଗୁଳି ବଢ଼ାଅ ତଳକୁ ଓ

ସେହି ପବିତ୍ରତାକୁ ଆଶ୍ରୟକରି ମୁଁ

ଉଠିଯାଏଁ ତୁମରି ଉଚ୍ଚତାକୁ । ଯାହାପରେ ଆଉ

ତୁମକୁ ବା ମୋତେ କାହାକୁ ନଥାଉ ପଛେ

ଶେଷଥରର ସୂର୍ଯ୍ୟାସ୍ତ ସଂପର୍କରେ

ବିଶେଷ ଓ ନିର୍ଭୁଲ୍‌ ଖବର ।

Image

 

ବସନ୍ତସୁନ୍ଦରୀର ଅଭିସାର

 

ଝର୍କାଖୋଲିଲେ ତୁ ବୁଣି ପକାଉଛୁ ତୁଳାପରି

ନରମ ସ୍ନେହ ଓ ଆଉଁସି ଦେଉଛୁ ତୋର

ମେଘପରି ହାଲୁକା ପାପୁଲିରେ ମୋର

ପିଠି ବେକ ମୁହଁ ଓ ଏପରିକି

ବରଫ ଗୁଣ୍ଡପରିତୋର ଶୀତଳ ଚୁମାରେ ମୋ ଛାତିତଳ

ନିରୋଳା ହାସପାତାଳର କେଉଁ ପରିତ୍ୟକ୍ତ ନିର୍ଜନ

ବଖରାରେ ମୃତପ୍ରାୟ ପଡ଼ିଥିବା ଦୁଃଖର

ଘାଆପୂର୍ଣ୍ଣ ଏକେଲା ମୋ ଆତ୍ମା ଯିଏ

ଅଶ୍ୱସ୍ତିର ଉତ୍ତାପରେ ସିଝୁଅଛି :

କଷ୍ଟଭୁଲି ସଫା ହସଟିଏ ହସି ପକାଉଛି ।

ଉତ୍ତର ମଧ୍ୟରାତ୍ରିର ଶୂନ୍‌ଶାନ୍‌ ଶୁକ୍ଳପକ୍ଷ, ବସନ୍ତସୁନ୍ଦରୀ !

ସହରର ଉପକଣ୍ଠ ନିର୍ଜନ ଓ ଥମ୍‌ଥମ୍‌ ଗମ୍ଭୀର

ଏ ଗଳିରାସ୍ତା, ପଡ଼ାପ୍ରାନ୍ତ ଚାକୁଣ୍ଡା ଗଛର ତଳେ ବୋଧେ

ବିଡ଼ି ବସି ପିଉଥିବ ଘୁମଂତ ବିଟ୍‌ ପୋଲିସ୍‌ ଏକ

ଆଉଜାଇ ଆଣିଥିବ ଆଖିର ଝର୍କା : ଶବ୍ଦହୀନ ଏ ରାତି ଓ

କଅଁଳିଆ ଥଣ୍ଡା ତୋର ନିତାନ୍ତ ପତଳା କାନି

ଉଡ଼ି ଉଡ଼ି ବାଜୁଅଛି ମୋ ଦେହ ମୁହଁରେ ।

ବିଂଶୋତ୍ତର ବୟସର ତରୁଣ ମୁଁ କିଂତୁ

ଶିଶୁପରି ଭାବୁଅଛି ବସି : ଆଜି ବୋଧେ ଦେଖାହବ

ତୋ ସାଥିରେ, ଏଇ ଯେଉଁ ଭାସୁଅଛି ହାଲ୍‌କା ଓ ଅଜଟିଳ

ଜ୍ୟୋତ୍ସ୍ନାରେ ସଫେତ୍‌ ଜୁଆର : ଏଇଠାରେ ଏଇମୋର

ଝରକା ସେପାରିର ଫୁଲଗଛ

ପିଜୁଳି ଓ କରମଂଗା ଆମ୍ବର ବଣରେ ।

ତୁ କିପରି ଅପୂର୍ବ ସୌନ୍ଦର୍ଯ୍ୟମୟୀ ସମଗ୍ର ସୃଷ୍ଟିର

ଶୋଭା ଠୁଳକରି ଘୋର ଆଶ୍ଚର୍ଯ୍ୟ ଓ

ଅପରୂପ ରୂପର ରୂପସୀ

ହୋଇଥିବୁ ରେ କିଶୋରୀ, ବର୍ଣ୍ଣନାରେ ଚଉହଦୀ

ଡେଇଁଥିବ ମେଘନରମ ତୋର ଦୁଧଅଳତାର ଦେହ

ସ୍ୱର୍ଗୀୟ ସୁଷମାରେ ହସୁଥିବ ତ୍ରିପୁରମୋହିନୀ ତୋର

ଦୁର୍ଲଭ ତନିମା, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ତୁ ହୋଇଥିବୁ ।

ମତେ ତ ଲାଗୁଚି ଏପରି : ମୁଁ ଦୁଷ୍ମନ୍ତ ଚନ୍ଦ୍ରଭାନୁ

କର୍ଣ୍ଣ କିମ୍ବା କାମଦେବ,ରାମଚନ୍ଦ୍ର ଅବା ରାଜେଶଖାନ୍ନାଠାରୁ

ନିଖର୍ବ ଗୁଣରେ ସୁନ୍ଦର ଅବିଶ୍ୱାସ୍ୟ ରୂପବାନ୍‌ ଓ

ତୋର ମୋର ଭାବ ଅତି ନିବିଡ଼ ନିରନ୍ଧ୍ର, ଅକଳଣ

ଗଭୀର... ପୁନଶ୍ଚ

ଈଶ୍ୱରଙ୍କ ସୃଷ୍ଟିପରି ନିତାନ୍ତ ପ୍ରାଚୀନ ।

ଆମ୍ବବଣେ ବଉଳ ଚୁଚୁମୁଥିବା କୋଇଲି ଓ ଅସରନ୍ତି

କର୍ମବ୍ୟସ୍ତ କୋମଳ ପବନ ତଥା ଆକାଶର ବିସ୍ତୃତ

ନିଝାଡ଼ ଜଙ୍ଗଲିଆ ରାସ୍ତାରେ କଦାଚିତ୍‌

ଚାଲିଚାଲି ଯାଉଥିବା ବାଦଲର ମୁସାଫିର୍‌

ମାନଂକର ପୃଥିବୀରେ

ପ୍ରାଚୁର୍ଯ୍ୟର ଏଇରାତି :

ତନ୍ଦ୍ରା ଘାରି ଆସୁଆସୁ ମୁଁ ଦେଖୁଛି କିଛିହେଲେ

କଷ୍ଟ ଆଉ ନାହିଁ ମୋର, ମୁଁ ଶୋଇଚି ଝର୍କାପାଖ ମୁଲାୟମ୍‌

ଶେଯର କୋଳରେ : ତୁ ଆସ୍ତେ ଆସ୍ତେ ଆସୁଅଛି ମୋର ଲଂବା

ବଗିଚାର ଶେଷମୁଣ୍ଡ ଲଟା ଗହଳରୁ ।

ସୁନ୍ଦରୀ, କି ନିଖୁଣ ଓ ଶିହରକ ତୋର ଅଙ୍ଗଲତା !

ତୁ ଆସୁଛି : ଅପୂର୍ବ ଓ ଅତୁଳନୀୟ ତୋର ପଦପାତ

ଆଖି ଆଉ ହସହସ କମ୍ପୁଥିବା ଓଠର ଇସାରା, ତ

ସମ୍ମୋହିତ ମୁଁ ଉଠୁଚି

ଶେଯର ଉପରୁ : ବାଟବଣା ହେବାପାଇଁ ନିଜର ଇଚ୍ଛାରେ ।

Image

 

ପ୍ରିୟତମା

 

ତଥାପି ସେ ସ୍ନେହମୟୀ ହାତଟିଏ ବଢ଼ାଇଲା

ଯେ’ ହାତରେ ଜଳୁଥିଲା

ତିନୋଟି ଅକ୍ଷର : ମୋ ନିଜ ନାମର ।

ପୁନଶ୍ଚ ସେ ପ୍ରେମମୟୀ ଶାମୁକାର ଆଖଦୁଇ ମୁକ୍ତ କଲା

ଯେ’ ଆଖିରେ ଭରିଥିଲା

ଦୁଇ ବିନ୍ଦୁ ଲୁହ ଯାହା ମୋ ସୁଖ ଦୁଃଖର ।

ଆହୁରି ସେ ସ୍ମରଣୀୟା ଦେଖାଇଲା ତା’ ହୃଦୟ

ଯେଉଁଠି ପ୍ରସରି ଥିଲା ମୋ ଅସ୍ତିତ୍ୱ, ପ୍ରତିମୂର୍ତ୍ତି,

ଅନ୍ୟଏକ ଚିତ୍ରପଟ ମୋ ପରବର୍ତ୍ତୀର ।

ମୋ ଆତ୍ମାର ଅର୍ଦ୍ଧାଧିକ, ତାହା ଲାଗି ଦେଇଅଛି

ମୋ କଲିଜା- ଦଳିଲ୍‌ରେ ସୁବର୍ଣ୍ଣ ମୋହର,

ମୋ ପ୍ରାଣର ଆଲୋକରେ ଉଦ୍ଭାସିତ

ତାହା ଦୁଇ ଯୁକ୍ତାକ୍ଷର : ଯେଉଁଠୁ ଆରମ୍ଭ ମୋର ଯାତ୍ରାପଥ

ଶେଷହେବ ଯେଉଁଠାରେ ଧୂଳିଖେଳ ଜୀବନ ଯାତ୍ରାର ।

Image

 

ନିର୍ବାସନରୁ ଶବ୍‌ଦ

 

ଏବେ ଫେରି ଆସିଲି ଆପଣ ଦେଖନ୍ତୁ

ମେଷ ଶାବକ ପରି ନିରୀହ ଭାବେ କେମିତି ମୁଣ୍ଡପୋତି

ଖୋଲା ପଡ଼ିଆ ପିଠିକୁ । ଆପଣ ମୋତେ ଦୟା କରନ୍ତୁନି,

ପଡ଼ିଆରେ ସାମାନ୍ୟ ବି ସାବ୍‌ଜା ନାଇ

ଏପରିକି ଗୋଟାଏ ଘାସ ମଂଜିର ସୁଦ୍ଧା

ଅଙ୍କୁରୋଦ୍‌ଗମର ଆଭାସ କି ଚିହ୍ନବର୍ଣ୍ଣ ନାଇ । ଦେଖନ୍ତୁ

ସାଧାରଣ ଘାସ ମଂଜିଟାଏ !

ନଥାଉ । ଆପଣ କିନ୍ତୁ ଦୟାକରି ମତେ

ଦୟା କରନ୍ତୁନି । ବହୁ ନିର୍ବିଚାର ଅଂଧ ଅନ୍ୟାୟ

ଓ ପାପଚାର ପରେ, ମୋ ଭାଗ୍ୟ ! ମତେ

ଶେଷରେ ଫେରି ଆସିବାକୁ ହିଁ ହେଲା ।

ଫେରି ଆସିବାକୁ ହେଲା ଚନ୍ଦ୍ରାଲୋକରୁ ଅନ୍ଧାରକୁ, ସଂଗୀତରୁ

ସଂଶୟକୁ । ସବୁଜ ଉପତ୍ୟକାରୁ

ଟାଂଗର ପାହାଡ଼ ଶୀର୍ଷକୁ । ଭିତ୍ତିହୀନ ପ୍ରଚଣ୍ଡ କ୍ରୋଧରୁ ନିତାନ୍ତ

ଅସହାୟତାପୂର୍ଣ୍ଣ ନୀରବତାକୁ । ସ୍ୱେଚ୍ଛାଚାରର ସିଂହାସନରୁ

ଗାଦିଚ୍ୟୁତି ନିର୍ବାସନକୁ । ବେପରୱା ଫୁର୍ତ୍ତିର ପ୍ରସାରଣରୁ

ସଂକୁଚିତ ଅନ୍ୟମନସ୍କତାକୁ । ଘୃଣ୍ୟ ନରହତ୍ୟା ଏବଂ

ଅବିରାମ ରାଜ୍ୟଜୟର ଉତ୍ସବରୁ

ଆକସ୍ମିକ ପରାଜୟକୁ । ଦୃପ୍ତ ମୁକାବିଲାର ଉଷ୍ଣତାରୁ

ଅପୌରୁଷେୟ ପଳାୟନକୁ । ଦେଖନ୍ତୁ ସଂପାଦକ,

ଶେଷରେ ଦୁର୍ଯୋଗଗ୍ରସ୍ତ ନହୁଷଙ୍କ ପରି

ଏକୁଟିଆ କିପରି ମତେ ଫେରି ଆସିବାକୁ ହେଲା !

ଫେରି ଆସିଛି । ବାତ୍ୟାଞ୍ଚଳର ଟେଲିଫୋନ୍‌ ଖୁଂଟିପରି

ମୁଣ୍ଡ ପୋତି ଫେରିଆସିଛି । ଏଥର

କୁଡ଼ିଆର ଭଂଗା ଝର୍କା ଓ କବାଟ

ଖୋଲିଦିଏଁ : ଦୁଃଖର ଶୁଖିଲା ପତ୍ରରେ

ପବନ ଏବେ ସଜେଇ ଦେଉ ମୋର

ବିଛଣା ଓ ବହିପତ୍ର ଥାକ । ଦେହର ଚାଳରୁ

ଉଲାରି ପକାଏଁ ଏଥର ମାଂସର ବହଳ ନଡ଼ା, ଅନ୍ଧାରରେ

ସ୍ପଷ୍ଟ ହେଉ ଧଳାରଂଗ ବାଉଁଶ ଓ ବତାର ମେଳଣ

ତଥା ଗୋଚର ଗାଲର ଭୂଇଁରେ

ଲୁହର ନିୟମିତ ଜଳସେଚନ ବ୍ୟବସ୍ଥା କରି

ରୋଇଦିଏଁ ରୁଢ଼ର ମଲାଚେର, ମୂଳ ଏବଂ ଡାଂଗ ।

ଏଥର ବୁଲିବି ନିଃସଙ୍ଗତାର ଖାଁ ଖାଁ ଖରାରେ ଏକୁଟିଆ

ନିଃଶ୍ୱାସକୁ ପଠାଇଦେବି ପାହାଡ଼ ସାରା ବୁଲିବ ଝାଂଜି ହୋଇ

ଯୌନ କ୍ଷୁଧାକୁ ପଠାଇଦେବି ଘୋର ଅରଣ୍ୟକୁ

ଯୁବକ ଅଜଗରଟେ ହୋଇ ଘୂରିବୁଲିବ ଖାଦ୍ୟ ଖୋଜି ଅଥଚ

ଆଶ୍ଚର୍ଯ୍ୟ ଯେ ଠେକୁଆ ହରିଣ ଆଦି ନାନାଦି ଶିକାର

ହାତ ପାଆନ୍ତାରେ ପାଇ ମଧ୍ୟ ଛୁଇଁବନି ଆଦୌ ।

କୃଷ୍ଣବର୍ଷ ବିଷାଦର ବାଂଫକୁ ପଠେଇ ଦେବି

ଘୋଟି ଆସିବ କଳାଘୁମର ଗାଢ଼ମେଘ ହୋଇ ଆକାଶର

ଐଶାନ୍ୟ କୋଣରୁ ଓ ଲୁହକୁ ପଠେଇ ଦେବି

ବହିଯିବ ଘଂଚ ପାହାଡ଼ କଂଦରରେ ଝର୍ଣା ହୋଇ ।

ପର୍ବତର ଢାଲୁ ଏବଂ ଆଖପାଖ ଆଦିବାସୀ ଗାଁ’ଗଣ୍ଡା

ବସ୍ତି ଓ ବଜାର ସାରା ଚାଲିଚାଲି ବୁଲୁଥିବି ଗୃହତ୍ୟାଗୀ

ଯୋଗୀ ପରି, ଯୋଗୀ :

ଦୁଃଖର ତୁମ୍ବାରେ ମେଂଚେ ଲୁହର ପଇସା ଧରି

ଅପେକ୍ଷାର କେଂଦେରାରେ ତୋଳିଥିବି ଗୋଟେ କ୍ଳାନ୍ତ

କାରୁଣ୍ୟରେ ଓଦା ସ୍ୱର ଯାହା

ଲମ୍ୱିଥିବ ବିରତିମୁକ୍ତ ନିରବଧି କାଳ ।

ବଣରୁ ଅଁଳା ଏବଂ ଚାରକୋଳି

ତୋଳି ଖାଉଥିବି,ଆହ୍ଲାଦିତ ମାଙ୍କଡ଼ଙ୍କ

ନିର୍ଭୟ କ୍ରୀଡ଼ାର କୌଶଳ ଦେଖି

ଚାହୁଁଥିବି ନିର୍ଜନ ଆଖିରେ । ଏହିପରି

ଶେଷରେସଂଜକୁ ଲେଉଟିବ ଭଂଗା କୁଡ଼ିଆର ନିତାନ୍ତ

ଅସହଜ କର୍କଶ କୋଳକୁ । କୋହର ଦରିଟାଏ ମୁହଁ ଓ ଛାତିରେ

ତଥା ଗୃହ୍ୟାଙ୍ଗରେ ଢାଙ୍କି ହୋଇ

ଶୋଇବାକୁ ଯିବି ପୌଷର ରାତିରେ, କିଂତୁ

ଦୁଃଖାଧୀନ ମଳିନ ମଶିଣାର କେବଳ

ଛାଟିପିଟି ହେବି,ଆଖିର ଓଡ଼ିଶାରେ

ପ୍ରାପ୍ତିର ବର୍ଷାଭାବରେ ବ୍ୟାପୀଥିବ ନିଦ୍ରାର ଦୁର୍ଭିକ୍ଷ, ଶବପରି

ଚାହିଁଥିବି କୁଡ଼ିଆ ଛାତର

କଣାବାଟେ ନିଶବ୍ଦରେ ବର୍ଷୁଥିବା ଝୁଡ଼ି ଝୁଡ଼ି ନିର୍ଜନତା,

ଆଖିପରି କଳା/ଏବଂ ପାଉଁଶିଆ କ୍ଳାନ୍ତ

ଅନ୍ଧାରକୁ । ଅଂଧାରେ ଏମିତି ଛାତିର ଫୁଜିୟାମା

ଫିଙ୍ଗୁଥିବା ଲାଲ୍‌ ଲାଭାର ଫର୍ଣେସ୍‌ରେ

ଅଗି ପୂର୍ଣ୍ଣମୀର ଆଳୁପରି ଅଧା ସିଝି ନିଜ ଅଗ୍ନ୍ୟୁତ୍ସବେ

ରାତିକୁ ବିଦାୟ ଦେଇ ଦେଖିବି : ସମ୍ମୁଖରେ ଏକ

ପୀତବର୍ଣ୍ଣ ରୋଗୀଣା ସକାଳ । ବିଳମ୍ବିତ ନିତ୍ୟକର୍ମ ସାରି ମଧ୍ୟ

ଦେଖିବି ଯେ ନିତ୍ୟକର୍ମ କିଛିହେଲେ

ସରିନି ତଥାପି । ଯନ୍ତ୍ରଣାର ଅଶବ୍ଦ ସ୍ତବରେ

ଭରିନାହିଁ ଅପେକ୍ଷାର ଦେବପୂଜା ଗୃହ,

ଦୀର୍ଘଶ୍ୱାସର ତପ୍ତତାରେ ଶୁଖିନାହିଁ ଅଶ୍ରୁସିକ୍ତ

କୁଡ଼ିଆର ଓ ଗାଲର ମାଟିର ଚଟାଣ, ଏବଂ

ଆଖିତଳେ ନିୟମିତ

କଳାରଂଗ ନେସାଯିବା କଥା ତେଣୁ ନେସିବି ହଠାତ୍‌ ।

ଜଙ୍ଗଲରେ ବୁଲୁଥିବି । ଝରଣାର ପାଖକୁ ଯାଇ

ଆଶ୍ଚର୍ଯ୍ୟ ହୋଇ ଦେଖିବି : ଏକଦା ସ୍ୱଚ୍ଛଜଳ

ନାଚୁଥିବା ଝର୍ଣାମାନଙ୍କରେ

ଅନବର୍ତ ରକ୍ତରଂଗ ପାଣି ଦୌଡ଼ିଥିବ ପୂର୍ବାପେକ୍ଷା

ଅଧିକ ବେଗରେ । ଓ ମୁଁ କୂଳରେ ବସିବି ଆସ୍ତେ, ଛାତିରୁ ଦୁଃଖର

ପ୍ରସ୍ତ ପ୍ରସ୍ତ କଳା କାଗଜ ଓଟାରି ସେଥିରେ

ଡଙ୍ଗା ବନାଇବି ଏବଂ

ଯେତେଥର ଭସାଇ ଦେଉଥିବି ଦୂରକୁ...... ତାହା

ପୁନଃପୁନଃ ଭଉଁରୀରେ ପଡ଼ି ଲେଉଟି ଆସୁଥିବ ମୋ’ରି କତିକୁ ।

ସମୁଦ୍ର ରଂଗର ମୋର ବିଷାକ୍ତ ରକ୍ତରେ

ପୁନଶ୍ଚ ବିଶ୍ରାମୀ ତିମିଙ୍ଗିଳ ହଠାତ୍‌ ଭୋକିଲା ହୋଇ

ବିଜୁଳି ପରି ଛୁଟିବ ଭୋଜ୍ୟଜଂତୁ ଅନ୍ୱେଷାରେ, କିଂତୁ

ନିର୍ଜଂତୁ ସମୁଦ୍ର ବୁଲି

ଲେଉଟି ଆସିବ ଶେଷତଃ ଭୋକ ନିକଟକୁ ।

ପୂର୍ଣ୍ଣମୀର ରାତି ମଧ୍ୟ ଗାଢ଼ ଅନ୍ଧାରରେ

ଗମ୍ଭୀର ହୋଇ ବସିଥିବ ବୁଢ଼ା ହେଡ଼୍‌ପଣ୍ଡିତ ପରି, ମୁଁ

ଅନ୍ଧାର ପରିକା ଜଙ୍ଗଲରେ ବୁଲୁଥିବି

ନିଝାଡ଼ କ୍ଷତିରେ : ଦୁଃଖର ପୃଥୁଳ ବହୁ

ଶାଳଗଛେ ଧକ୍‌କାଖାଇ

ଧୂଧୂ ପଡ଼ୁଥିବି ଭୂଇଁରେ କଚାଡ଼ି ହୋଇ,ତଳୁଉଠି

ହତାଶା ବତାସେ ଭାଙ୍ଗି କୋହରେ ବତୁରି

କୁଡ଼ିଆକୁ ଫେରୁଥିବି : ପାଗଳ ଶୋକର ବହୁ

ଅକର୍ମ ଶିଳାରେ ଝୁଂଟି

ତତୋଽଧିକ ରକ୍ତାକ୍ତ ଓ ଶକ୍ତିହୀନ ହେବି ।

ଜାଣେ ଏହି ତିନିମାସ ମୋ ନିମନ୍ତେ ଦୀର୍ଘ ହେବ

ତିନି ଜନ୍ମ ପରି, ପ୍ରତ୍ୟହ ଭୟଂକର ଝଡ଼ ଓ ବର୍ଷାରେ

ଚିରୁଳାଏ ଲେଖାଁ ଉଜୁଡ଼ି ଆସିବ ମୋ ଘର, ଜାଣେ

ହାଣ୍ଡି ଆକାରର ବୃହତ୍‌ ଶ୍ୟାମଳ ରଂଗର

କୁଆପଥର ମାନକ୍ରମାଗତ ପଡ଼ିବ ମୋ ମୁଣ୍ଡ ଓ ଛାତି

ତଥା ମେରୁଦଣ୍ଡକୁ ନିଶାଣ କରି କାହା ସମୁଦ୍ରପରି ଦୀର୍ଘ ଏବଂ

ସ୍ୱେଦକ୍ଳିନ୍ନ ସ୍ଥୂଳ ଲୋମଶ ହାତରୁ, ଫଳତଃ ଦିନରାତି ମୋତେ

କଷ୍ଟର ଭାରୁଆ ହିଁ ହେବାକୁ ପଡ଼ିବ ।

ନାନା ବିୟୋଗାନ୍ତ ଦୁଃସ୍ୱପ୍ନର ଅପେରାରେ

କଳା ଓ ପିଙ୍ଗଳବର୍ଣ୍ଣର ବହୁ ଭୟାନକ ରାତି ବିତିଯିବ

ମଇଁଷି ରଂଗର ଦଳେ ଗୃଧ୍ରାକାର ପେଚାଂକର

ଭୌତିକ ଓ କାଳାନ୍ତକ କୁହାଟର କନ୍‌ସେର୍ଟ ଶବ୍ଦରେ ।

ଅନତି ମାଂସଯୁକ୍ତ ଏକ କ୍ଷୀଣ ସ୍ୱାସ୍ଥ୍ୟ ଓ ସୁଂଦର

ସ୍ୱର୍ଗୀୟ ମୁହଁର କମନୀୟ ପର୍ବତ ଦାଢ଼ରେ କେତେ

ଲୁହର ବର୍ଷା ମୁଁ କରାଇଛି,ଭିତ୍ତିହୀନ ମିଥ୍ୟା

ଆବଶ୍ୟକତା ଆଳରେ,

ଋତୁ ନିର୍ବିଶେଷରେ ଯେ କୌଣସି ବେଳେ ।

ଭ୍ରମାତ୍ମକ ଭୌଗୋଳିକ ନିୟମରେ ମୁଁ ନିଷ୍ଠୁର ବାଜିକର

ସୃଷ୍ଟି କରିଚି ଶତାଧିକ କୃତ୍ରିମ ଲଘୁଚାପର ବିଷାକ୍ତ ବଳୟ :

ତା’ ନିଷ୍କପଟ ଛାତିର ଦୂରସମୁଦ୍ର ମଝିରେ । ଏବଂବିଧ

କୋହର ଦୁର୍ଦ୍ଦାନ୍ତ କେତେ ବାତ୍ୟା ବନେଇଚି ଓ

ତୋଫାନ୍‌ର ଗଇନ୍ତିରେ ଉଜାଡ଼ି ଦେଇଚି ଅତି

ସୁସମୃଦ୍ଧ ଉପକୂଳାଞ୍ଚଳ ।

ସବୁକିଛି ମନେପଡ଼ିବ ମୋର ଅନ୍ଧାର ରାତିରେ ଏକା

ଶୋଇଥିବା ବେଳେ । ସଂପ୍ରତି ଶୋଇଚି ଏକା

କାଉନ୍ଦା ମାଟିରେ ଅତି ସ୍ୱାସ୍ଥହୀନ ପିଠିର ଆଶ୍ରାରେ :

କଣା ଛାତ ଦେଇ କଳାରଂଗ ଆକାଶ ଭିତରୁ

ଝାପ୍‌ସା ଝାପ୍‌ସା ଦିଶୁଅଛି ଏକ

ଉଜ୍ଜଳ ମୁହଁ । ଏହା ସେଇ ମୁହଁ, ଦେଖନ୍ତୁ ।

ପବନ ହିଁ କାଖେଇନିଏ ଘୋର

ବଳାତ୍କାର ଯୋଗେ ଓ ଆସ୍ତେ ଓହ୍ଲାଇ ପକାଏ କେଉଁ

ମୃତ୍ତିକାହୀନ ଭୂଇଁରେ ପାରାଚ୍ୟୁଟ୍‌ ପରି, ମୋତେ ବିପୁଳ ଆଶ୍ଚର୍ଯ୍ୟ

ବାୟବୀୟ ହାହାକାରର ଗୀତ ଶୁଣାଏ, ବାଧ୍ୟ କରି । ସ୍ତବ୍‌ଧ କରେ

ମୁହୂର୍ତ ମୁହୂର୍ତଧରି । ଆଖିରେ ନିର୍ଜନତା ଓ ରକ୍ତରେ ଶୀତଋତୁ ।

ଫେରାଇଦିଏ ପୁନଶ୍ଚ ଭାରତର ଭୂ-ଭାଗକୁ, ଫେରାଏ ଯେପରି ନଦୀ

ସମୁଦ୍ରକୁ ସମୁଦ୍ରର ଉଜାଣି ଦେହକୁ । ମାଟି ପାଣି ଆଲୁଅ ଓ

ବାୟୁ ତଥା ଆକାଶରେ ବୁଲି ବୁଲି

ଖୋଜେ ତାକୁ କାନ୍ଦି କାନ୍ଦି, ପୃଥିବୀର କୋଟି କୋଟି ଲୋକଂକୁ ମୁଁ

ପାଟି କରି ଡାକେ କେଉଁ ଅପୂର୍ବ କୋହରେ...........

ବାଇଶି ବର୍ଷର ମାନସିକ ସାମର୍ଥ୍ୟରେ ଏକ

ଗୀତ ଶିଖିଚି ବନ୍ଧୁଗଣ !

ତାହାର ସ୍ୱର : ଅନାବିଷ୍କୃତ ଏ’ପର୍ଯ୍ୟନ୍ତ ।

Image

 

ଦରିଦ୍ର ସମ୍ରାଟ୍‌ : ୩

 

ଏପରିକି ନିଜଠାରେ ଦୁର୍ବୋଧ୍ୟ ଏ ଛାତି ଭିତରର

ବସ୍ତୁ ସବୁ କେତେଥର ତରଳିବ ଏହିପରି ଆଉ

ଚୈତ୍ରର ବରଫ ପରି ଏବଂ କେତେଥର ପାହାଡ଼ି ପଥର

ପରି ଟାଣ ହେବ, ଶେଷରେ କେତେବେଳେ

ନିସ୍ତେଜ ନିସ୍ତବ୍‌ଧ ଓ କୋଳାହଳ ଶୂନ୍ୟ ହେବ

ରାସ୍ତା ଘାଟ ଗଳି ବସ୍ତି ସହରର ଦୋକାନ ବଜାର ।

ଗୋଟାଏ ହେଲେ ଡାଳରେ ବି ସ୍ୱାର୍ଥର ଏକମାତ୍ର ବାଜପକ୍ଷୀ

ଛକି ବସିନି ଯେ : ଝାଂପି ପଡ଼ିବ, କିଛି ନୋହୁ

କଳେ ଖଣ୍ଡେ ମାଂସ ଝୁଣି ନେଇଯିବ ।

କେଉଁ ଦୁର୍ବିପାକର ଜାଲରେ ମୁଁ

ଓଟାରି ହୋଇଯାଏ ମହାଶୂନ୍ୟକୁ ! ବୟସ୍କ ରାତ୍ରିର

ରେଡ଼ିଓ ପରି ମୂକ ମୁଁ : କେବଳ ସଁ ସଁ ଶବ୍ଦର ହାବୁକା ମୁଠାଏ ।

ଅଭିମାନରେ ତୋର ବଂଚିଛି ମୁଁ ଦୈନ୍ୟ ପ୍ରପୀଡ଼ିତ

ନିରନ୍ନ କାଂଗାଳ ଲୋକ, ମରିଯିବି ହଠାତ୍‌ ଦେଖିବୁ କେବେ

ଖାସ୍‌ ତୋ’ରି ଅଭିମାନରେ । ଶ୍ମଶ୍ରୁର ଛାୟାଚ୍ଛନ୍ନତା

କାଖେଇ ଧରିଚି ମୋତେ ଦେଖ୍‌

ଆସ୍ତେ ଆସ୍ତେ କିପରି ମୁଁ ଉଠୁଚି ଉର୍ଦ୍ଧ୍ୱକୁ, କେଉଁ

ଦୂରଂତ ମନୁମେଂଟ୍‌ ଉପରକୁ । ନିଜପାଇଁ କ୍ରମଶଃ ମୁଁ ଏକ

ମହାପୁରୁଷ ହୋଇଆସୁଚି ଏବଂ ଗହଳିଆ ନିଘଂଚ ଅନ୍ଧାର

ପ୍ରଗାଣକୁ ଅଗତ୍ୟା ମୁଁ ପାଦ ବଢ଼ାଇଚି ।

Image

 

ରେସ୍ନା

 

ରେସ୍ନା !

ତୁମେ କେଉଁ ଅରଣ୍ୟ ବା

ଉଦ୍ୟାନର ବାସ୍ନା ?

ଯାହାର ଉତ୍ସ ଖୋଜି ପାଇବାର

ଅନିର୍ବାଣ ଜିଦ୍‌ରେ ମୁଁ

କଣା ପଇସା ପରି ସମୟକୁ ଫିଙ୍ଗି ଫିଙ୍ଗି

ବୁଲିଅଛି ଲକ୍ଷଲକ୍ଷ ବର୍ଷ,

ଅଭୂତପୂର୍ବ କେଉଁ ଅବୋଧ୍ୟ ଖୁସିରେ

ହସିଅଛି କାନ୍ଦୁଥିବାବେଳେ ଓ କାନ୍ଦିଛି

ହସିବା କାଳରେ, ଏବଂ କେଉଁ ନୀଳ ମଧୁର ଯନ୍ତ୍ରଣାରେ

ଗୁଡ଼ି ଉଡ଼ାଇବା ପରି ବିତାଇ ଦେଇଛି

ଶତାଧିକ ଜନ୍ମର ବିଚିତ୍ର ପରିଧି ।

ରେସ୍ନା !

ତୁମେ କିଂତୁ କେଉଁ

କ୍ଷମାମୟ ପ୍ରତିଶୋଧର ବନ୍ୟା ?

ଭସାଇ ନେଇଛ ମୋ ପାପର ସମଗ୍ର ସ୍ଥିତିକୁ, ଅଥଚ

ବୁଝାଇ ଦେଉନ ସେଇ ଶେଷ ଗଣିତଟି,

ଯେଉଁଠାରେ ଅଦୃଶ୍ୟ ରହିଚି ତୁମ

ଦେହାତୀତ ଆକୃତିର ସରଳ ଓ ସୁସ୍ପଷ୍ଟ ଚିତ୍ରଟି ।

ରେସ୍ନା !

ତୁମେ ସତେ କେଉଁ

ବିପୁଳ ତ୍ୟାଗରେ ଅନନ୍ୟା ! ଅର୍ବୁଦ ଯୋଜନୁ

ଜାଣିଛ ମୋ ମୃତ୍ୟୁ ଆସି ଓଡ଼ିଶାରେ ଏବେ

ପହଂଚି ସାରିଛି । ଏଇ ବୋଧେ ବ୍ରହ୍ମପୁରଠାରୁ

ପୁରୀ ଆଡ଼େ ଆସିଥିବା ରାସ୍ତାର କଡ଼େ କେଉଁ ଅଂଧାରି ବୁଦାରେ

ଛପି ରହିଅଛି । ଅଥଚ ଦେଖ ! ତମେ ତମ ହୃଦୟକୁ

ମୋ ଉପରେ ନିର୍ବିକାର ଭାବେ

ଢାଳି ଚାଲିଅଛି, ଯେପରି: ବର୍ଷାଜଳ ପୃଥିବୀ ଉପରେ ।

Image

 

ପୁନଶ୍ଚ ପରୀକ୍ଷା

 

ପ୍ରଥମେ ସକାଳ ଆସି ନିଦରୁ ଉଠାଏ

ଆଗ କିଛି ଚେଷ୍ଟା

ଏବଂ ପରେ ପରେ ବହୁ କିଛି ଜିନିଷର ଦରକାର ହୁଏ ।

ସଡ଼କ ତ ଲମ୍ୱିଅଛି ଏଇମିତି

ପୃଥିବୀରୁ ବୃହସ୍ପତ୍ତି,

ନକ୍ଷତ୍ରରୁ ଅନ୍ୟ ନକ୍ଷତ୍ରକୁ,

ଲିଂଗରାଜ ମନ୍ଦିରରୁ ଚଂପା ପୋଖରୀକୁ ଏବଂ

ବଡ଼ଦେଉଳ ଠାରୁ ଚୁଡ଼ଙ୍ଗ ସାହିକୁ ।

ପ୍ରତ୍ୟହ ବସ୍‌ରେ ଉଠିବାବେଳେ ଭୟଲାଗେ !

ଟାଉନ୍‌ ବସ୍‌ଟି ଦିଶେ :

ଗଣଧର୍ଷଣ ଭୟରେ ଦୌଡ଼ୁଥିବା ଝିଅଟିଏ ପରି ।

କେଉଁ ଅସୁନ୍ଦରୀ ଝିଅକୁ ଦେଖି ଆପେ ଆପେ ଗମ୍ଭୀରତା ଆସିଯାଏ

ଆଗରେ ବସିଥିବା ଝିଅଙ୍କ ପାଇଁ ଡ୍ରାଇଭର ଉତ୍ସାହିତ ହୁଏ ।

ମାଟିଆ ଚିଲ ପରି ଝାଂପ ମାରି

ବସ୍ତୁ କିଛି ଶୂନ୍ୟରେ ଟେକି ନେବା ବଡ଼ କଥା

ଆଶ୍ଚର୍ଯ୍ୟ କଥା : ପୁରାଣର ଅଲୌକିକ ହାତ ସଫେଇକୁ

ହାସଲ କରିବା । ଶାଣିତ ଲୁହାର ପାଚେରି ଘେରା

ଅନତି ଲୋକାରଣ୍ୟ ଉଦ୍ୟାନ ପ୍ରଗଣା,

ନିଶ୍ଚୁପ୍‌ ଯୁବକ ଏକ ଏକ୍‌ଦମ୍‌ ଏକୁଟିଆ

ଅପରାହ୍ନର ଶାଂତ ଆଲୋକରେ

ଦୋଦୁଲ୍ୟମାନ ଝାଉଁଗଛଟିକୁ ଆଉଜି ରହିଚି,

ଧାଇଁ ଧାଇଁ, ଇଲାକାରୁ ଇଲାକାକୁ ଅବିରାମଧାଇଁ ଧାଇଁ

ବିଶ୍ୱସ୍ତ ଘୋଟକ ଏକ ବାଦଲର ପଡ଼ିଆରେ ମୁର୍ଦାର ବନିଛି,

ଅତ୍ୟଧିକ ରକ୍ତ ପିଇ ସଫେଦ୍‌ ବିଛଣା ଚାଦର ଉପରେ

ମଶାଟିଏ ଯେପରି ବା ମରିପଡ଼ିଅଛି ।

ଏକାନ୍ତ ଅଜ୍ଞାତ କେଉଁ ସହର ସୀମାନ୍ତ ଛୁଇଁ

ଧୂଳି ରାସ୍ତା ଧାଇଁଅଛି............

ବୋଉର ପ୍ରେମ ପରି ସାଂଦ୍ର

କୁହୁଡ଼ି-କାନ୍ଥରେ ଧକ୍‌କା ଖାଇ ଆହତ ଜୁଂତୁ ଏକ

ନପୁଂସକ ପରି ଫେରିଯାକ

ବହଳିଆ ଘାସର ଶେଯ ଉପରେ ବିଶ୍ରାମ ନେଉଛି,

ଅଷ୍ଟାଦଶ ଦିବସର ରକ୍ତାକ୍ତ କୁରୁକ୍ଷେତ୍ର ଜଳୁଅଛି

ଫେଣ୍ଟି ହୋଇ ଅର୍ବୁଦ ସିଂଦୁର ଠୋପାର ଜୀବନ୍ତ ଗୋଲକ

ବିୟୋଗାନ୍ତ ମାଟି ପରେ ଗାଢ଼ଲାଲ ଧାସ ଉଠାଇଛି ।

ଦୂର ପାହାଡ଼ ଉପରେ କାହାର ହୃତ୍‌ପିଣ୍ଡ ଜଳେ ?

ଅଧାପୋଡ଼ା ଶରୀରର ଏକଖଣ୍ଡ ଅଂଶ

ତଟକା ରକ୍ତ ଓ ମାଂସ

ଫେଣ୍ଟିତ ଆଉଟା ମିଶ୍ରଣ ବୋଳା ବିକୃତ ଛାତିର ଏକ ବିକଟାଳ ଦୃଶ୍ୟ ।

ଯୋଗୀ ଏକ ବସିଅଛି ଅରଣ୍ୟରେ : କଠୋର ତପସ୍ୟା ପାଇଁ

ଥାକ ଥାକ ସଜେଇ ଥୋଇଛି ଯେତେ

ବିଭୁ ପ୍ରେମ, ଦର୍ଶନର ରହସ୍ୟ କାହାଣୀ

ଫିଙ୍ଗିଛି ସେ ଅର୍ଦ୍ଧଦଗ୍‌ଧ ହୃଦୟର ଦୁଃସ୍ୱପ୍ନକୁ

ଦୁର୍ଗମ ଅରଣ୍ୟର ଉଚ୍ଚ ଏକ ବୃକ୍ଷର ଶାଖାକୁ ।

ସେ କେଉଁ ବାସ୍ତରା ଟୋକା

ମାରି ମାରି ବେହାଲ୍‌ କରିଛି ମୋର ନିରୀହ ବାଛୁରୀ !

ସାମ୍ନାରେ କକେସସ୍‌ ପର୍ବତର ଅଲଂଘ୍ୟ ବନ୍ଧୁର ଛାତି

ସୁସ୍ଥ ଗୋଡ଼ ଦି’ଟା ମୋରହାଣି ନେଇଛି କିଏ ବୋଲି

ଦୁଃଖ କ’ଣ ? ଶକ୍ତିଶାଳୀ ମୁଁ, ଲଜେଂସ୍‌ ବା ଔଷଧ ବଟିକା ପରି

ସମୟକୁ ପକେଟ୍‌ରେ ବୋହିନେବି

କାଂଧରେ ମୋ ଆହତ ବାଛୁରୀର ଦେହ ବୋହି

ଚାହିଁଥିବ : ବିନା ପାଦ ବିନା ପକ୍ଷ

ପକ୍ଷୀ ପରି ଆକାଶକୁ ଉଡ଼ି ଚାଲିଯିବି ।

Image

 

ବାନ୍ଧବୀ

 

ତୋ ଆଖିର ଚିଡ଼ିଖାନା : ଅଶ୍ଳୀଳ ସହରର ଅଜସ୍ର ନମୁନା ।

ମାଙ୍କଡ଼ଙ୍କ ମୈଥୁନର ଦୃଶ୍ୟ ଏବଂ

ଗରିଲାର ସଂତାନ ପ୍ରସବ । ଆକାଶରୁ ଘୋଡ଼ଣିରୁ

ଅନ୍ଧାରର ଅଳନ୍ଧୁ ମିଶ୍ରିତ

ପ୍ରପାତର ଫୁତ୍କାରସମ ହାଲୁକା ବର୍ଷାର ନାଚ-

ଜବର୍ଦସ୍ତ ତୋ ମୁହଁରେ ଚୁମାଦେବା କି ଦର୍କାର

ଏକମାତ୍ର ଇଶାରାରେ ତୁ ତ ଫାଶପରି ଫିଟିଯିବୁ, ମୁଁଜାଣେ ।

ସିଗ୍ରେଟ୍‌ର ଝୁଲ ପରି ସଂଧ୍ୟା ପରି ଝଡ଼ିଗଲା ପରେ, ନିର୍ଭୟ ଲାଗେ ଏବଂ

ତୋର ଖୁବ୍‌ ବେଶୀ ଭୟ ବା କାହାକୁ ?

ସାହିର ତୋ ନିଜସ୍ୱ ପ୍ରଗଣାଠାରୁ ବେଶ୍‌ କିଛି ଦୂରାନ୍ତରେ

ଲକ୍ଷହୀନ ମୁଁ ଚାଲିଛି, ଅକସ୍ମାତ୍‌ ରିକ୍‌ସାରୁ ତୁ ଦେଖିନେଲୁ

ଉଷୁମ୍‌ ବାହାନା ଏକ ଅସ୍ତବ୍ୟସ୍ତ ଦୌଡ଼ଦେବା କେତେଦୂର ?

ମୁହୂର୍ତର ଆଗପଛ, ଅଗତ୍ୟା ପ୍ରତ୍ୟାଶିତ ରିକ୍‌ସା ଆରୋହଣ ।

ତୋ ସହର ବିକଳାଂଗ ବିଦ୍ୟୁତ୍‌ ସରବରାହ ମୁଁ ଜାଣିନି ?

ଅନ୍ଧାରରେ କମିଜ୍‌ର ବୋତାମ ଖୋଲିଛି ଅବା

ମୁଣ୍ଡବାଳ ବିପର୍ଯ୍ୟସ୍ତ....... ଆହା ସତେ ପ୍ରେମରେ ସଜାଡ଼ି ଦେବୁ

କିଂବା ଟିକେ ଧୂଳି ଲାଗିଥିବ ଜଂଘଠାରେ ବେଲ୍‌ ପ୍ୟାଣ୍ଟ୍‌ର ମୋର

ତୋ ଗାଲର ଗର୍ତ ପରି ନିହାତି ଅସ୍ପଷ୍ଟ, ପୋଛିଦେବୁ

ଅନ୍ଧାରରେ କିପରି ତା’ଦେଖି ବାଦୁଡ଼ିପରି ପୋଛିଦେବୁ ତୁ ଅଦ୍ଭୁତ

ଆହା ସତେ, ତତେ ଥରେ ପ୍ରେମ କରନ୍ତି କି ?

ରାତିରେ ମୋ ନିଦଭାଂଗେ, ଖୋଲା ଝର୍କା :

ଦୂର ମଶାଣିରେ ଚିର୍ଗୁଣୀ ଆଲୁଅ ଦିଶେ

ଶାଂତି ପରି ଥଣ୍ଡା ହାୱା, ନିଶ୍ଚୁପ୍ ରାତିର କାନ ପ୍ରତ୍ୟାଶାବିହୀନ

ପାମ୍ପଡ଼ର ଜହ୍ନ । ରାତି ଡ୍ୟୁଟି ବିଭୋର ଜଗୁଆଳି

ର କ୍ଳାନ୍ତ ହ୍ୱିସିଲ୍‌ ଭାସିଯାଏ । ଗଳିର କଂକ୍ରିଟ୍‌ ସଡ଼କରେ

ଭାରି ଜୋତାର ଅଚଞ୍ଚଳ ଓଜନିଆ ଶବ୍ଦ । ଭୌତିକଏ ସଂଲଗ୍ନ ପ୍ରେରଣା ।

ତୁ ତ ନାହୁଁ ! କି ଦର୍କାର୍‌ ଋତୁ ପରି ତୋ’ ଯିବା ଆସିବା ?

ତୁ’ କି ଜାଣୁ ପ୍ରେମ ଫ୍ରେମ ? ମୁଁ ନିଜେ ଜାଣେ କି ?

ମୋର ତ ସଂଦେହ !

ଦେଖୁଚୁ ତ ପର୍ମାଣୁ ବୋମା ଆଉ ଈଗଲ ପକ୍ଷୀରେ ଆକାଶ ଭରିଛି

ପ୍ରେମମିଛ, ସତ ଖାଲି ତୋର ଆଉ ମୋର : ଦୁଇଗୋଟା ଦେହ ।

Image

 

ବୋଉ ପାଇଁ ଆତ୍ମାରନିଜସ୍ୱ କବିତା

 

ଏବଂ ଏହିପରି ଅନନ୍ତ ଆକାଶରୁ ପୃଥିବୀକୁ ଓହ୍ଲାଇ ପଡ଼ିବ

ସୃଷ୍ଟି ରହସ୍ୟର ଜଟିଳ ତ୍ରିକୋଣମିତି ସହ,

ସ୍ନାୟୁର ଖେପାଜାଲ ଏବଂ ଅସ୍ଥିଂକ ୱାଗନ୍‌ ସମେତ

ଅନେକ ଉତ୍କଣ୍ଠିତ ଟିପ୍‌ପଣୀ ପାଇଁ ଶିଶୁଟିଏ....

କି’ବା ନିଶ୍ଚିତତା ଥିଲା ପ୍ରଭୁଂକ ବାହୁଡ଼ାଯାତ୍ରାରେ/ମୋତେ ଆସି

ପୃଥିବୀରେ ହାଜିରା ଦେବାକୁ ହେବ ? ସ୍ନେହମୟୀ ବୋଉ ମୋର

ରାଜ୍ୟ ପ୍ରାପ୍ତିର ଖୁସିରେ ହସି ତୋଳିନେଇ ମୋତେ କୋଳରେ ଧରିବ ।

ନତମସ୍ତକ ଗୋଟେ ଟେବ୍ଲ ଲ୍ୟାଂପ

ଜଳୁଥିବା କୋଠରିଟିଏ ପରି ଆଲୋକ-ଅନ୍ଧାର ଦେଖି

ଗ୍ରହମଣ୍ଡଳ ଘୂର୍ଣ୍ଣନ ପରି ବୟସର ବଣ୍ୟ ପଥେ

ଦୁଃଖର ଯୋବ୍ରାଠାରେ ଆନିକଟ ଗଢ଼ିଦେଲି ଏକ

ଜୀବନର ପାର୍ଥିବ ମହାନଦୀ କାଳରକ ନିଃଶ୍ୱାସରେ କ୍ଷୟିଷ୍ଣୁ ନଶ୍ୱର

ଏବଂ ସବୁ ସବୁ ମଧ୍ୟେ ଆହା ଶାନ୍ତିରେ ବୁଜୁଛି ଆଖି

ବୋଉ ମୋର ଗଢ଼ିଥିବା ସ୍ନେହର ହୀରାକୁଦ ଶୀତଳ ଦ୍ୱୀପରେ ।

କେବଳ ବୋଉର ଅସ୍ତିତ୍ୱଯୋଗୁ : ଜାତୀୟ ରାଜପଥ ପରି

ଲଂବିଛି ମୋ ସୁଖର ସମୃଦ୍ଧ ତାଲୁକ ।

ଜଜାଂଗ ନଟି ପରି ସାଂଦ୍ର ତା’ର ପ୍ରେମ; ତା ଆଖିର

ନିଷ୍ପ୍ରଭତାରେ ଭାସିଯାଏ ସୁଖର ପ୍ରହର...........

ହୃଦୟ ଆତ୍ମା ଆଦିର ଅର୍ଦ୍ଧାଧିକ ଅଂଶ ବିଧ୍ୱସ୍ତ ହୋଇଯିବ

ଆତ୍ମାର ଜଳୀୟଅଂଶ ନିଭିଯିବ ପାଣିର ଅକ୍ଷର ପରି ।

ବିୟୋଗାନ୍ତ ସିନେମାର ଶେଷ ଦୃଶ୍ୟ ହଜିଗଲେ ପିରାମିଡ଼୍‌ ତଳେ

ଅନ୍ଧାରର ଆକ୍ରମଣେ ମୁଁ ନିଃସହାୟ ଅପଭ୍ରଂଶ ହେବି,

ଭାଙ୍ଗିଯିବ ମୋ ଦେହରୁ ଖଣ୍ଡଖଣ୍ଡ

ନିଃସ୍ୱତାର ପାର୍ଥିବ ବିସ୍ଫୋରଣେ

ପୃଥିବୀକୁ ହଜାଇବି, ଅନନ୍ତ ଶୂନ୍ୟତାରେ ନିଜେ ହଜିଯିବି ।

Image

 

ମହାମାନବ

 

ଏ ଅଂଧାରେ ବାଦୁଡ଼ିର ଦାନ୍ତ ଗଣେ କିଏ !

କପଟୀର ମନପରି ଅମାବାସ୍ୟାର ଅନ୍ଧାର ରାତିରେ

କିଏ ଦେଖେ ସଂଜୀବନୀପୁର ଠାରେ ଚିତ୍ରଗୁପ୍ତ ଧୂର୍ତ ହସ୍ତାକ୍ଷର,

ଏବଂ ପୁଣି ହୁଂକା ହୋଇ ବସିଯାଏ ତପସ୍ୟାରେ

କଳିଯୁଗର ଯୁବକ ଦେହ ଉପରେ ଗୋଇଠା ପ୍ରହାରକରି

କିଏ ସେହି ଭୟଂଙ୍କର ଦୂରଦ୍ରଷ୍ଟା, ପିପିଲିକା ପରି ?

କାସାବିଏଙ୍କାର ବିପରୀତ ହୃଦୟ, ମାନସିକତା ଓ

ବିଧବା ନାଗୁଣୀର ଜୀବନଦର୍ଶନର ବଟିକା ଚୋବାଇ

ନିଘୋଡ଼ ପାଣି ପରି ନିଝାଡ଼ ଅରଣ୍ୟରେ ହରିଣୀ ବେକକୁ

ବାରୁଦର ଟେଳା ଫିଙ୍ଗି ଉଦ୍‌ବାର୍ଯ୍ୟ ଉତ୍‌ଫୁଲ୍ଲ ବ୍ୟାଧ ପରି

ଏଠି ଯେତେ ଆରଣ୍ୟକ ପଶୁପକ୍ଷୀ,ଜୀବଜଂତୁ :

ବାଘ ଭାଲୁ ଅଜଗର ଗଧିଆ ଗରିଲା

ଛଂଚାଣ ଶାଗୁଣାପେଚା ଚିଲ ବା ଈଗଲ-

ଜାଂଗଲିକ, ଜାଂତବ ଏଇ ସମାବେଶ ଆଢ଼ୁଆଳେ

ଚା’ କେଟ୍‌ଲିର ଘୋଡ଼ଣୀ ତଳୁ ମୁକ୍ତିର ହାବୁକା ପରି

କିଏ ସେହି ବ୍ୟତିକ୍ରମ ? ପ୍ରହଲ୍ଲାଦ, ବିଭୀଷଣ ?

ନାଟକର ବିଷ୍କମ୍ଭକ ପରି କିଏ ଏଠି ରୋମନ୍ଥନ ପାଇଁ

ଖୋରାକ ଯୋଗାଏ ? ଆତ୍ମାର ଯାତ୍ରା ପରି

ସମ୍ମୁଖର ଲଂବା ପଥ ସୂକ୍ଷ୍ମଭାବେ ମୁଣ୍ଡରେ ପୂରାଏ ?

ଖୋଜି ଖୋଜି ଖୋଜି ଖୋଜି

ପ୍ରଶ୍ୱାସ ପବନ ଭେଦି ପ୍ରତିଟି ପର୍ମାଣୁ ଖୋଜି

ମୁଁ ପାଇଲି ମୋ’ ନିଜକୁ : ନୀରବ ନିଶ୍ଚଳ ଏକ

ଜାଲମହୁରାର ପରି, ଜୀବନ୍ମୃତ ।

ଯୁଦ୍ଧରେ ଜିଣିଥିବା, ଭାଙ୍ଗିରୁଜି ପାଣି ପଶି

ବର୍ଷାର ବୁଂଦାପରି ଓଜନ ବଢ଼ାଇ ଚାଲ ଭିତରକୁ ଖସୁଥିବା

ମହା ସମୁଦ୍ର ମଝିର ଦୁଃଖହୀନ ନୀରବ ନୌବହର ଏକ : ମୁଁ ।

କେଉଁ ମୁକ୍ତ ତରୁଣ ତ୍ରିବଳୀର ସ୍ମୃତି ନାଇ

ହଳନ୍ତରେ ଭରା କେଉଁ ଅରଣ୍ୟର ଭୟ ନାଇଁ

ଖାଲି ଏକ ପ୍ରାଚୁର୍ଯ୍ୟର ଅନ୍ଧାର କାମନା :ଅଣସର ଘର ପରି ।

Image

 

ବଂଦୀ

 

କେତେ ଲୁହର ବିଷ ଆଉ

ବାକି ଅଛି ଆଖିର ଶିଶି’ରେ ?

ତୁମର ଏକକ ମାଲିକାନା ଭୁକ୍ତ

ମୋ ଗାଲର ସଂଭ୍ରାନ୍ତ ସଂଚୟରୁ ଦେଖ

ମାଂସସବୁ ଚୋରି କରି ନେଇଯାଆନ୍ତି କେଉଁ

ଅପ୍ରାପ୍ତି ଓ ଆାଶଙ୍କା ରାଜ୍ୟର ଦଳେ

ଅଶୁଭ ଡାମରା କାଉ ।

ମୋ ଉଜ୍ଜଳ ଆଖିର ଦୁଷ୍ପ୍ରାପ୍ୟ ପେଣ୍ଟିଂତଳେ

ଦୁଶ୍ଚିନ୍ତାର କେଉଁ ଦୁଷ୍ଟ ଓ ଅଝଟ

ଶିଶୁ ଆସି କଳାରଂଗ ନେସିଯାଏ ଦେଖ !

କୃଷ୍ଣବର୍ଣ୍ଣ, ଶବ୍ଦହୀନ ସମଗ୍ର ବ୍ରହ୍ମାଣ୍ଡ ।

ଅନୁରାଧା, ଖାଲି ତମେ ଏକମାତ୍ର

ଶବ୍ଦ: ପୂରାପୂରି ଅଲେଖା ଓ ତେଣୁ ଧଳା

ମୋ ଆଶ୍ଚର୍ଯ୍ୟ ଜୀବନ ବିହିର ।

ଉପରୋକ୍ତଏତିକି କଥା କେବଳ

ତୁମକୁ ବୁଝାଇବାର ଚେଷ୍ଟାରେ ମୁଁ

ବିଫଳ ଓ ବନ୍ଦୀ ।

ମୃତ୍ୟୁର ଆଖି ପରି ଦିଶୁଥିବା

କାନ୍ଥସ୍ଥିତ ଛୋଟ ଗବାକ୍ଷ ଜଳାରେ

ଏକମାତ୍ର ଖାଦ୍ୟ ଆସେ : ଗୋଟେ ଭଂଗା ଓ ବିବର୍ଣ୍ଣ

ତଂବାଥାଳିଆରେ, ନିଶାର୍ଦ୍ଧରେ ପ୍ରତିଦିନ :

ତୁମ ଲୁହ ।

ଓ ମୁଁ ଆଖି ବୁଜି ପିଇଦିଏ ତାକୁ । ଅନୁରାଧା,

କେତେ, କେତେ ଲୁହର ବିଷ ଆଉ

ବାକି ଅଛି ଆଖିର ଶିଶି’ରେ ?

Image

 

ସ୍ଥିତି : ଏକ ପାର୍ଥିବ ପୁରୁଷର

 

କେତେ ଆଉ ଏଠୁ ସେଠୁ ବୁଲି ବୁଲି ସାଂତ୍ୱନାର

ଟୁକୁରା ଗୋଟାଇବୁ ? ଅବୋଧ/ନିର୍ବୋଧ ଶିଶୁଟିଏ

ସମୁଦ୍ର ବେଳାରେ ବୁଲି

ଭଂଗା ଶାମୁକାଓ ସିପ ଖଣ୍ଡ ଗୋଟାଇବା ପରି ?

ପର୍ବତର ପ୍ରାକୃତିକ ପଥର କାନ୍ଥ ଏବଂ ଅଗ୍ନାନି ବନସ୍ତ ମଧ୍ୟେ

କୁଟ୍ରା ଛୁଆର ନିର୍ଭୟବିସ୍ତାର ପରି ହାଲୁକା ହୋଇଯା’

ତୋ ଦର୍ଶନର ବେଲୁନ୍‌ ପେଟରେ ପ୍ରଜ୍ଞାର ଉଦ୍‌ଜାନ ଖୁଂଦି

ଗୋଟାଏ ଡାଇଗ୍ନୋଷ୍ଟିକ୍‌ ସେଟ୍‌ ଭଳି ବିଶ୍ୱସ୍ତ ହୋଇଯା ନିଜଠାରେ ।

ମାଟିର ଦରିଦ୍ର କାନ୍ଥରେ ସଫେଦ ଧୂଲେଇ କରି,

ଭଂଗା କୂଅରେ ନିଜ ଛାଇ ଦେଖି ସିଂହର କୁଦାମାରିବାପରି

ନିଜକୁ ନିଜେ ଠକି

ଘାସ ପରି ଦୁର୍ବଳ ମୁହୂର୍ତ୍ତରେ ଆତ୍ମାକୁ କଲବଲ କରି

ଆଶଙ୍କାର ଆହତ ହିମାଳୈୟ ଭାଲୁର ପଂଝାରେ

ମିଛଟାରେ କାହିଁକି ଏତେ ବ୍ୟାକୁଳ ଚିତ୍କାର ?

ପ୍ରସ୍ତାବିତ ଗ୍ରନ୍ଥାବଳୀ ଅପୂର୍ଣ୍ଣ ରହିଗଲେ

ବର୍ଣ୍ଣବୋଧ ଅଛି । ସୁଂଦର ନିର୍ଘଂଟ ଏକ ଗଠିତ ହୋଇପାରେ

ଏବଂ ନିର୍ଦ୍ଦିଷ୍ଟ ଅଭିନବ ଚୌହଦ୍ଦୀରେ

ସ୍ୱର୍ଗୀୟ ସଂକ୍ଷିପ୍ତ ଟିପ୍‌ପଣୀ ଅର୍ବୁଦମୁଦ୍ରା ମୂଲ୍ୟ ହୋଇପାରେ ।

ପୋତାଶ୍ରୟରେ ବୋଇତଟା ଖୁବ୍‌ ଭଲ କାରବାର କରୁ

ସେ କେଉଁ ସମ୍ରାଟ୍‌ର କୂଟନୀତି/ଅଦଉତି ଯେତେ ସାଧିତ ହେଉ,

ଆଶ୍ୱିନରେ ପକ୍ୱଆମ୍ବ : ଅସ୍କନ୍ଦବନରେ ପାଣ୍ଡବଂକ ଆତଂକ ଏଡ଼ାଇ

ଶ୍ରୀକୃଷ୍ଣ ହଠାତ୍‌ ଇନ୍ଦ୍ରଜାଲ ମେଲାଇବା ପରି

ଶିଶୁ ହାତର ଅପହଂଚ ଅଲୁଗୁଣି ଉପରେ ରଖିଦେ’ ଅପୂର୍ବ ବସ୍ତ୍ର ।

ଛବି ବହିରେ ମଧ୍ୟ ବ୍ୟାଲେ ପରି ବିଦେଶୀ ନର୍ତନ, ଏବଂ

ଅନେକ ଆୟାସରେ ଡେଇଁଥିବା ଏସିଆ ପରି ଲଂବା ସରହଦ

ତୋ’ ପାଇଁ ସୃଷ୍ଟିକରିବ ଅମୃତର ପ୍ରଶାଂତ ସାଗର

ମହାଶୂନ୍ୟ ପରି ଅସରନ୍ତି ଗୌରବର ପ୍ରତିଧ୍ୱନି: ସ୍ୱପ୍ନର ମିନାର ।

Image

 

ଅନେକ ପର୍ଦ୍ଦାପତନ

 

ଏ ପ୍ରଶ୍ନ ତ ନୁହଁ ସେଡ଼େ ସହଜ ସରଳ

ଯେ ଶୁଆ ମୋର ଅଂକ କଷିବ !

ମାଟି ଠାରୁ ମେଘଯାଏ ପ୍ରଲଂବ ଯେ ସୂତ୍ର

ସୂର୍ଯ୍ୟ ସବୁ କାକରକୁ ଶୋଷି ନେଇ ଯିବ ।

ସମୟର ଶୀର୍ଣ୍ଣ ଗୋରା

ପିଠିକୁ ଲାଗି ଲୁହାର ଅଲଂଘ୍ୟ ପ୍ରାଚୀର

କିପରି ସେ ବୁଢ଼ା ଆଉ ପଛକୁ ଫେରିବ ?

ଅନୁଗତ ସ୍କୁଟର ମୋ ସ୍ୱପ୍ନ ଦେଖୁ ଦେଖୁ

ରାସ୍ତାର ମଝିରେ ତା’ର ନିଦ ଭାଙ୍ଗିଯିବ ।

ସମୁଦ୍ର ଧସେଇ ଆସି ତିଆରି ହେବ ବିଶାଳ ପୁଳିନ

ମୋ ଘର ସାମ୍ନାରେ । ଓ ପବନ ବହିବ

ବାଲିର ଶେଯରୁ ଉଠି

ମୁଁ ପୁଣି ଦୌଡ଼ିବି ଗୁଡ଼ଙ୍କକ ପଛେ ପଛେ

ନୋଳିଆଙ୍କ ଜାଲ ମୋର ଗୋଡ଼ ଛନ୍ଦି ଦେବ ।

Image

 

ଅନ୍ୟଯାତ୍ରା

 

ବୟସ୍କ ମଣିଷ ବୋଲି ସମସ୍ତେ ସ୍ୱୀକାର

କଲେ ଆଜି ମୋତେ ଏତେ ବର୍ଷ ପରେ ଏବଂ

ବାଳକ ସୁଲଭ ପ୍ରାୟ ସମସ୍ତ ଚାଂଚଲ୍ୟ

ର ଅକ୍ତିଆରରୁ ମୁଁ ଏବେ ଦୂରସ୍ଥ ବୋଲି

ଅଂଗୀକାର କଲେ ଏହି ଓଡ଼ିଶାର ଲକ୍ଷାଧିକ ଲୋକ ।

 

ମୋ ଗମ୍ଭୀର ହାଡ଼ରେ ଏବେ ଲୁହାପରି ଦମ୍ଭ

ସଂଯୁକ୍ତ ହୋଇଯାଇଛି ସମୟ ଓ ଈଶ୍ୱରଙ୍କ

କୃପାଦୃଷ୍ଟି ଯୋଗୁଁ, ମୋର ଚିନ୍ତା ଏବଂ ମତାମତ ଆଦି

ପ୍ରାୟ ବରାବର ଦୋଷଯୁକ୍ତ ହେଉଥିଲା, ଏପରିକି

ଭାରସାମ୍ୟ ନଥିବା ଛାତିରେ ବହୁ ଦୁର୍ବଳ କବିତା

ଝର୍ଣାପରି ଦୌଡ଼ାଦୌଡ଼ି କରୁଥିଲେ ଯେ କୌଣସି ବେଳେ ।

 

ବହୁବର୍ଷ ପରେ ଏବେ ବୟସ୍କ ମଣିଷ

ବୋଲି ମୋର ଜନାଦୃତି ପରେ :

ଏହିଠାରେ ଛିଡ଼ାହୋଇ ଯେତେଦୂର ଚାହେଁ ଦେଖାଯାଏ

ସର୍ବବ୍ୟାପୀଏକମାତ୍ର ବ୍ୟକ୍ତିର ଆକୃତି, ତା’ର

କଂଠାଗତ ବିଶ୍ୱସ୍ତ ଗୀତର ଯାଦୁରେ

ଘରଦ୍ୱାର ସବୁକିଛି ଭୁଲିଅଛି ଏପରିକି

ଭୁଲିଛି ଯେ

ମୃତ୍ୟୁ ବୋଲି ବସ୍ତୁ କିଛି ଓଡ଼ିଶା ବା ଏସିଆରେ ଅଛି ।

Image

 

ବ୍ୟତିବ୍ୟସ୍ତ ଚଂଦ୍ରାସ୍ତ

 

ସୁନ୍ଦର ଓ ବିପଦଶଂକୁଳ ଏଇ ଘନ ଅରଣ୍ୟରେ

ସର୍ବଶେଷ ମଣିଷଟିକୁ ଧିରେ ସୁସ୍ଥେ ଅପେକ୍ଷା କରନ୍ତି :

ନୀରବରେ ଅଳ୍ପଅଳ୍ପ ହସୁଥାନ୍ତି ଦର୍କାର କାଳରେ ଆଉ

ଅଧିକ ସମୟ ଗାମ୍ଭୀର୍ଯ୍ୟ ଓ

ବନ୍ଧୁମାନଂକୁ ଖାପଛଡ଼ା ଭାବ ଦେଖାଇବା ଭଲ ସିନା

ବେଶୀ ଆବଶ୍ୟକ ବେଳେ କିଂତୁ ପୃଥ୍ୱୀ କଂପାଇ ହସନ୍ତି ବି ।

ଅନ୍ୟ କେଉଁ ହେଲେ ଝିଅ ମୋ ସହିତ

କଥା ହେବେନି ତା’ଛଡ଼ା : ବୋଲି ଚାହୁଁଥିବା କିଶୋରୀ ଓ

ମୋତେ ନେଇ ପ୍ରେମ କବିତାଟେ ଲେଖିଚି : କହୁଥିବା ତରୁଣୀ ଏବଂ

ମୋ ଛାତିରେ ହେଉଥିବା ଦରଜ କି କମିଲାଣି ? ଏହିପରି ଚିଠି

ଲେଖୁଥିବା ଝିଅ ତଥା ମୁଁ ତାକୁ ଜମା ହେଲେ ବୁଝିପାରୁ ନାଇ ବୋଲି

ବାରଂବାର ଅଭିଯୋଗର ହାତବୋମା

ଫିଙ୍ଗୁଥିବା ଅଭିମାନୀ ତନ୍ୱୀ ଆଦି ମୋ ନିଜସ୍ୱ ପୃଥିବୀର

ଯେତେସବୁ ଆପାତତଃ ଦୁର୍ବୋଧ୍ୟ ଓ ନିହାତି ଗୋଳମାଳିଆ ଜୀବଜଂତୁ—

ଯେତୋଟି ସମ୍ଭବ ସେତେଗୋଟି

ପ୍ରସ୍ଥାନର ତୋରଣ ସଜାନ୍ତି ଗୋପନ ସଂଭ୍ରମରେ

ହେ ଈଶ୍ୱର ! ଥରଟିଏ ଅନ୍ତତଃ ଏତିକି ନିଷ୍ଠୁର କରିଦିଅ ମତେ, ନହେଲେ

ବ୍ୟାପକ ଦୁଃସ୍ଥିତିରେ ମୁଁ ହୁଏତ ଧ୍ୱଂସ ହୋଇଯିବି ।

ନିରୀହ ଓ ଦରିଦ୍ର ମେଷ ପାଳକ ମୁଁ ।

ସବୁଯାକ ମେଷ ଯଦି ଡେଇଁଯିବେ ଏପରିକି

ଯୂଥଭଷ୍ଟ ଏକମାତ୍ର ଜନ୍ତୁ ନୁହ, ତେବେ ସୁଦ୍ଧା :

ମୃତ୍ୟୁ ପଛେ ନାଚୁଥାଉ

ଆଣ୍ଡାମାନ ଦ୍ୱୀପଠାରୁ ଦୁଇଶହକୋଶ ପୂର୍ବୋତ୍ତର ଦିଗରେ

ମୁଁ ଭୂତ ଓଡ଼ିଶାରେ ଜମିଦାର କୁଂଜ ପାତ୍ରର ଖଳାବାଡ଼ି

ଶହେବାର ଡେଇଁଯିବି ଜହ୍ନରାତି ବାଦଲଂକ ପରି ।

ମୋ ଛାତି ଓ ହାତଂକ ତାକତ୍‌ର ଚନ୍ଦ୍ର ବଂଧନୀକୁ

ଡେଇଁଯିବ : ଏବଂବିଧ ବୋଧ ହେଉଥିବା

କତିପୟ ଘଟଣାଂକ ନିର୍ଦ୍ଦୟ ଚଳଚ୍ଚିତ୍ର ଜବର୍ଦସ୍ତ

ମୋ ମୁଣ୍ଡ ଭିତରର ସାଦା ପର୍ଦ୍ଦାକୁ ଡିଅନ୍ତି ।

ମୁଁ ଏପରି ବିବ୍ରତରେ ପ୍ରାଣେଶ୍ୱରୀ ! ମୋ ପାପର କଳତ୍ର ଭିଡ଼ରୁ ଖୋଜେ

ମୁକ୍ତି ପରି ମୂଲ୍ୟବାନ ପ୍ରାଚୁର୍ଯ୍ୟ ଓ

ବହୁ ଛାତି ଜିଣିଥିବା ମୋ ପୁଣ୍ୟର ରଜ ଜୟନ୍ତୀ ।

Image

 

ରାସ୍ତା ବାଛିବା

 

ପୂର୍ଣ୍ଣମୀର ଜହ୍ନ ପରି ପୃଥିବୀକୁ ଖୋଜି ଖୋଜି ନିଶାନ୍ତ ପୂର୍ବରୁ

ଦିଗ୍‌ବଳୟର କୂଅକୁ କୁଦାମାରି ବିଲୁପ୍ତ ହୋଇଯିବା,

ନୀଳାଚଳ ସମ୍ରାଟକୁ ସିଂହାସନୁ ବିତାଡ଼ିତ କରି

ପ୍ରଶାଂତ ମହାସାଗରର ନାଭିକେନ୍ଦ୍ର ଭେଦିଥିବା

ମଣିମୁକ୍ତା..... ରତ୍ନହାର ଖୋଜିବାର ପାଗଳାମି ମୋର ନାଇ ।

ସୁନ୍ଦର ଶବ୍ଦଟିଏ ସ୍ମୃତିର ପକେଟ୍‌ରୁ ହଜେଇ ଦେବାର ଦୁଃଖ

ଗତଜନ୍ମ କଥାପରି ଭୁଲିଗଲେ ହିଁ ବିଜୟ,

ଜାତିସ୍ମର ହୋଇ କି ଲାଭ ? ହୃଦୟର ସ୍ଥୈର୍ଯ୍ୟହୀନ ପତାକା ଉଡ଼ାଇ ?

ନିର୍ମିୟମାଣ ଦୁର୍ଗ ତୋର ଅଗ୍ରଗତିହୀନ.....

ଅତ୍ୟଧିକ କଂଜୁସ୍‌ କେଉଁ ମାରୱାଡ଼ି ବ୍ୟବସାୟୀ ପରି

ପଇସା ଗୋଟେ ଯୋଡ଼େ ପାଇଁ କିଆଁ ଏତେ କସରତ ଡହଳ ବିକଳ ?

ଈଶ୍ୱରଙ୍କ ପରି ଅଦ୍ଭୁତ ଶକ୍ତିଶାଳୀ ମନସ୍ତତ୍ତ୍ୱର ଘୋଡ଼ା ଚଢ଼ି

ଉଡ଼ିଯାଆ ସାଫଲ୍ୟର ଗଭୀର ଆକାଶ ବିଭକ୍ତ କରି

ଶମ୍ଭୁରାଣ ପରି ସ୍ୱର୍ଗରେ ଇନ୍ଦ୍ରଜାଲ ଦେଖା : ବୀରତ୍ୱର ଶୃଂଗ ।

ତୁ ମେଜିକ୍‌ବାଲା ! ପ୍ରଥମେ ମୁକ୍ତାକୁ ମାଟି କର୍‌

ତା’ପରେ ପାଉଁଶକୁ ପୋହଳା କରିବୁ ।

ଟ୍ରପିକ୍ ମରୁରେ ବରଫ ପରି, ବୃଥା ଜଂଜାଳର ଅଟେଇରୁ ଖୋଲିଦେ

ମନର ବାଛୁରୀକୁ ଖୋଲିଦେ । ଶାଂତନୁ ପରି ପିତୁଳାକୁ ଶୃଂଗାର କରିବୁ ?

ହେଇ ଦେଖ୍‌ [ପ୍ରେମିକ ପରି ବୋକା ଲୋକେ କ’ଣ ବା ଜାଣନ୍ତି......]

ହାରିଗଲା ପରି ଦିଶୁଥିବା ଲୋକଟାର ଗଳାର ଅନ୍ୱେଷଣାର

ମହାଶୂନ୍ୟରୁ କିପରି ଖସି ଆସୁଚି ସୂର୍ଯ୍ୟ ପରି ଉଜ୍ଜଳ ତାବିଜ୍‌ ।

Image

 

ଭଂଗା ତୁଟା ମେଘ ଖଂଡ଼େ

 

ନିଆଁର ପାହାଡ଼ ଚଢ଼ି ଅସ୍ତିତ୍ୱର କବର ଖୋଳେ କିଏ

ଅବକ୍ଷୟରେ ସ୍ରୋତରେ ଆଶ୍ରାଂକର ଚିରସ୍ଥାୟୀ

ଧର୍ମଘଟର ଘୋଷଣା ଅହରହ ଶୁଣେ,

କେଉଁ ନିଷିଦ୍ଧ ଇଲାକାକୁ ପକ୍ଷୀଟାଏ ଉଡ଼ିଯାଏ

ବାଣୁଆର ଶାଣିତ ଶାୟକ ଏକ : ଅବ୍ୟର୍ଥ ସଂଧାନ

ସଫରୀର ନିରୀହ କନୀନିକା ଛିଣ୍ଡାଇବ ଫାଲ୍‌ଗୁନୀର ତୀର

ଯନ୍ତ୍ରଣା କି ଲିଭିଯିବ ପିରାମିଡ଼୍‌ ଅନ୍ତଃପୁର ଅପୂର୍ବ ସଂଭାରେ ?

ରାତ୍ରିର କଳା ଘୋଡ଼ଣୀ ତଳେ କଦମ୍ବର ପତ୍ରଗହଳି :

ଯମୁନା ଅଭିମୁଖିନୀ କେଉଁ ଲାସ୍ୟମୟୀ ଗୋପାଙ୍ଗନା

ର ଯୌବନ ପିଆଲା

ଭଗବାନ ଲୁଚିଲୁଚି ଆନଂଦରେ ପାନ କଲେ ?

ତୁମର ଏ ନିର୍ଜୀବ ଓ ଦୀର୍ଘ

ହଳଦିଆ ପୃଥିବୀରେ, ସହଜ ସୁଂଦରୀ !

ଖନିକାର ମାତା ବୋଲି

ତୁମେ କ’ଣ କୃଷ୍ଣଙ୍କର ପତ୍ନୀ ?

ଆରଣ୍ୟକ ପ୍ରବୃତ୍ତିର କୁମାୟୁଁରେ

କାମନାର ମହାବଳ ବାଘର ହେଂଟାଳ !

ସାପ ପରି ଜଟିଳ ଓ ସଂକୀର୍ଣ୍ଣ ଧୂଳିରାସ୍ତା: ନିସ୍ତବ୍‌ଧ ନିର୍ଜନ

କାନକୋଳି କଂଟାର ଲହଲହ ଜିଭ : ଆମ୍ର ଅଶୋକ ଅରବିନ୍ଦ

ନିଆଳୀ ଓ ନିଳୋତ୍ପଳ :

ଘୋର ଅରଣ୍ୟରେ ମଧ୍ୟ ଇରୋଟିକ୍‌ ଉପବନ ଏକ ।

ଉଚ୍ଚ ସେଇବୃକ୍ଷ ଶାଖେ ତନ୍ଦ୍ରାଚ୍ଛନ୍ନ କପୋତର

ସ୍ୱାପ୍ନିକ ଆହ୍ୱାନ..... । ମାଟିରେ ମହୁଭର୍ତି ! ଈଶ୍ୱରଙ୍କ ସ୍ଥିତିପରି

କାହା ପାଇଁ ସତ ତ କାହା ପାଇଁ ମିଛ ।

କୁହୁଡ଼ିର ପାର୍ଥିବ ନଂଦନରେ ପାରିଜାତ ଫୁଲଟିଏ

ଫୁଟିଚି କି ଫୁଟିନାହିଁ..... ପ୍ରଶାନ୍ତ ସାଗର ପରି ଗଭୀର ଆଖିର

ଦୂରବୀଣ୍‌ ଦେଖେ : ସମୟର ସୁଦୀର୍ଘ କୋକେଇ

ଗାଢ଼ କଳା ମଇଁଷିଟେ ଭିଡ଼ି ନେଉଅଛି ।

Image

 

ସଂଦିଗ୍‌ଧ ଦର୍ଶନ

 

ଉପରକୁ ଚାହିଁଲେ :

ପୁଣି ସେଇ ମାଟିଆ ଚିଲଂକ ହାଉଯାଉ,

ଆକାଶର ନେଳିସବୁ

ପୁଣି କିଏ ଚୋରି କରି ପଳାଇବାକୁ ତିଆର୍‌ ।

ଶୋଇବା ଘରର କବାଟ ଖୋଲିଲେ

ପୁଣି ସେଇ ନିଃସଙ୍ଗତାର ବାଘର ଝାଂପ

ଚନ୍ଦ୍ର ପରି ବାୟୁହୀନ ଇଥରୀୟ କଷ୍ଟ ।

ବିଲାତର ଜଳବାୟୁ ଆଉ କଣ ?

ଏଠିକାର ଏକ ଶୀତତାପନିୟନ୍ତ୍ରିତ

ସିନେମାହଲ୍‌,

ସେଠାର ପ୍ରେମ ବା କ’ଣ ନୂଆ ?

ଚୁଡ଼ଙ୍ଗସାହି ଅଥବା ଚଂପାପୋଖରୀ

କିମ୍ବା କଲିକତା ବା ମାନ୍ଦ୍ରାଜର

ଏକ ବେଶ୍ୟାଳୟର ନାୟିକାରେ ମୂର୍ତ୍ତି ।

ଏବଂବିଧ

ଜୀବନର ରେଖା ପାର୍ଶ୍ୱେ

ଆଉ ଏକ ଲଂବା ଗାର ଟାଣି

ଜୀବନକୁ ଛୋଟ କରିଦେଲି,

ରେଡ଼୍‌ନାଇଟ୍‌ ବୋତଲର ଠିପି ଖୋଲି ଆକାଶକୁ ଫିଙ୍ଗି

ରକ୍ତକଣିକାକୁ ହସିହସି ମୁକ୍ତି ଦେଲି ।

Image